ଲର୍ଜରୁ ୫୬କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ, ୩ ଗିରଫ

0 54

ପାରଳାଖେମୁଣ୍ଡି,୧୫ା୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ଠାରେ ଥିବା ଗଣେଶ ଲର୍ଜରୁ ଗତକାଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଚଢାଉ କରି ୫୬କେଜି ୯୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଗିରଫ କରିଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ସହରର ମାର୍କେଟ ଛକ ଠାରେ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇଥିଲେ । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଗଣେଶ ଲର୍ଜର ୧୦୩ କୋଠା ଉପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସହକାରୀ ତହସିଲଦାର ବିପିନ ଲିମାଙ୍କ ଉପସ୍ଥିତିରେ ଚଢଉ କରିଥିଲେ । ଚଢଉ ସମୟରେ ଉଲ୍ଲେଖିତ କୋଠାରେ ୩ଜଣ ଯୁବକଙ୍କୁ ପଚରା ଉଚରା କରିଥିଲେ । ଏହି ପଚରା ଉଚରା ସମୟରେ ସେମାନେ ସ୍ୱୀକାର କରିଥିଲେ ଯେ, ଗଞ୍ଜେଇ ଗୁଡିକୁ ମୋହନା ଅଞ୍ଚଳରୁ ଆଣିଥିଲେ ଏବଂ ଏହାକୁ ରାଉରକେଲା ସହରକୁ ଚାଲାଣ କରିବା ପ୍ରକାଶ କରିଥିଲେ । ପରେ ଦୁଇ ଗୋଟି ଜରି ବ୍ୟାଗ ଭର୍ତ୍ତି ଗଞ୍ଜେଇ ଦେଖି ଜବତ କରାଯାଇଥିଲା । ଏହାର ଓଜନ କରିବା ପରେ ମୋଟ ୫୬କେଜି ୯୦୦ଗ୍ରାମ ଗଞ୍ଜେଇ ଥିବାର ଜଣାପଡିଥିଲା । ଘଟଣାରେ ସମ୍ପୃକ୍ତ ୩ଯୁବକଙ୍କୁ ଉକ୍ତ କୋଠାରୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୨ଗୋଟି ସ୍ମାର୍ଟ ଫୋନ୍, ମୋଟ ନଗଦ ୨୧୫୦ଟଙ୍କା, ୨ଗୋଟି ଏଟିଏମ୍ କାର୍ଡ, ପାନକାର୍ଡ, ଆଧାରକାର୍ଡ ଆଦିକୁ ଜବତ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଗିରଫ ୩ ଯୁବକ ମାନେ ହେଲେ ଏହି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ପୋଇପଦା ଗ୍ରାମର ବାପୁନୀ ନାୟକ (୧୯), ଜୁନେଶ ପ୍ରଧାନ (୨୨) ଓ ରାଜା ନାୟକ (୨୫) । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୩୦/୨୨ରେ ଏକ ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇ ଆସନ୍ତା କାଲି କୋର୍ଟକୁ ଚାଲାଣ କରାଯିବ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏକ ପ୍ରେସବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି ।

Leave A Reply

Your email address will not be published.