ଭାରତରୁ ଆମେରିକା: ବଢ଼ୁଛି କରୋନା

0 72

ନୂଆଦିଲ୍ଲୀ, ୨୦ା୭: ସାରା ବିଶ୍ୱରେ କାୟା ମେଲାଉଛି କରୋନା । ଦେଶ ଓ ରାଜ୍ୟରେ ସଂକ୍ରମଣ ଉପରମୁହାଁ । ତିନିଦିନ କମିବା ପରେ ଆଜି ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୧୨୨ ଆକ୍ରାନ୍ତ । ଯାହା ୬୦ଦିନରେ ସର୍ବାଧିକ । ଖୋର୍ଦ୍ଧାରୁ ଆଜି ୩୦୭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୨, ସମ୍ବଲପୁରରୁ ୬୫ ଓ ମୟୂରଭଞ୍ଜରେ ଏହି ସଂଖ୍ୟା ରହିଛି ୫୩ । ୫ ଜିଲ୍ଳାରୁ କେବଳ ୭୫୦ ପଜିଟିଭ୍ ବାହାରିଛନ୍ତି, ଯାହା ମୋଟ ଆକ୍ରାନ୍ତଙ୍କ ୬୭ ପ୍ରତିଶତ । ପଜିଟିଭିଟି ରେଡ୍‌ ଜୋନ୍‌ରେ ଅଛି ୬ ଜିଲ୍ଲା ଯଥା ଖୋର୍ଦ୍ଧା, ଗଜପତି, ବୌଦ୍ଧ, ସୋନପୁର, ସୁନ୍ଦରଗଡ଼ ଓ ସମ୍ବଲପୁର । ରାଜ୍ୟରେ ଏବେ କୋଭିଡ୍ ରାଇଜିଂ ଟ୍ରେଣ୍ଡରେ ଅଛି । ସଂକ୍ରମଣ ସମାନ୍ତରାଳ ସ୍ଥିତିକୁ ନ ଆସିବା ଯାଏ ଆଗକୁ ବଢ଼ିବ କି ନାହିଁ ତାହା କହିହେବ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ୨୪ ଘଣ୍ଟାରେ ଦେଶରେ ବାହାରିଛନ୍ତି ୨୦୫୫୭ ପଜିଟିଭ୍ । ୩ଦିନ କମିବା ପରେ ଆଜି ପୁଣି ସଂକ୍ରମଣ ବଢ଼ିଛି । ବିଶ୍ୱରେ ବଢ଼ୁଛି କରୋନା କେସ୍ । ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏ.୫ ଯୋଗୁ ମାଡୁଛି ମହାମାରୀ । ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି । ଆମେରିକାରେ ଅଧିକାଂଶ କେସ୍ ବିଏ.୫ ଯୋଗୁ ବ୍ୟାପୁଥିବା ଜଣାଯାଇଛି । ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେଉଛି ଏହି ଭାରିଆଣ୍ଟ । ଥରେ ସଂକ୍ରମିତ ହୋଇଥିଲେ କିମ୍ବା ଟିକା ନେଇଥିଲେ ବି ବିଏ.୫ ଯୋଗୁ ସଂକ୍ରମଣ ଦ୍ରୁତ ଭାବରେ ବଢ଼ିଚାଲିଛି । ଅନେକ ଦେଶରେ ସ୍ଥିତି ଉଦ୍‌ବେଗଜନକ ରହିଛି । କୋଭିଡ୍‌ର ନୂଆ ଲହର ନେଇ ଚେତେଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେବାକୁ ସକ୍ଷମ । ତେଣୁ କୋଭିଡ୍‌ର ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Leave A Reply

Your email address will not be published.