ଓଡିଶାର ହିମାଳୟ ପୁରାଣ ପ୍ରସିିଦ୍ଧ ମହେନ୍ଦ୍ରଗିରିରେ ପାରଦ ୪ଡିଗ୍ରୀ

0 72

ତଥାପି ଶୀତଭରା ପ୍ରାକୃତିକ ମନୋରମ ଉପଭୋଗ କରୁଛନ୍ତି ପର୍ଯ୍ୟଟକ



ପାରଳାଖେମୁଣ୍ଡି, ୨୨ା୧୨ : ଓଡିଶାର ହିମାଳୟ, ପୁରାଣ ପ୍ରସିଦ୍ଧ ପବିତ୍ର ଶୈବପୀଠ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଅଞ୍ଚଳରେ ବର୍ତ୍ତମାନ ପାରଦ ୪ରୁ୫ଡିଗ୍ରୀ ସେଲସିୟସ ରହିଥିବାର ସୂଚନା ମିଳିଛି । ଏଥି ଯୋଗୁଁ ସମଗ୍ର ମହେନ୍ଦ୍ରଗିରି ଅଞ୍ଚଳରେ ପ୍ରବଳ ଶୀତ ବା ଜାଡରେ ଲୋକେ ଥରି ଉଠୁଥିବାର ଜଣାଇଛନ୍ତି । ତଥାପି ଓଡିଶା, ଆନ୍ଧ୍ର ଏବଂ ଅନ୍ୟାନ୍ୟ ରାଜ୍ୟରୁ ଶୀତଭରା ପ୍ରାକୃତିକ ମନୋରମ ପରିବେଶକୁ ଉପଭୋଗ କରିବାପାଇଁ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ଓଡିଶାର ଏହି ପବିତ୍ର ଶୈବପୀଠ ଓ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ରରେ ରହିଛି ବହୁ ପୁରାତନ ପଞ୍ଚୁପାଣ୍ଡବଙ୍କ ବିଭିନ୍ନ ମନ୍ଦିର ଓ ଗୁମ୍ଫା, ପର୍ଶୁରାମଙ୍କ ପ୍ରତିମୂତ୍ତୀ ଓ ଗୋକର୍ଣ୍ଣେଶ୍ୱର ମନ୍ଦିର ଆଦି ସହ ମହେନ୍ଦ୍ରାଶ୍ରମ ରହିଛି । ଏହି ମହେନ୍ଦ୍ରାଶ୍ରମରେ ସାଧୁ, ସନ୍ଥମାନେ ରହି ଯୋଗ, ତପ, ହୋମ ଯଜ୍ଞ ଆଦିସହ ମହେନ୍ଦ୍ରଗିରିର ପ୍ରାକୃତିକ ପରିବେଶ ସହ ମନ୍ଦିର ଗୁଡିକର ସୁରକ୍ଷା ପାଇଁ ସେବା ପ୍ରଦାନ କରିଆସୁଛନ୍ତି । ମହେନ୍ଦ୍ରାଶ୍ରମର ମୁଖ୍ୟ ସାଧୁ ଲକ୍ଷ୍ମୀବାବା କହିଛନ୍ତି ଚଳିତବର୍ଷର ଶୀତ ମୁଁ ଜାଣିବାରେ ଏଥି ପୂର୍ବରୁ କେବେ ଅନୁଭୂତ ହୋଇନାହିଁ । ବର୍ତ୍ତମାନ ୪ରୁ ୫ ଡିଗ୍ରୀ ସେଲସିୟସ ମଧ୍ୟରେ ମହେନ୍ଦ୍ରଗିରିରେ ଶୀତର ପ୍ରକୋପ ରହିଛି । ପ୍ରବଳ ହାଡଭଙ୍ଗା ଶୀତରେ ମହେନ୍ଦ୍ରଗିରି ଅଞ୍ଚଳରେ ବସବାସ କରୁଥିବା ବନବାସୀମାନେ ଶୀତରେ ଥରି ଉଠୁଛନ୍ତି । ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ବନବାସୀମାନେ ଜଙ୍ଗଲରେ ପଡିଥିବା ଶୁଖିଲା କାଠ ଜାଳି ଶୀତ ଦାଉରୁ ମୁକ୍ତି ପାଉଛନ୍ତି । ମହେନ୍ଦ୍ରାଶ୍ରମରେ ରହୁଥିବା ସାଧୁସନ୍ଥମାନେ ପ୍ରତ୍ୟେକ ଦିନ ଭଳି ଚଳିତ ପ୍ରବଳ ହାଡଭଙ୍ଗା ଶୀତ ସତ୍ତେ୍ୱ ଭୋର ସକାଳୁ ଉଠି ସ୍ନାନ ଶୌଚ ସାରି ପୂଜାପାଠ, ଯୋଗ, ଧ୍ୟାନ, ହୋମ ଯଜ୍ଞ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି । ଚଳିତ ବର୍ଷର ଶୀତର ପ୍ରକୋପ ଯେପରି ଭାବେ ବୃଦ୍ଧିପାଇଛି ଠିକ୍ ସେପରି ଭାବେ ମହେନ୍ଦ୍ରଗିରିର ପ୍ରାକୃତିକ ଶୋଭା ମଧ୍ୟ ବିଶେଷ ଭାବେ ବୃଦ୍ଧି ପାଇଛି । ଭୋର ସକାଳୁ ମହେନ୍ଦ୍ରଗିରି ଶିଖରରେ ଯେ କୌଣସି ବ୍ୟକ୍ତି ଠିିଆ ହେଲେ ବାଦଲ ଛୁଇଁ ଯାଉଛି । ଯେପରି ଜଣେ ପର୍ଯ୍ୟଟକ ବାଦଲ ମଧ୍ୟରେ ଘୂରି ବୁଲୁଥିବା ମନେ ହେଉଛି । ଠିକ୍ ସେହିପରି ଘନ କୁହୁଡି ଯୋଗୁଁ ମହେନ୍ଦ୍ରଗିରିର ସବୁଜ ବନାନୀ ଓ ବୃକ୍ଷଲତା ଆଦିର ଦୃଶ୍ୟ ଅତିବ ମନୋହର ଅଟେ । ମୋଟି ମୋଟି ଭାବେ କହିବାକୁ ଗଲେ ଚଳିତ ବର୍ଷର ହାଡଭଙ୍ଗା ଶୀତ ସତ୍ତେ୍ୱ ପର୍ଯ୍ୟଟକ ଓ ଭକ୍ତଙ୍କ ସୁଅ ଅନ୍ୟଦିନ ମାନଙ୍କ ଭଳି ଲାଗି ରହିଛି । ଅବଶ୍ୟ ଏମାନେ ସକାଳ ୯ଘଣ୍ଟା ପରେ ମହେନ୍ଦ୍ରଗିରିରେ ପହଞ୍ôଚ ପଞ୍ଚୁପାଣ୍ଡବଙ୍କ ମନ୍ଦିର, ଗୋକର୍ଣ୍ଣେଶ୍ୱର ମନ୍ଦିର ଆଦିରେ ପୂଜାପାଠ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଅପରାହ୍ନ ୪ଘଣ୍ଟା ପରେ ମହେନ୍ଦ୍ରଗିରିରୁ ଫେରିଯାଆନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ମହେନ୍ଦ୍ରଗିରି ଏପରି ଏକ ଅଭୂଲା ଆକର୍ଷଣୀୟ ଅଞ୍ଚଳ ଯେଉଁ ଠାରେ କି ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ବର୍ଷର ସମସ୍ତ ଋତୁ ନିଶ୍ଚିତ ଭାବେ ଅନୁଭୁତ କରିପାରିବେ । ତେଣୁ ପର୍ଯ୍ୟଟନ ମାନଚିତ୍ରରେ ମହେନ୍ଦ୍ରଗିରିର ସ୍ୱତନ୍ତ୍ରତା ରହିଆସିଛି ।

Leave A Reply

Your email address will not be published.