ଆଜିଠୁ କମିବ ବର୍ଷା: ବଢ଼ିବ ବଜ୍ରପାତ

0 73

ଭୁବନେଶ୍ୱର, ୨୬ା୭(ଡିକେ ନ୍ୟୁଜ): ଓଡ଼ିଶାରୁ ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ କିଛି ଦିନ ପାଇଁ ବିରତି ନେବ । ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ମନସୁନ୍ ବ୍ରେକ୍‌ ଅବଧି ଆରମ୍ଭ ହେବ । ଏହାଦ୍ୱାରା ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ରିୟ ହେବା ସହିତ ବର୍ଷା କମିବ ଓ ପାଗ ଶୁଖିଲା ରହିବ । ଗଲା କିଛି ବର୍ଷ ହେବ ମୌସୁମୀ ଓଡ଼ିଶା ଛୁଇଁବାର ମାସେରୁ ଦେଢ଼ ମାସ ପରେ ଏହି ସ୍ଥିତି ସୃଷ୍ଟି ହେଉଥିବା ବେଳେ ଚଳିତ ବର୍ଷ ଏବେଠାରୁ ମୌସୁମୀ ବ୍ରେକ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ସାଧାରଣତଃ ମୌସୁମୀ ସହ ଜଡ଼ିତ ନିମ୍ନଚାପରେଖା ଉତ୍ତରମୁହାଁ ହେଲେ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ବର୍ଷା କମିଥାଏ । ନିମ୍ନଚାପ ରେଖା ଏହି ସମୟରେ ଉତ୍ତର ମୁହାଁ ହୋଇ ହିମାଳୟ ପାଦଦେଶରେ ସକ୍ରିୟ ରହିବା ସହ ସେଠାରେ ବର୍ଷା କରାଏ । ସେହିପରି ମୌସୁମୀ ବିରତି ସମୟରେ ପଶ୍ଚିମାଝଡ଼ର ପ୍ରଭାବ ରହିଲେ ଏହି ବିରତି ଅବଧି ବୃଦ୍ଧି ହେବାକୁ ସହାୟକ ହୋଇଥାଏ । ଲଗାତାର ଦୁଇଦିନ ଧରି ସ୍ୱାଭାବିକଠାରୁ ୫୦ ପ୍ରତିଶତ କମ୍ ବର୍ଷା ହେଲେ ଏହାକୁ ମୌସୁମୀ ବିରତିର ଏକ ପ୍ରକ୍ରିୟା ଭାବେ ଗଣାଯାଇଥାଏ । ଏହି ସ୍ଥିତିରେ ରାଜ୍ୟରେ ଆଗକୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ । ବୁଧବାରଠାରୁ ଆଉ ବିଶେଷ ବର୍ଷା ହେବ ନାହିଁ । ତେଣୁ ବୁଧବାରଠୁ ଆଉ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇନାହିଁ । ସେହିପରି ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନ ମୌସୁମୀ ବ୍ରେକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଆଗକୁ କେନ୍ଦ୍ରୀୟ ଭାରତରେ ବର୍ଷାର ପ୍ରକୋପ ହ୍ରାସ ପାଇବ । ମାତ୍ର ହିମାଳୟ ପାଦଦେଶ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଡ. ରାଜୀବନ ଆକଳନ କରିଛନ୍ତି । ଅନ୍ୟପଟେ ମୌସୁମୀ ବିରତି ସମୟରେ ବିଜୁଳି ଘଡ଼ିଘଡ଼ିର ମାତ୍ରା ବୃଦ୍ଧି ପାଇଥାଏ । ମୌସୁମୀ ଦୁର୍ବଳ ଯୋଗୁଁ ବର୍ଷାର ପରିମାଣ କମିଥାଏ ଓ ତାପମାତ୍ରା ବୃଦ୍ଧି ହୁଏ । ଏହି ସମୟରେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁ ସଂସ୍ପର୍ଶରେ ଆସିଲେ ବଜ୍ରପାତ ସୃଷ୍ଟି ହୁଏ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଭଲ ବର୍ଷା ହୋଇଥିବା ଯୋଗୁଁ ଚାଷ କାମ ପାଇଁ ଚାଷୀମାନେ କ୍ଷେତରେ ରହିବେ । ତେଣୁ ବଜ୍ରପାତରେ ଅଧିକ ଜୀବନହାନି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୫ ତାରିଖ ସୁଦ୍ଧା ରାଜ୍ୟରେ ୪୮୮.୫ ମିମି ବର୍ଷା ହୋଇ ସାରିଛି । ଯାହାକି ସ୍ୱାଭାବିକ ବର୍ଷା ୪୭୬.୮ ମିମି ତୁଳନାରେ ୨ ପ୍ରତିଶତ ଅଧିକ ରହିଛି । ଏହି ସମୟ ମଧ୍ୟରେ ୪ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ଓ ବାକି ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି ।

Leave A Reply

Your email address will not be published.