ଭୟ ବଢ଼ାଉଛି ଓମିକ୍ରନ

70

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍ । ଭାରତରେ ମଧ୍ୟ କାୟା ବିସ୍ତାର କରିଚାଲିଛି । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ପାର କରିଛି । ସ୍ଥିତି ଉପରେ କଡ଼ା ନଜର ରଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ଆବଶ୍ୟକୀୟ ମେଡିସିନ୍ ମହଜୁଦ୍ ରଖାଯାଇଛି । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଛୁଇଁ ଥିବାବେଳେ ଦିଲ୍ଲୀରୁ ଆଉ ୪ଜଣଙ୍କୁ ମିଶାଇ ମୋଟ ୨୮ଜଣ ପଜିଟିଭ୍ ବାହାରିଲେଣି । ସେହିପରି ତେଲେଙ୍ଗାନାରେ ୨୦, ରାଜସ୍ଥାନ ୧୭, କର୍ଣ୍ଣାଟକ ୧୯, କେରଳ ୧୫, ଗୁଜରାଟ ୧୧ ଓ ୟୁପିରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦେଖି କିଛି ରାଜ୍ୟ କଟକଣାକୁ ବଢ଼ାଇଛନ୍ତି । ଗୁଜରାଟ ସରକାର ୮ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଡିସେମ୍ବର ୩୧ଯାଏଁ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣ ବଢ଼ୁଥିବାରୁ ଏଣିକି ସମସ୍ତ ପଜିଟିଭ୍ କେସ୍ର ଜିନୋମ ସିକ୍ୱେନ୍ସିଂ ରାଯିବ । ପୂର୍ବରୁ କେବଳ ରିସ୍କ କଣ୍ଟ୍ରି ଓ ବିଦେଶ ଫେରନ୍ତାଙ୍କ ଜିନୋମ ହେଉଥିଲା । ଏବେ କିନ୍ତୁ ସମସ୍ତ କୋଭିଡ୍ ଆକ୍ରାନ୍ତଙ୍କ ଜିନୋମ ସିକ୍ୱେନ୍ସିଂ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜରିୱାଲ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ବିଶେଷଜ୍ଞଙ୍କ ସହ ସରକାର ଯୋଗାଯୋଗ ରଖିଛନ୍ତି । ଆମ ପାଖରେ ପ୍ରଥମ ଓ ଦ୍ୱିତୀୟ ଲହରର ସମୟର ମୁକାବିଲା ଅଭିଜ୍ଞତା ରହିଛି । ଏଥର ମୁକାବିଲା ପାଇଁ ବିଶେଷ କିଛି ସମସ୍ୟା ହୋଇନପାରେ । ଓମିକ୍ରନ୍ ମୁକାବିଲା ପାଇଁ ଆବଶ୍ୟକୀୟ ସମସ୍ତ ଚିକିତ୍ସା ଉପକରଣ ମହଜୁଦ୍ ରହିଛି ।

ଓଡ଼ିଶା ସଜାଗ :

ଓମିକ୍ରନ୍ ପାଇଁ ସଜାଗ ରହିଛି ଓଡ଼ିଶା । ନୂଆ ଭାରିଆଣ୍ଟ ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ବିଦେଶ ଫେରନ୍ତା ୭ଜଣଙ୍କ ମଧ୍ୟରୁ ଚାରିଜଣଙ୍କ ରିପୋର୍ଟ ନେଗେଟିଭ୍ ବାହାରିଥିବା ବେଳେ ୩ଜଣଙ୍କ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ରିପୋର୍ଟ ଏଯାଏ ଆସିନାହିଁ । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଆମେ ନିୟମ ମାନି ଚଳିଲେ ତୃତୀୟ ଲହର ଆଶଙ୍କାକୁ ଏଡାଇ ଦେଇହେବ ବୋଲି ଡିଏମ୍ଇଟି କହିଛନ୍ତି ।

Comments are closed.