ମାଟ୍ରିକ୍ ପାସ୍ ହାର ୯୦.୫୫%

0 87

ଭୁବନେଶ୍ୱର, ୬ା୭(ଡିକେ ନ୍ୟୁଜ): ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ୍ ପାସ୍ ହାର ୯୦.୫୫% ରହିଛି । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫,୧୭,୮୪୭ ଜଣ ପାସ୍ କରିଥିବା ବେଳେ ୮,୬୯୯ ଜଣ ଫେଲ୍ ହୋଇଛନ୍ତି । ଛାତ୍ରଙ୍କ ଠାରୁ ଛାତ୍ରୀ ଆଗୁଆ ରହିଛନ୍ତି । ୨, ୫୬, ୮୭୭ ଛାତ୍ର ପାସ୍ କରିଥିବା ବେଳେ ପାସ୍‌ କରିଥିବା ଛାତ୍ରୀଙ୍କ ସଂଖ୍ୟା ହେଉଛି ୨, ୬୦, ୯୭୦ । ଏ୧ ଗ୍ରେଡ୍‌ରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୫୪୮୮୯ ଜଣ ଏ-୨ ବର୍ଗରେ, ୧୨୦୩୧୨ ଜଣ ବି-୧ ବର୍ଗରେ ଏବଂ ୧୪୨୫୯୯ ଜଣ ବି-୨ ବର୍ଗରେ ଉନ୍ନିତ ହୋଇଛନ୍ତି । ସେହିପରି ସି ବର୍ଗରେ୧,୧୬,୧୧୧, ଡିରେ୫୯,୨୪୫, ଇରେ ୧୪,୬୪୭ ଏବଂ ଏଫ୍‌ରେ ୭୭୯୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟରେ ୧.୪୨ ପ୍ରତିଶତ ବିଦ୍ୟାର୍ଥୀ ୯୦ ଶତକଡ଼ାରୁ ଊର୍ଦ୍ଧ୍ୱ ମାର୍କ ରଖିଛନ୍ତି । ଚଳିତ ବର୍ଷ ଛାତ୍ରମାନଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କ ପାସ ହାର ୯୨.୩୭ ପ୍ରତିଶତ ରହିଛି ଏବଂ ମୋଟ ପାସ୍ ହାର ୯୦.୫୫ ପ୍ରତିଶତ ରହିଛି । ବୁଧବାର ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଶମ ପରୀକ୍ଷା ଫଳ ଘୋଷଣା ହୋଇଛି । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି । ୧୧୭୦ ସ୍କୁଲରେ ସମସ୍ତ ପିଲା ପାସ୍ କରିଛନ୍ତି । ୩ଟି ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲରେ ଶୂନ ରେଜଲ୍ଟ ହୋଇଛି । ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିଲେ ଏବଂ ଅନୁଗୁଳର ଉଚ୍ଚ ସ୍କୁଲରେ ମାତ୍ର ୨ଟି ପିଲା ପଢୁଥିଲେ । ଅପରପକ୍ଷରେ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା ରି-ଚେକିଂ ପାଇଁ ଜୁଲାଇ ୧୧ରୁ ୨୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିହେବ । ଛାତ୍ରଛାତ୍ରୀମାନେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇ ଡଟ୍ ଓଡିଶା ଡଟ୍ ଏସି ଡଟ୍ ଇନ୍ ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଆପଣ ଓଆର (୧୦) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ୍‌ କରି ପରୀକ୍ଷା ଫଳ ଜାଣିହେବ । ସୂଚନାଥାଉ କି, ଏପ୍ରିଲ୍ ୨୮ରୁ ମେ ୭ ଯାଏ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ସମୁଦାୟ ୫୭୧୯୦୯ ଜଣ ବିଦ୍ୟାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବାବେଳେ ୫୨୬୮୧୮ ଜଣ ପରୀକ୍ଷା ଦେଇଥିଲେ । ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ଇଣ୍ଟରନାଲ୍ ଆସେସ୍‌ମେଣ୍ଟ, ସମେଟିଭ ଆସେସ୍‌ମେଣ୍ଟ ୱାନ୍ ଓ ସମେଟିଭି ଆସେସ୍‌ମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି । ଏହି ପରୀକ୍ଷା ଫଳ ଘୋଷଣା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.