ଶରଧା ବାଲିରେ ତିନିରଥ

0 79

ଭୁବନେଶ୍ୱର, ୦୧ା୭ (ଡିକେ ନ୍ୟୁଜ୍‌): ଭାବଭକ୍ତିରେ ଉଚ୍ଛୁଳି ପଡ଼ିଥିଲା ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଲହରୀ ଭାଙ୍ଗୁଥିଲା ଜନସମୁଦ୍ର । ହରିବୋଲ, ହୁଳହୁଳି ସାଙ୍ଗକୁ ସଂକୀର୍ତ୍ତନରେ ଫାଟି ପଡ଼ୁଥିଲା ପୂରା ପରିବେଶ । ‘ଜୟ ଜଗନ୍ନାଥ‘ ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ଆଗରୁ ରଥ-ପଥ ସବୁ ପ୍ରସ୍ତୁତ ହୋଇଥିବା ରହିଥିବା ବେଳେ ଭକ୍ତ ଅପେକ୍ଷା କରି ରହିଥିଲେ କେତେବେଳେ ବଡ଼ଦେଉଳରୁ ଟାହିଆ ହଲାଇ ବାଇଶି ପାହାଚ ଡେଇଁ ବଡ଼ଦାଣ୍ଡକୁ ଓହ୍ଲାଇବେ ମହାବାହୁ । ନୀତିନିର୍ଘଣ୍ଟ ଆଗରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି । ପ୍ରଥମେ ଶ୍ରୀ ସୁଦର୍ଶନ ଆସିଥିଲେ, ତାଙ୍କ ପରେ ଧାଡି ପହଣ୍ଡିରେ ରତ୍ନ ସିଂହାସନ ଛାଡ଼ି ବାହାରିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର । ପରେ ପରେ ରଥାଋଢ଼ ହୋଇଥିଲେ ଦେବୀ ସୁଭଦ୍ରା । ଶେଷରେ ନୀଳକନ୍ଦରରୁ ବାହାରିଥିଲେ କାଳିଆ ସାଆନ୍ତ । ଟାହିଆ ହଲାଇ ଝୁଲି ଝୁଲି ବଡ଼ଦାଣ୍ଡକୁ ବିଜେ କରିଥିଲେ ଜଗତରନାଥ ଶ୍ରୀଜଗନ୍ନାଥ । ରଥରେ ବିରାଜି ଥିଲେ । ରଥ ଉପରେ କିଛି ନୀତିକାନ୍ତି ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ ଶଙ୍କରାଚାର୍ଯ୍ୟ । ପରେ ପରେ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କରିଥିଲେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହାପରେ ରଥଟଣା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଚାରମାଳ ଫିଟା,, ଘୋଡ଼ା ଯୋଚା ଏବଂ ସାରଥୀ ଲାଗିବା ପରେ ଡାହୁକ ଡାକ ଦେବା ସହିତ ଆରମ୍ଭ ହୋଇଥିଲା ରଥଟଣା । ଆଗେ ଆଗେ ବଳଭଦ୍ରଙ୍କ ତାଳଧ୍ୱଜ, ମଝିରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ସବାଶେଷରେ ଶରଧାବାଲି ଅଭିମୁଖେ ବାହାରିଥିଲା ନନ୍ଦିଘୋଷ । ଚହଲି ଉଠିଥିଲା ଭକ୍ତିସାଗର ରୂପକ ବଡ଼ଦାଣ୍ଡ । ମହା ଆନନ୍ଦରେ ତିନିରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଆଜି ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀ ଅଭିମୁଖେ ଆସିଛନ୍ତି କାଳିଆ ଠାକୁର । ପତିତଗଣଙ୍କୁ ଉଦ୍ଧାର କରିବା ପାଇଁ ରଥଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ରଥଯାତ୍ରା ପାଇଁ ଅଭେଦ୍ୟ ସୁରକ୍ଷା ବଳୟରେ ରହିଥିଲା ଶ୍ରୀକ୍ଷେତ୍ର । ୧୮୦ ପ୍ଲାଟୁନ୍ ଫୋସ୍‌ର୍ ମୁତୟନ ହେବା ସହିତ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖାଯାଇଥିଲା ।

Leave A Reply

Your email address will not be published.