ଉତ୍ତରକୋରିଆରେ ୧୧ ଦିନ ହସିବା ମନା

65

ସିଓଲ : ଅଜବ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସନ କିମ ଜଙ୍ଗ ଉନ । ଦେଶର ପୂର୍ବତନ ଶାସକ ତଥା ବାପା କିମ ଜଙ୍ଗ ଇଲ୍ଙ୍କ୧୦ମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ୧୧ ଦିନ ପାଇଁ ହସିବା ଉପରେ ରୋଗ ଲଗାଯାଇଛି । ୧୧ ଦିନ ଧରି ଉତ୍ତର କୋରିଆର ଲୋକମାନେ କିଙ୍ଗ ଜଙ୍ଗ ଇଲ୍ଙ୍କ ପାଇଁ ଶୋକ ପାଳିବେ । ଏହି ସମୟରେ କେହି ବି ହସିପାରିବେ ନାହିଁ କିମ୍ବା କୌଣସି ଉତ୍ସବ ପାଳନ କରିପାରିବେ ନାହିଁ । ସେହିପରି ୧୧ ଦିନ ପାଇଁ ମଦ ପିଇବା ଉପରେ ମଧ୍ୟ ରୋକ ଲଗାଯାଇଛି । ଏହାର ଅର୍ଥ ୧୧ ଦିନ କାଳ ସାଧାରଣ ଲୋକ କିମ୍ବା ସରକାରୀ କର୍ମଚାରୀ ନିଜର ଖୁସି ଜାହିର କରିପାରିବେ ନାହିଁ । କିମ୍ ଜଙ୍ଗ ଇଲ ୧୯୯୪ରୁ ୨୦୧୧ ଡିସେମ୍ବର ୧୭ ଯାଏ ଉତ୍ତର କୋରିଆର ସୁପ୍ରିମ୍ ଲିଡର ଭାବେ କାମ କରିଥିଲେ । ଡିସେମ୍ବର ୧୭ ତାରିଖ ୨୦୧୧ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ଡିସେମ୍ବର ୧୭ ହୋଇଥିବାରୁ ସାରା ଦେଶରେ କିମ ଜଙ୍ଗ ଇଲ୍ ପାଇଁ ଶୋକ ପାଳନ କରାଯିବ । ସିନୁଇଜିଉର ଜଣେ ଲୋକ କହିଛନ୍ତି, ଜାତୀୟ ଶୋକ ସମୟରେ ଆମେ ହସିପାରିବୁ ନାହିଁ କି ମଦ ପିଇ ପାରିବୁ ନାହିଁ । କୌଣସି ପ୍ରକାରର ଉତ୍ସବ ପାଳନ କରାଯିବନି ।

ଡିସେମ୍ବର ୧୭ରେ ଲୋକମାନେ ଗ୍ରୋସରୀ ମଧ୍ୟ କିଣିପାରିବେ ନାହିଁ । ଏହି ଦିନ ସମସ୍ତେ କିଙ୍ଗ୍ ଜଙ୍ଗ ଇଲଙ୍କ ପାଇଁ ଶୋକରେ ବୁଡ଼ି ରହିବେ । ପୂର୍ବରୁ ମଧ୍ୟ କିଙ୍ଗ ଜଙ୍ଗ ଉନ୍ ଏପରି ନିର୍ଦ୍ଦେଶ ଦେଇଥିଲେ । ୧୧ ଦିନିଆ ଶୋକ ବେଳେ ଯଦି କେହି ମଦ ପିଇ କିମ୍ବା ଖୁସି ମନାଇ ଧରାପଡ଼ୁଥିଲେ, ତା’ହେଲେ ସେମାନଙ୍କୁ ଗିରଫ କରାଯାଇ କଠୋର ଦଣ୍ଡ ଦିଆଯାଉଥିଲା । ଗିରଫ ହେଉଥିବା ବ୍ୟକ୍ତିମାନଙ୍କୁ କେବେ ବି ସର୍ବସମ୍ମୁଖରେ ଆଉ ଦେଖିବାକୁ ମଧ୍ୟ ମିଳିନି । ୧୧ ଦିନିଆ ଶୋକ ସମୟରେ ଯଦି ପରିବାରର କେହି ପ୍ରାଣ ହରାନ୍ତି, ତା’ହେଲେ ତାଙ୍କ ପ୍ରିୟଜନମାନେ ଜୋରରେ କାନ୍ଦି ପାରିବେ ନାହିଁ । ଶୋକ ସମୟ ଶେଷ ହେବା ପରେ ହିଁ ଶବର ଅନ୍ତିମ ସଂସ୍କାର ହେବ । ଯଦି କାହାର ଜନ୍ମଦିନ ଏହି ୧୧ ଦିନିଆ ଶୋକ ସମୟସୀମା ମଧ୍ୟରେ ପଡ଼େ, ତା’ହେଲେ ଏଥିପାଇଁ କୌଣସି ଉତ୍ସବ କରାଯାଇ ପାରିବ ନାହିଁ । ଶୋକ ପାଳନ ସମୟରେ ପୋଲିସ୍ ପ୍ରଶାସନ ସବୁ ଲୋକଙ୍କ ଉପରେ ନଜର ରଖିବ । ଯଦି କେହି ବାସ୍ତବରେ ଶୋକରେ ବୁଡ଼ି ନଥିବେ, ତା’ହେଲେ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଦଣ୍ଡ ଦିଆଯିବ । ପୋଲିସ୍ କର୍ମଚାରୀମାନେ ରାତି ତମାମ ନ ଶୋଇ ଲୋକମାନେ ଶୋକ ପାଳନ କରୁଛନ୍ତି କି ନାହିଁ, ତା’ର ତଦାରଖ କରିବାର ନଜିର ପୂର୍ବରୁ ରହିଛି ।

Comments are closed.