ଲୋକସଭାରେ ବିଲ୍ ପାସ୍ : ଆଧାର ସହ ଲିଙ୍କ୍ ହେବ ଭୋଟର ଆଇଡି

76

ନୂଆଦିଲ୍ଲୀ : ବିରୋଧ ସତ୍ତେ୍ୱ ଆଜି ଲୋକସଭାରେ ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ପାରିତ ହୋଇଛି । ଏହାର ଅର୍ଥ ଭୋଟର କାର୍ଡ ସହ ଆଧାର ଲିଙ୍କ ପାଇଁ କେନ୍ଦ୍ର ସରକାର କରୁଥିବା ଯୋଜନା ଆଉ ଗୋଟିଏ ପାଦ ଆଗେଇଛି । ଲୋକସଭାରେ ବିଲ୍ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ । ଆଜି ଲୋକସଭାରେ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ନିର୍ବାଚନୀ (ସଂଶୋଧନ) ଆଇନ୍ ବିଲ-୨୦୨୧ ଆଗତ କରିଥିଲେ । ବାଚନିକ ଭୋଟରେ ଏହି ବିଲ ଲୋକସଭାରେ ପାରିତ ହୋଇଛି । ତେବେ ଲୋକସଭାରେ ଏହି ବିଲକୁ କଂଗ୍ରେସ, ଏଆଇଏମଆଇଏମ, ବିଏସପି ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା । ମୁଖ୍ୟତଃ ଏହି ବିଲ ଯୋଗୁ ନାଗରିକର ଗୋପନୀୟତା ଅଧିକାର ଉଲ୍ଲଂଘନ ହେବ ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ । ସେମାନେ ଏହି ବିଲ ଅସାମ୍ବିଧାନିକ କହିବା ସହ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । କିନ୍ତୁ ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍ ପାସ୍ ହୋଇଛି । ବିରୋଧୀଙ୍କ ସବୁ ଦାବିକୁ ଭିତ୍ତିହୀନ ବୋଲି ବିଲ୍ ଉପସ୍ଥାପନ ବେଳେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି । ଏଥିସହ ସେ କହିଥିଲେ ଯେ ଷ୍ଟାଣ୍ଡିଂ କମିଟିର ବିଭିତ୍ତ ପ୍ରସ୍ତାବକୁ ଏହି ବିଲରେ ଅନ୍ତର୍ଭୁକ୍ତ କରାଯାଇଛି । ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବିଲର ମୁଖ୍ୟ ଭୂମିକା ରହିବ ବୋଲି ସେ କହିଥିଲେ । ବିଲ୍ ପାସ୍ ହେବା ପରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା । ତେଣୁ ବାଚସ୍ପତି ଗୃହ କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ନିର୍ବାଚନୀ ସଂସ୍କାର ବିଲକୁ ମଞ୍ଜୁରି ମିଳିଥିଲା । ଦେଶରେ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଏହାକୁ ଅଧିକ ସରଳ କରିବା ପାଇଁ ବିଲରେ ଅନେକ ବ୍ୟବସ୍ଥା ରହିଛି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଆଧାର ସହ ଭୋଟର ପରିଚୟ ପତ୍ରକୁ ଲିଙ୍କ୍ କରାଯିବ । ଏଥିପାଇଁ ଭାରତର ନିର୍ବାଚନ ଆୟୋଗ ବାରମ୍ବାର କହି ଆସୁଥିଲେ । ଭୋଟର ଭାବେ ନିଜର ପଞ୍ଜିକୃତ କରିବା ପାଇଁ ୧୮ ବର୍ଷରେ ପାଦ ଦେଉଥିବା ଯୁବକଙ୍କୁ ବର୍ଷକରେ ଥରେ ଅର୍ଥାତ ଜାନୁଆରୀ ୧ରେ ସୁଯୋଗ ମିଳୁଥିଲା । କିନ୍ତୁ ଏବେ ବର୍ଷକ ୪ଥର ସେମାନଙ୍କୁ ଭୋଟର ଭାବେ ପଞ୍ଜିକରଣ ପାଇଁ ସୁଯୋଗ ମିଳିବ । ଜାନୁଆରୀ ୧ ସହ ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ରେ ପଞ୍ଜିକରଣ ପାଇଁ ସୁବିଧା ଯୋଗାଇ ଦିଆଯିବ ।

Comments are closed.