ବୁଲାଣିଆ ବିପଦପୂର୍ଣ୍ଣ ଘାଟିରେ ଘରୋଇ ବସ୍ ଦୁର୍ଘଟଣା

0 66


ପାରଳାଖେମୁଣ୍ଡି, ୨୧ା୧ : ଗଜପତି ଜିଲ୍ଲାର ବିପଦପୂର୍ଣ୍ଣ ବୁଲାଣିଆ ଘାଟିରେ ଆଜି ଭୋର ସକାଳୁ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ କେହି ମୃତହତ ହୋଇନାହାନ୍ତି । ତଥାପି ଡ୍ରାଇଭର ସମେତ ୧୪ଜଣ ଆହତ ହୋଇ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଆସୁଥିବା “ଇସ୍ପାତ” ନାମକ ଏକ ଘରୋଇ ବସ୍ ଆଜି ଭୋର ୫ ଘଣ୍ଟା ସମୟରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ରାଶିବାଡି ଘାଟି ଓହ୍ଲାଇ ତଳଘାଟି ନିକଟରେ ବିପଦପୂର୍ଣ୍ଣ ବୁଲାଣିଆ ରାସ୍ତା ଅତିକ୍ରମ କରୁ ଥିବା ବେଳେ ହଠାତ୍ ବସଟିର ବ୍ରେକ ଫେଲ ହୋଇଯିବା ଯୋଗୁଁ ବସ୍ ଡ୍ରାଇଭର ଭାରସାମ୍ୟ ରକ୍ଷା କରିପାରିନଥିଲେ । ଯଦ୍ୱାରା ବସଟି ମୁଖ୍ୟ ରାସ୍ତାରୁ ତଳଘାଟିର ସାମାନ୍ୟ ତଳକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ଗାଡିରେ କଣ୍ଡକ୍ଟର, ହେଲପର, ଡ୍ରାଇଭରଙ୍କୁ ଛାଡି ମୋଟ ୧୩ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଓ ଗାଡି କର୍ମଚାରୀ ଆହତ ହୋଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗୁରୁତର ଆଘାତ ଲାଗିଥିବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ ସଦଳବଳେ ପହଞ୍ôଚ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଖବର ଲେଖିବା ସୁଦ୍ଧା ଚିକିତ୍ସିତ ହେଉଥିବା ସମସ୍ତ ଯାତ୍ରୀ ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତଙ୍କ ଅବସ୍ଥା ବିପଦ ମୁକ୍ତ ଥିବାର ଜଣାପଡିଛି ।

Leave A Reply

Your email address will not be published.