ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ; ପାରଦ ଛୁଇଁବ ୪୪ ଡିଗ୍ରୀ

Summer heat on the thermometer
0 69

ଭୁବନେଶ୍ୱର ୩୧“.୩: ଆସନ୍ତା ୨ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହେବ । କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ଛୁଇଁବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ୩ ତାରିଖ ସୁଦ୍ଧା ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ପାଣିପାଗବିତ୍‌ । ଗୁରୁବାର ଓ ଶୁକ୍ରବାର ସାରା ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଭଳି ପାଗ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍‌ଡି । ତେଣୁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗୀଣା ବ୍ୟକ୍ତିମାନଙ୍କୁ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ବାରଣ କରିଛନ୍ତି । ଏହି ସମୟରେ ବାହାରକୁ ବାହାରିବା ବେଳେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି । ବୁଧବାର ରାଜ୍ୟର ୮ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ୪୨.୭ ଡିଗ୍ରୀ ସେଲସିୟସ୍‌ ସହ ଟିଟିଲାଗଡ଼ ରାଜ୍ୟରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବଲାଙ୍ଗୀରରେ ୪୨.୫, ସୋନପୁରରେ ୪୧.୯, ଝାରସୁଗୁଡ଼ାରେ ୪୧.୨, ବୌଦ୍ଧରେ ୪୧, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ ସାମାନ୍ୟ କମ ରହିଥିଲା । ରାଜଧାନୀ ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୪.୮ ଡିଗ୍ରୀ ସେଲସିୟସ୍‌ ଥିବା ବେଳେ କଟକରେ ୩୮.୧ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ । ମାତ୍ର ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମ ରହିବ । ୩ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ହେଲେ ଏ ସମ୍ପର୍କରେ ବର୍ତ୍ତମାନ ସ୍ପଷ୍ଟ ହୋଇନଥିବା ବେଳେ ଆସନ୍ତାକାଲି କିମ୍ବା ପହରଦିନ ସୁଦ୍ଧା ଜଣାପଡ଼ିବ ବୋଲି ଡ. ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.