ବିଶ୍ୱରେ ୮୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଭୋକିଲା

0 68

ନୂଆଦିଲ୍ଲୀ, ୭ା୭: ଦୁଇବର୍ଷ ଧରି କୋଭିଡ୍‌ ଘାଇଲା କଲା । ଲକ୍ଷାଧିକ ଲୋକଙ୍କୁ ମାରିବା ସହ କୋଟି କୋଟି ଲୋକଙ୍କୁ ଭୋକିଲା କରିଦେଲା । କୋଭିଡ୍‌ର ଦୁଇବର୍ଷ ସମୟରେ ବିଶ୍ୱରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୧୫କୋଟି ବୃଦ୍ଧି ହୋଇଛି । ୨୦୨୧ରେ ବିଶ୍ୱରେ ଭୋକିଲାଙ୍କ ସଂଖ୍ୟା ୮୨କୋଟି ୨୮ଲକ୍ଷରେ ପହଞ୍ଚଛି । ଯାହା ୨୦୧୯ ତୁଳନାରେ ୧୫କୋଟି ଅଧିକ ଏବଂ ୨୦୨୦ ତୁଳନାରେ ୪କୋଟି ୬୦ଲକ୍ଷ ଅଧିକ । ୨୦୧୯ରେ ବିଶ୍ୱ ଜନସଂଖ୍ୟାର ୮ ପ୍ରତିଶତ ଭୋକିଲା ଥିଲେ । ୨୦୨୧ରେ ଏହା ୯.୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜାତିସଂଘର ‘ଦ ଷ୍ଟେଟ୍ ଅଫ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ ନ୍ୟୁଟ୍ରିସିନ୍ ଇନ୍ ଦ ୱାର୍ଲ୍ଡ’ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ରିପୋର୍ଟ ମୁତାବକ ଆଫ୍ରିକା, ଏସିଆ, ଲାଟିନ୍ ଆମେରିକା ଓ କାର୍ବିଆନ୍‌ରେ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ଅଧିକ । ମୋଟ ୮୨କୋଟି କ୍ଷୁଧାର୍ତ୍ତଙ୍କ ମଧ୍ୟରୁ ଆଫ୍ରିକାରେ ୨୭ କୋଟି ୮୦ଲକ୍ଷ, ଏସିଆରେ ୪୨ କୋଟି ୫୦ଲକ୍ଷ, ଲାଟିନ୍‌ ଆମେରିକା ଓ କାର୍ବିଆନ୍‌ରେ ୫କୋଟି ୬୫ ଲକ୍ଷ ଭୋକିଲା ଅଛନ୍ତି । ସେହିପରି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ରେ ୨୩୦ କୋଟି ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ôଚତ ଅଛନ୍ତି । ବିଶ୍ୱ ଜନସଂଖ୍ୟାର ୧୧ ପ୍ରତିଶତ ଲୋକ ଖାଦ୍ୟ ସୁରକ୍ଷା ପାଇପାରିନଥିବା ବେଳେ ୩୧୦ କୋଟି ଲୋକ ସୁଷମ ଖାଦ୍ୟ ପାଇନାହାନ୍ତି । ଖାଦ୍ୟାଭାବରୁ ୫ବର୍ଷରୁ କମ୍ ବୟସର ୧୪କୋଟି ୯୨ଲକ୍ଷ ପିଲାଙ୍କ ବିକାଶ ବାଧାପ୍ରାପ୍ତ ହୋଇଛି । ଧୀରେ ଧୀରେ ବିଶ୍ୱ କୋଭିଡ୍‌ର ପ୍ରକୋପରୁ ମୁକୁଳୁଥିବା ବେଳେ ଖାଦ୍ୟ ସଂକଟ କିନ୍ତୁ କମିନାହିଁ । କରୋନା ପରେ ଋଷ-ୟୁକ୍ରେନ୍ ଯୁଦ୍ଧ ଏହି ଖାଦ୍ୟ ସଂକଟକୁ
ଆହୁରି ବଢ଼ାଇ ଦେଇଛି । ବିଶ୍ୱରେ ଏହି ଦୁଇଦେଶ ଗହମ, ତୈଳବୀଜ ଓ ସାର ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଯୁଦ୍ଧ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଯାହା ଅନୁମାନ କରାଯାଉଛି ଯୁଦ୍ଧରୁ ସୃଷ୍ଟି ଖାଦ୍ୟଭାବ ଯୋଗୁ ୨୦୨୨ରେ ୧କୋଟି ୩୦ଲକ୍ଷ ଏବଂ ୨୦୨୩ରେ ୧କୋଟି ୯୦ଲକ୍ଷ ଲୋକ ଅପପୁଷ୍ଟିର ଶିକାର ହେବେ ।

Leave A Reply

Your email address will not be published.