୪-୫ଦିନ ଥରିବ ଓଡ଼ିଶା

63

-ବୟସ୍କ ଓ ଛୋଟପିଲାଙ୍କ ଯତ୍ନ ନେବାକୁ ପରାମର୍ଶ
-ସନ୍ଧ୍ୟାରୁ ରାତି ଓ ପାହାନ୍ତିଆରେ ଘରେ ରୁହନ୍ତୁ
-ପଶୁଙ୍କ ପାଇଁ ଆବଶ୍ୟକ ଘରର ବ୍ୟବସ୍ଥା କରନ୍ତୁ

ଭୁବନେଶ୍ୱର : କ୍ରମାଗତ ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ତଳକୁ ଖସିବାରେ ଲାଗିଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ ଆରମ୍ଭ ହୋଇଯାଇଥିବାରୁ ତାପମାତ୍ରା ହ୍ରାସ ହେଉଛି ଓ ଥଣ୍ଡାର ପ୍ରକୋପ ବଢ଼ିଛି । ଏଥି ସହିତ ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟର ତାପମାତ୍ରା ଆହୁରି ହ୍ରାସ୍ ପାଇବ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ । ଅନେକ ସହରରେ ରାତିର ତାପମାତ୍ରା ହ୍ରାସ ପାଇଛି । ଆଗକୁ ମଧ୍ୟ ରାଜ୍ୟରେ ଆହୁରି ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ବଢିବ
ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏଥି ସହିତ ପାଣିପାଗ ବିଭାଗ ମଧ୍ୟ ଅତ୍ୟଧିକ ଶୀତ ହେଉଥିବା ସମୟ ସନ୍ଧ୍ୟାରୁ ରାତ୍ର ଏବଂ ପାହାନ୍ତିଆ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି । ଶୀତରୁ ରକ୍ଷା ପାଇବା ପାଇଁ ଶୀତ ପୋଷାକ ସହ ଏକାଧିକ ପୋଷାକ ପରିଧାନ କରିବାକୁ କହିଛି । ଏଥି ସହିତ ଗୃହପାଳିତ ପଶୁମାନଙ୍କୁ ବାହାରେ ନରଖି ଘରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ଗତକାଲି ରାଜ୍ୟର ୮ଟି ସହରରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିଲା । ୬ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ଥିଲା ରାଜ୍ୟର ସବୁଠାରୁ ଥଣ୍ଡା ଅଞ୍ଚଳ । ୩ ଦିନ ହେବ ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହେଉଛି । ୨୨ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୨ ଡିଗ୍ରୀରୁ ୨ ଡିଗ୍ରୀ ଯାଏଁ ତଳକୁ ଖସିଛି । ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୦.୨ ଡିଗ୍ରୀରୁ ୧୩ ଡିଗ୍ରୀ ଯାଏଁ ତାପମାତ୍ରା ତଳକୁ ଖସିଛି ବୋଲି କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି । ଆହୁରି ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ତଳକୁ ଖସିବ । ଶୀତର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

Comments are closed.