କୋଣାର୍କରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ

0 74

କୋଣାର୍କ : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ଥିବା କୋଣାର୍କ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ନିଯୁକ୍ତ ଅଧିକାରୀଙ୍କ ଅନ୍ୟତ୍ର ବଦଳି ହେବା ପରେ ଦାୟିତ୍ବରେ ଥିବା ଅଧିକାରୀ ମନୋମୁଖୀ ଓ ଖାମଖିଆଲି ମନୋଭାବ ଯୋଗୁଁ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି। ଖବରରୁ ପ୍ରକାଶ ଯେ ସୋମବାର ପୂର୍ବାହ୍ନ ୧୦ଟା ସମୟରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ବ ଗୋଚାଷୀ ଗୋବର ପରୀକ୍ଷା, ଗାଇଗୋରୁ ମାନଙ୍କ ଅନ୍ୟାନ୍ୟ ସମସ୍ଯା ନେଇ କୋଣାର୍କ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ। ମାତ୍ର ଦାୟିତ୍ବରେ ଥିବା ଅଧିକାରୀ ଅଫିସ ଆସିନଥିବା ବେଳେ ଅଫିସରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଗୋଚାଷୀ ମାନେ ନିରାଶ ହୋଇ ଫେରିଯାଇଥିଲେ। ପୂର୍ବରୁ ଥିବା ଅଧିକାରୀ ସମୟରେ ଗୋସେବା ସୁଚାରୁରୂପେ ସଂପାଦନ ହେଉଥିଲା ବେଳେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଗୋସେବା ପ୍ରତି ଅନାଦାର ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଏହି ଅଧିକାରୀ ଜଣକ ପଶୁ ସମ୍ପଦ ବିଭାଗ ପକ୍ଷରୁ ପ୍ରଦତ୍ତ ଭ୍ରାମ୍ୟମାଣ ଗୋସେବା ଭ୍ଯାନ ନେଇ ନିଜ କାମରେ ବୁଲିବା ଘରୋଇ ସେବା କରି ମୁନାଫା ଉଠାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ସଂପୃକ୍ତ ଅଧିକାରୀ ବନାଖଣ୍ଡି ଗ୍ରାମପଞ୍ଚାୟତରେ  ଗୋସେବା କାର୍ଯ୍ୟ ନାଁରେ ଅଫିସରୁ ବାହାରି ବ୍ଯକ୍ତିଗତ କାମରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଭ୍ଯାନ ବ୍ୟବହାର କରିବା ଘଟଣା ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇଥିଲା। କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳୀରେ ଥିବା ପ୍ରାଣୀ ଚିକିତ୍ସାଳୟ ଉପରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ଶତାଧିକ ଗୋଚାଷୀ ନିର୍ଭର କରିଥାନ୍ତି। ଗୋସେବା ଆଳରେ ବ୍ଯକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିବା ଏବଂ ଗୋଚାଷୀ ମାନଙ୍କୁ ଚିକିତ୍ସା ପ୍ରଦାନ କରିବାରେ ଅହେତୁକ ବିଳମ୍ବ କରୁଥିବା ବର୍ତ୍ତମାନ ଦାୟିତ୍ବରେ ଥିବା କୋଣାର୍କ ପ୍ରାଣୀ ଚିକିତ୍ସକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଅଂଚଳବାସୀଙ୍କ ସମେତ ଗୋପ୍ରେମୀ ମହଲରେ ଦାବି ହେଉଛି। ତୁରନ୍ତ କୋଣାର୍କରେ ଗୋସେବାର ସଫଳ ରୂପାୟନ ପାଇଁ ସ୍ଥାୟୀ ପ୍ରାଣୀ ଚିକିତ୍ସକ ନିଯୁକ୍ତି ପାଇଁ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ, ସଚିବ, ୫ଟି ସଚିବ, ବିଭାଗୀୟ ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ କୋଣାର୍କ ଅଂଚଳବାସୀମାନେ ଦାବି କରିଛନ୍ତି।

Leave A Reply

Your email address will not be published.