ଦକ୍ଷିଣମୋଡ଼ ହେଲା ତିନିରଥ ଏଥର ସଅଳ ହେବ ବାହୁଡା ଯାତ୍ରା

0 67

ପୁରୀ, ୬ା୭(ଡିକେ ନ୍ୟୁଜ): ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି । ରଥଯାତ୍ରାର ଆଜି ଷଷ୍ଠ ଦିବସରେ ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ବୁଧବାର ରଥର ଦକ୍ଷିଣମୋଡ କରାଯାଇଛି । ତେବେ ଆସନ୍ତା ୮ତାରିଖ ନବମୀ ତଥା ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତମାନେ ଗୁଣ୍ଡିଚା ମନ୍ଦିରରେ ଅପରାହ୍ନ ୪ଟା ଯାଏଁ ଦର୍ଶନ କରିପାରିବେ । ଜିଲ୍ଲାପାଳଙ୍କ ସହ ଦଇତାପତି ଓ ଅନ୍ୟ ସେବାୟତ ନିଯୋଗଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ହେରାପଞ୍ଚମୀ ଅବସରରେ ନନ୍ଦିଘୋଷ ରଥ ଭଙ୍ଗା ନୀତି ସମ୍ପନ୍ନ ପରେ ବୁଧବାର ତିନି ରଥକୁ ଦକ୍ଷିଣ ମୋଡ କରାଯାଇଛି । ଆସନ୍ତା ୯ ତାରିଖରେ ବାହୁଡାଯାତ୍ରା । ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ସମସ୍ତ ନୀତିକାନ୍ତି ସହ ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ରି ସହ ପଟୁଆରରେ ତିନି ବାଡ଼ରୁ ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନିରଥ ନିକଟକୁ ଆସିଥିଲେ । ତିନି ରଥରେ ଆଜ୍ଞାମାଳ ଦେବା ପରେ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା । ଏହା ପୂର୍ବରୁ ଭୋଇ ସେବକଙ୍କ ଦ୍ୱାରା ରଥର ବ୍ରେକ ଓ ଦଉଡି ସଂଯୋଗ କରାଯାଇଥିଲା । ରାସ୍ତାର ଦୁଇ ପାର୍ଶ୍‌ରେ ଦକ୍ଷିଣମୋଡ ପାଇଁ ଅସ୍ଥାୟୀ ବାଲି ବସ୍ତା ବିଛାଯାଇଥିଲା । ବିଜେ କାହାଳୀ ବାଜିବା ପରେ ଭକ୍ତ, ସେବାୟତ ଓ ଆରକ୍ଷୀ ବାହିନୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ପରେ ବଳଭଦ୍ରଙ୍କ ରଥ ଦକ୍ଷିଣମୋଡ଼ କରିଥିଲେ । ଗତବର୍ଷ କେବଳ ସେବାୟତମାନେ ଦକ୍ଷିଣମୋଡ କରିଥିବା ବେଳେ ଚଳିତବର୍ଷ ଆରକ୍ଷୀ ବାହିନୀ ଓ ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଦକ୍ଷିଣମୋଡ କରିଛନ୍ତି । ଏହା ବାହୁଡା ଯାତ୍ରାର ଅୟମାରମ୍ଭ । ସେପଟେ ବାହୁଡା ଯାତ୍ରା ପାଇଁ ସେବାୟତ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ୮ ତାରିଖରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଅବସରରେ ଭକ୍ତ ଶ୍ରଦ୍ଧାଳୁ କେବଳ ଅପରାହ୍ନ ୪ଟା ଯାଏଁ ହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ରଥଯାତ୍ରା ଭଳି ଆସନ୍ତା ୯ ତାରିଖ ବାହୁଡା ଯାତ୍ରାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିଭଳି ସଅଳ କରାଯିବ ସେନେଇ ଜିଲ୍ଲପାଳଙ୍କ ସହ ଦଇତାପତି ନିଯୋଗ ଆଲୋଚନା କରିଛି । ୧୦ ତାରିଖ ସୁନାବେଶରେ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ କରାଯିବ । ସମସ୍ତ ଭକ୍ତ ଯେଭଳି ସୁନ୍ଦର ଭାବେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ସେନେଇ ମଧ୍ୟ ପଦକ୍ଷେପ ନିଆଯାଇଛି । ସେବାୟତମାନେ ରଥ ଉପରେ ଫଟୋ କିମ୍ବା ଭିଡ଼ିଓ ଉଠାଇ ପାରିବେ ନାହିଁ । ତିନି ରଥର ବିଗ୍ରହଙ୍କ ଉଭୟ ପାଶ୍ୱର୍ରେ ପାଇପ୍ ଲଗାଯିବ । ଯାହା ଫଳରେ କୌଣସି ସେବାୟତ ବିଗ୍ରହଙ୍କ ସମ୍ମୁଖକୁ ଯାଇପାରିବେ ନାହିଁ ବୋଲି ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି । ରଥ ଦକ୍ଷିଣମୋଡ଼ ସମୟରେ ରଥ ଦଉଡ଼ି ଟାଣିବା ପାଇଁ ଭକ୍ତ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଥିଲା । ଗୁରୁବାର ସକାଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣମୋଡ କରାଯିବ ।

Leave A Reply

Your email address will not be published.