ଦିଲ୍ଲୀରେ ହୋଟେଲରେ ବସି ଖାଇବା ମନା !

0 65

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋଭିଡ୍‌ର ମାରାତ୍ମକ ସ୍ଥିତିକୁ ନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସମୀକ୍ଷା ବୈଠକ ଶେଷ ହୋଇଛି। କଟକଣା ସତ୍ତ୍ୱେ ଦିଲ୍ଲୀ ସ୍ଥିତି ଅଣାୟତ୍ତ ଥିବାରୁ ଆଉ କିଛି ପ୍ରତିବନ୍ଧକ ଲାଗୁ କରାଯିବା ନେଇ ବିଚାର କରାଯାଉଛି। ସମ୍ଭାବ୍ୟ ନିୟମ ଅନୁଯାୟୀ ଦିଲ୍ଲୀର ରେଷ୍ଟୁରାଣ୍ଟରେ ବସିକି ଖାଇବା ମନା ହୋଇପାରେ। କିନ୍ତୁ ହୋମ ଡେଲିଭରି ସୁବିଧା ରହିବ।  ଗତକାଲି ଦିଲ୍ଲୀରେ ୨୨ ହଜାରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିଲେ।  ଦିଲ୍ଲୀ ହେଲଥ ବୁଲେଟିନ୍ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨,୭୫୧ଟି ନୂଆ ମାମଲା  ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଏଥିସହ ପଜିଟିଭିଟି ହାର ୨୩.୫୩ ପ୍ରତିଶତ ପହଞ୍ଚିଛି। ମେ’୧ ପରେ ଦିନକରେ ରାଜଧାନୀରେ ଏହା ହେଉଛି ସର୍ବାଧିକ ମାମଲା । ଏହା ପୂର୍ବରୁ ଗତ ମେ’ ୭ରେ ସର୍ବାଧିକ କରୋନା ମାମଲା ରେକର୍ଡ଼ ହୋଇ ଥିଲା। ଗତ ୨୪ଘଣ୍ଟା ମଧ୍ୟରେ ୧୭ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଜୁନ୍ ୧୬ ପରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ପଡୋଶୀ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ଦିଲ୍ଲୀରେ କୋଭିଡ୍ ମାମଲା ବଢ଼ୁଛି। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲକଡାଉନ୍ ସପକ୍ଷରେ ନଥିବା କହିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ସେ କେନ୍ଦ୍ର ସରକାରଙ୍କ ସହ ସେ ନିରନ୍ତର ଯୋଗାଯୋଗରେ ଅଛନ୍ତି।  କେନ୍ଦ୍ର ସମ୍ପୂର୍ଣ୍ଣ ସହଯୋଗ କରୁଛି। ପୂର୍ବରୁ ଦିଲ୍ଲୀ ଲୋକମାନେ କରୋନାର ସଫଳ ମୁକାବିଲା କରିଛନ୍ତି।  ଏଥର ମଧ୍ୟ ଦିଲ୍ଲୀବାସୀ ସଙ୍କଟରୁ ଉଦ୍ଧାର ପାଇପାରିବେ ବୋଲି  ସେ ଆଶା ରଖିଛନ୍ତି।  ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.