ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣାର ପର୍ଦ୍ଦାଫାସ

0 73

ଦୋଷ ମାନିଲା ଅଭିଯୁକ୍ତ, କହିଲା ଭଲ ଲାଗିଲାନି ଭାଙ୍ଗିଦେଲି

ପୁରୀ ୦୬.୦୪: ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲିଭଙ୍ଗା ଘଟଣାର ପର୍ଦ୍ଦାଫାସ । ପୁରୀ ଏସ୍ପି କନୱର ବିଶାଲ ସିଂ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତାଙ୍କ ନାଁ ଜଗନ ମହାପାତ୍ର । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗାଁରେ । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଶ୍ରୀମନ୍ଦିରରେ ଏଭଳି କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଅଭିଯୁକ୍ତ । ତେବେ କାହିଁକି ଏଭଳି କଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯେତିକି ଜଣାପଡିଛି ଅଭିଯୁକ୍ତ କହିଛି ଯେ, ଭଲ ଲାଗିଲାନି ବୋଲି ଚୂଲି ଭାଙ୍ଗିଦେଲି । ଆଗକୁ ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ କରାଯିବ । ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣାଯାଇପାରେ । ଏହାସହ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇପାରେ ବୋଲି ଏସପି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଧରାପଡ଼ିଥିବା ଅଭିଯୁକ୍ତକୁ ଶନିବାର ରାତିରେ ସିଂହଦ୍ୱାର ଦେଇ ବାହାରକୁ ଛାଡ଼ି ଦିଆଯାଇଥିଲା । ଚୁଲି ଭଙ୍ଗା ଘଟଣା ରବିବାର ବିବାଦୀୟ ମୋଡ଼ ନେବା ପରେ ପ୍ରଶାସନର ଚେତା ପଶିଲା । ସିସିଟିଭି କ୍ୟାମେରାରୁ ଚିହ୍ନଟ ଏହି ଲୋକକୁ ଖୋଜା ଚାଲିଥିଲା । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି କେ ବିଶାଳ ସିଂହ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ସିସିଟିଭି କ୍ୟାମେରାରେ ଚିହ୍ନଟ ଅଭିଯୁକ୍ତଙ୍କ ସମ୍ପର୍କରେ ଅତିରିକ୍ତ ତଥ୍ୟ ସଂଗ୍ରହ କରିଥିଲେ । ଶନିବାର ଶୋଧବେଳେ ଠାବ ହୋଇଥିବା ଏହି ଲୋକଙ୍କୁ ଶ୍ରୀମନ୍ଦିର ସରସ୍ୱତୀ ମନ୍ଦିର ସାମ୍ନାରୁ ଜେଟିପି ଠାବ କରିଥିଲା । ତାକୁ ଧରି ନେଇ ତିନି ଜଣ ଜେଟିପି ବାଇଶି ପାହାଚ ଦେଇ ସିଂହଦ୍ୱାର ପଟେ ଛାଡିଥିଲେ । ଏହି ୩ ଜଣ ଜେଟିପିଙ୍କ ଠାରୁ ଚିହ୍ନଟ ବ୍ୟକ୍ତି କେମିତି ଦେଖାଯାଆନ୍ତି, ସେବକ କି ନୁହେଁ ତାହା ନେଇ ରବିବାର ଦିନ ତଥ୍ୟ ନେଇଥିଲା ତଦନ୍ତକାରୀ ପୁଲିସ । ରାତି ୯ଟା ୧୯ ମିନିଟରେ ଚିହ୍ନଟ ଅଭିଯୁକ୍ତକୁ ପୋଲିସ ଧରିଥିବାର ସୂଚନା ଦେଇଛି । ସୋମବାର ସିଂହଦ୍ୱାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଲି ଭଙ୍ଗା ଘଟଣାର ଏତଲା ହୋଇଥିଲା । ପୁ୍‌ଲିସ ଆଇପିସିର ୪୨୭, ୨୯୫, ୨୯୫(କ), ଶ୍ରୀମନ୍ଦିର ପ୍ରଶାସନ ଆଇନ୍‌ ସେକ୍ସନ ୩୦(କ) ୪(ବି)ରେ ୨୩/୨୨ ନଂ ମାମଲା ରୁଜୁ କରିଛି ।

Leave A Reply

Your email address will not be published.