ଓଡ଼ିଶାର ଦୀର୍ଘତମ “ଟି-ସେତୁ’ ଲୋକାର୍ପିତ : ଉପକୃତ ହେବେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

70

କଟକ : ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ସୋମବାର ଲୋକାର୍ପିତ ହୋଇଯାଇଛି । ଏହି ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତୀକ୍ଷିତ ବିକାଶର ସେତୁ “ଟି-ସେତୁ’ର ଉଦଘାଟନ ହୋଇଛି । ଏହି ହାଇଲେଭଲ ସେତୁ କଟକ ବଡ଼ମ୍ବା ନରସିଂହପୁରର ଗୋପିନାଥପୁର-ସିଂହନାଥ ପୀଠ ଓ ବୈଦ୍ୟେଶ୍ୱରକୁ ସଂଯୋଗ କରିଛି । ଏହି ସେତୁ ହେବା ଦ୍ୱାରା ୪୫ କିଲୋମିଟର ଦୂରତା କମିଛି । ଯାହାଦ୍ୱାରା ଉପକୃତ ହେବେ ୫ ଲକ୍ଷ ଲୋକ । ସେତୁର ଲମ୍ବ ୩.୪ କିଲୋମିଟର ବା ୩ ହଜାର ୧୩୯ ମିଟର । କୃଷି, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଟିସେତୁ । ଏହାଦ୍ୱାରା ଐତିହାସିକ ଅସ୍ମିତାର ପ୍ରତୀକ ବାଙ୍କୀ ଓ ବଡମ୍ବାଗଡ ମଧ୍ୟରେ ସମ୍ପର୍କ ଅତି ନିକଟରୁ ବାନ୍ଧି ହୋଇଥିବା ଅଞ୍ଚଳର ବୁଦ୍ଧିଜୀବୀ, ସାହିତ୍ୟିକ ଏବଂ ଜନସାଧାରଣ ଉପଲବ୍ଧ କରିଛନ୍ତି । ଆଜି ଉଭୟ ବାଙ୍କୀ ଓ ବଡମ୍ବାଗଡର ପ୍ରବଳ ଜନସମାଗମ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସବକୁ ଦ୍ୱିଗୁଣିତ କରି ଉତ୍ସାହ ଓ ଉଦ୍ଧିପନା ବଢିଛି । ସକାଳ ୧୧ଟା ୧୫ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଗୋପୀନାଥପୁର ଠାରେ ଓହ୍ଲାଇ ସେତୁର ଶୁଭ ଉଦ୍ଦ୍ଘାଟନ କରିବା ସହିତ ଏକ ସଂକ୍ଷିପ୍ତ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ପରେ ପରେ ଏହି ସେତୁରେ ମୁଖ୍ୟମନ୍ତ୍ରୀ କାର ଯୋଗେ ଯାତ୍ରା କରି ବୈଦେଶ୍ୱର ପାଶ୍ୱର୍ରେ ପୋଲର ଲୋକାର୍ପଣ କରି ବାଙ୍କୀବାସୀଙ୍କୁ ସ୍ୱାଗତ କରିଥିଲେ ।

ସୂଚନା ଅନୁଯାୟୀ ୨୦୧୪ ଫେବୃୟାରୀ ୨୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିବା ବୈଦେଶ୍ୱର-ଗୋପୀନାଥପୁର ଦୀର୍ଘତମ ସେତୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସେତୁ ନିର୍ମାଣ ଶେଷ ହେବା ସହିତ ବଡମ୍ବା ଓ ବାଙ୍କୀ ବୈଦେଶ୍ୱର ମଧ୍ୟରେ ସମ୍ପର୍କ ଯୋଡିଛି । ମଧ୍ୟଯୁଗୀୟ ସ୍ଥାପିତ କଳାର ନିଦର୍ଶନ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠକୁ ଯୋଡିବା ସହିତ ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ କରିବାର ସୁଯୋଗ ଯୋଡିଛି ଟି-ସେତୁ । ସେତୁ ଉଦ୍ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସେତୁ ବୁଲି ଦେଖିବା ସହ ସେତୁରୁ ମହାନଦୀର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ । ନିଜର ପ୍ରିୟନେତା ଅଞ୍ଚଳକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଥରେ ଦେଖିବାକୁ ଲୋକଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥିଲା । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି । ମୁଖ୍ୟମନ୍ତ୍ରୀ ସେତୁ ଲୋକାର୍ପଣ ପାଇଁ ପହଞ୍ଚିବା ପରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚଳ । ହାତ ହଲାଇ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ସ୍ଥାନୀୟ ତଥା ବାଙ୍କୀ ଅଞ୍ଚଳର ବହୁ ବୁଦ୍ଧିଜିବୀ, ମହିଳା ଏବଂ ବିଜୁ ଜନତା ଦଳର ବରିଷ୍ଠ ପଞ୍ଚାୟତିରାଜ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି ବହୁ ପ୍ରତୀକ୍ଷିତ ଟି-ସେତୁର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ସ୍ୱାଗତ କରିଥିଲେ ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବାଙ୍କୀ ଅଞ୍ଚଳର ୨୦ହଜାରରୁ ଅଧିକ ସଂଖ୍ୟକ ଜନସାଧାରଣ ଓ ବିଜେଡି କର୍ମୀ ଦିଶାପଡିଆ ନିକଟରେ ଉପସ୍ଥିତ ଥିଲେ । ଦିଶା ପଡିଆଠାରେ ପ୍ରସ୍ତୁତ ଥିବା ହେଲିପ୍ୟାଡ୍ ନିକଟରେ ପୋଲିସ ସୁରକ୍ଷା ବଳୟରେ ହଜାର ହଜାର ବିଜେଡି କର୍ମୀ ଓ ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ବୈଦେଶ୍ୱରଗୋପ ୀନାଥପୁର ସେତୁର ଲୋକାର୍ପଣ କରି କାରରେ ବୈଦେଶ୍ୱର ଦିଶାପଡିଆକୁ ଆସୁଥିଲା ବେଳେ ବୈଦେଶ୍ୱରଠାରେ ଫଳକକୁ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ ଦିଶା ପଡିଆ ଚତୁପାଶ୍ୱର୍ରେ ଅପେକ୍ଷା କରିଥିବା ଜନସାଧାରଣଙ୍କୁ ନିଜ କାର ଭିତରେ ରହି ହେଲିପ୍ୟାଡରୁ ଶୁଭେଚ୍ଛା ଜଣାଉଥିଲେ । ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି. କେ ପଣ୍ଡିଆନ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ତହସିଲଦାର ସତ୍ୟବ୍ରତ ସ୍ୱାଇଁ,ଡମପଡା ତହସିଲଦାର କ୍ଷୀତିସ ବେହେରା ଓ ଏସପି ବି.ଯୁଗଲ କିଶୋର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.