୨୪ଟି ଚୋରା ମୋଟରସାଇସେଲ ଜବତ, ୭ ଗିରଫ

0 72

ପାରଳାଖେମୁଣ୍ଡି : ଗଜପତି ପୋଲିସକୁ ବଡ ଧରଣର ସଫଳତା ମିଳିଛି । ସେରଙ୍ଗ ପୋଲିସ ଦ୍ୱାରା ୨୪ ଗୋଟି ଚୋରା ମୋଟରସାଇକେଲ ଜବତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଖବରଦାତା ସମ୍ମିଳନୀରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ସୂଚନା ଦେଇଛନ୍ତି । ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ଆଭିର୍ଭାବ ଭଳି ଗୁରୁବାର ମଧ୍ୟାହ୍ନ ସମୟରେ ଖଜୁରୀପଦା ଫାଣ୍ଡି ଅଧିକାରୀ ଏସ୍ଆଇ ଡି.ଗଜପତି ଦୋରା ଏବଂ ତାଙ୍କ ଟିମ୍ ସେରଙ୍ଗ ଥାନା ଅନ୍ତର୍ଗତ ରୁଇସିଂ ଛକ ଠାରେ ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମ ଚଳାଇଥିଲେ । ଏହି ସମୟରେ ହରି ଦଳବେହେରା (୨୦) ନାମକ ଜଣେ ଯୁବକ ଏକ ନୀଳ ରଙ୍ଗର ଗ୍ଲାମୋର ବାଇକ ଯୋଗେ ଯାଉଥିବା ବେଳେ ତାଙ୍କୁ ଅଟକାଇ ବାଇକର କାଗଜପତ୍ର ମାଗିଥିଲେ । ଆବଶ୍ୟକ କାଗଜପତ୍ର ଦେଖାଇପାରି ନଥିବାରୁ ଇ-ଚାଲାଣ ମାଧ୍ୟମରେ ଜରିମାନା ଆଦାୟ ପାଇଁ ଚାଲାଣ କାଟିଥିଲେ । ଏହି ଇ-ଚାଲାଣ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରର ଯିଏକି ପ୍ରକୃତ ଗାଡିମାଲିକ ଶିଶିରକାନ୍ତ ମହାରଣାଙ୍କ ନିକଟକୁ ପ୍ରେରିତ ହୋଇଥିଲା । ଏହା ଏସ୍ଆଇ ଦୋରା ଜାଣିବା ପରେ ତୁରନ୍ତ ହରି ଦଳବେହେରାଙ୍କୁ ଅଟକ ରଖି ତଦନ୍ତ କରିଥିଲେ । ହରି ଦଳବେହେରାଙ୍କ ରାୟଗଡ ଜିଲ୍ଲା ଅନ୍ତର୍ଗତ ଅବାସିଂ ଗ୍ରାମ ଅଟେ ଏବଂ ସେ ଧରିଥିବା ବାଇକଟି ଗତ ମାର୍ଚ୍ଚ ୨୦୨୧ରେ ଚୋରି ହୋଇଯାଇଥିବାର ଜାଣିବାକୁ ପାଇଥିଲେ ପୋଲିସ ଟିମ୍ । ଏହାପରେ ହରିଙ୍କ ଠାରୁ ସମସ୍ତ ତଥ୍ୟ ଓଗାଳି ଥିଲେ ପୋଲିସ । ତୁରନ୍ତ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ ଏନେଇ ୩ଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରି ରାୟଗଡ ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ହରିଦଳବେହେରାଙ୍କ ସମେତ ୭ଜଣଙ୍କୁ ଗିରଫ କରିବା ସହ ୨୪ଗୋଟି ଚୋରା ମୋଟର ସାଇକେଲ ଜବତ କରିବାରେ ସକ୍ଷମ ହୋଇଥିଲେ । ଏହି ୭ଜଣିଆ ଚୋରା ଟିମ୍ରେ ହରି ଦଳବେହେରା ଓ ଗଂଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ରଥ ସାହି ତଥା ବ୍ରହ୍ମପୁରର ଶାସ୍ତ୍ରୀନଗର ନିବାସୀ ସୁଶାନ୍ତ ସାମଲ ଉଭୟେ ବିଭିନ୍ନ ସ୍ଥାନରୁ ଗାଡି ଚୋରି କରି ନେଉଥିବା ବେଳେ ବାଇକ ଗୁଡିକର ଜାଲ ଦସ୍ତାବିଜ ପ୍ରସ୍ତୁତ କରିବାପାଇଁ ରାୟଗଡ ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଲିମାଳିଗୁଡା ଗ୍ରାମର ଶ୍ରୀକାନ୍ତ ପାଲ୍ (୩୦), ପାରଳାଖେମୁଣ୍ଡି ସହର ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଥିବା ବାଲାଜୀ କଲ୍ୟାଣ ମଣ୍ଡପ ସାହି ନିବାସୀ କାଳିଆ ଓରଫ ବାଘେଶ୍ୱର ଅଧିକାରୀ (୩୨) କାର୍ଯ୍ୟ କରୁଥିଲେ । ସେହିପରି ଚୋରା ବାଇକ ଗୁଡିକୁ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ପାପଡ ଗ୍ରାମର ଇସ୍ରାଏଲ ରଇତ, ରାୟଗଡ ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରଅଭିନାଶ ଓରଫ ଅନାମ ଶବର (୨୬) ଓ ପୁଟାସିଂଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ତମଳ ସାହି ନିବାସୀ ଶରତ ଶବର (୩୪) ଗ୍ରହଣ କରିଥିବାର ଜଣାପଡିଥିଲା । ସମସ୍ତ ଘଟଣା ଖୁବ୍ କମ ସମୟରେ ପରଦାଫାସ କରିବାରେ ଗଜପତି ପୋଲିସ ସଫଳତା ହାସଲ କରିଛି । ଏହି ବାଇକ ଚୋର ଗ୍ୟାଙ୍ଗ ବିରୁଦ୍ଧରେ ସେରଙ୍ଗ ଥାନାରେ ୮/୨୨ରେ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାରେ ଆହୁରି ସମ୍ପୃକ୍ତି ଥିବାକୁ ନେଇ ଆଗକୁ ଆହୁରି ତଦନ୍ତ ଚାଲୁ ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.