ଓମିକ୍ରନ୍-ଡେଲଟା ମଧ୍ୟରେ ପ୍ରତିଯୋଗିତା : ଆମେରିକା ଓ ୟୁୂରୋପ୍ ରେ ସ୍ଥିତି ଅଣାୟତ୍ତ

66

ନୂଆଦିଲ୍ଲୀ : ଆମେରିକାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇଥିବା ବେଳେ ୟୁରୋପ୍ରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି । ଭୟଙ୍କର ଭାବେ ମାଡ଼ିଚାଲିଛି କରୋନା । ଆମେରିକା, ବ୍ରିଟେନ୍, ଜର୍ମାନ, ଫ୍ରାନ୍ସ ଆଦି ଦେଶରେ କରୋନାର କରାଳ ରୂପ ଦେଖିବାକୁ ମିଳିଛି । ଆମେରିକାରେ ଦେଢ଼ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ଲକ୍ଷ ୪୬ହଜାର ୧୯୫ ନୂଆ ମାମଲା ସାମ୍ନାକୁ ଆସିଛି । ସତେ ଯେମିତି ଓମିକ୍ରନ୍ ଓ ଡେଲଟା ମଧ୍ୟରେ ପ୍ରତିଯୋଗିତା ଲାଗିରହିଛି । ଡିସେମ୍ବର ୧ରେ ଆମେରିକାରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିଲା । ୧୫ଦିନ ଭିତରେ ଏହା ୩୮ ରାଜ୍ୟକୁ ମାଡ଼ିଗଲାଣି । ଏବେ ବି ପ୍ରମୁଖ ଭାରିଆଣ୍ଟ ହୋଇ ରହିଛି ଡେଲଟା । ଟିକା ନେଇନଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ବ୍ରିଟେନ୍ରେ ସ୍ଥିତି ମଧ୍ୟ ସଂଘାତିକ । ଦୈନିକ ସଂକ୍ରମଣରେ ଦୈନିକ ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ ବ୍ରିଟେନ୍ରେ ୮୮୩୭୬ ନୂଆ ମାମଲା ଆସିଥିବା ବେଳେ ବୁଧବାର ମଧ୍ୟ ଏହା ରେକର୍ଡ କରିଥିଲା । ବୁଧବାର ଦିନ ୭୮୬୧୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଠାରେ ଦ୍ରୁତଗତିରେ ମାଡ଼ିଚାଲିଛି କରୋନା । ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗୋଟିଏ ସପ୍ତାହରେ ବଢ଼ିଛି ୩୧.୪ ପ୍ରତିଶତ କେସ୍ । ଦେଶରେ ରକେଟ୍ ଭଳି ଗତି କରୁଛି ଓମିକ୍ରନ୍ । ହେଲେ ଚିଫ ମେଡିକାଲ ଅଫିସର କ୍ରିସ୍ ୱିଟି କହିଛନ୍ତି ଯେମିତି ମାଡ଼ୁଛି ସେମିତି ଛିଡ଼ିବ । ଫ୍ରାନ୍ସ ଓ ଜର୍ମାନରେ ମଧ୍ୟ ସ୍ଥିତି ଗମ୍ଭୀର । ଫ୍ରାନ୍ସରେ ଦିନକରେ ୬୦୮୬୬ ନୂଆ ମାମଲା ଆସିଥିବା ବେଳେ ଜର୍ମାନରେ ୫୦ହଜାରରୁ ଊଦ୍ଧ୍ୱର୍ କେସ୍ ଆସିଛି ।

Comments are closed.