ମଙ୍କିପକ୍ସକୁ ନେଇ ଛନକା

0 59

ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦ା୭ (ଡିକେ ନ୍ୟୁଜ୍‌): ବଢ଼ିଲା ମଙ୍କିପକ୍ସ ଭୂତାଣୁ ଡର । ବିଶ୍ୱର ୭୮ ଦେଶରେ ୨୧ହଜାରରୁ ଅଧିକ ମଙ୍କିପକ୍ସ ମାମଲା ଚିହ୍ନଟ ହେଲାଣି । ଆଫ୍ରିକୀୟ ଦେଶ ବାହାରେ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ପରେ ଛନକା ଦେଖାଦେଇଛି । ବ୍ରାଜିଲ ଏବଂ ୟୁରୋପୀୟ ଦେଶ ସ୍ପେନ୍‌ରେ ମଙ୍କିପକ୍ସ ଜୀବନ ନେଇଛି । ବ୍ରାଜିଲରେ ଜଣେ ୪୧ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ଲିମ୍ଫୋମାରେ ଆକ୍ରାନ୍ତ ଥିଲେ । ତାଙ୍କର ରୋଗପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଦୁର୍ବଳ ଥିବା ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସ୍ପେନ୍‌ରେ ମଙ୍କିପକ୍ସରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଆଫ୍ରିକାରେ ଏପର୍ଯ୍ୟନ୍ତ ମଙ୍କିପକ୍ସରେ ୫ଜଣଙ୍କ ଜୀବନ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି । ବ୍ରାଜିଲରେ ଏଯାଏ ୧୦୬୬ ମଙ୍କିପକ୍ସ କେସ୍ ସାମ୍‌ନାକୁ ଆସିଛି । ଅଧିକାଂଶ ସାଓପାଓଲ ଏବଂ ରିଓବି ଜେନେରୁଲର ବୋଲି ଜଣାଯାଇଛି । ବିଶ୍ୱର ୭୮ଟି ଦେଶରେ ୨୧ହଜାରରୁ ଊର୍ଦ୍ଧ୍ୱ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଭାରତରେ କିନ୍ତୁ ପ୍ରଥମ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେରଳ ପୋଲମ୍‌ର ୩୫ବର୍ଷୀୟ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି । ତାଙ୍କର ସମସ୍ତ ସାମ୍ପଲ ନେଗେଟିଭ୍ ଆସିଛି । ହାତ ଏବଂ ଶରୀରରେ ଥିବା ଫୋଟକା ଓ କ୍ଷତ ଭରଣା ହୋଇଛି । ଆଉ ଦିନେ ଦୁଇଦିନ ମଧ୍ୟରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ମଙ୍କିପକ୍ସରେ ଆକ୍ରାନ୍ତ ହେବା ପରେ ଉକ୍ତ ବ୍ୟକ୍ତିଙ୍କ ଥିରୁଅନନ୍ତପୁରମ୍ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଦେଶରେ ବର୍ତ୍ତମାନ ସୁଦ୍ଧା ଚାରୋଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣକୁ ନେଇ ଦେଶରେ ସ୍କ୍ରିନିଂକୁ ବଢ଼ାଇ ଦିଆଯାଇଛି । ସବୁ ରାଜ୍ୟ ସହ ନିୟମିତ ସମୀକ୍ଷା କରାଯାଉଛି । ଗତ ସପ୍ତାହରେ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ଏମରଜେନ୍ସିଂ
ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପୂର୍ବରୁ ଆଫ୍ରିକା ଦେଶରେ ପଶୁଙ୍କଠାରୁ ମଙ୍କିପକ୍ସ ବ୍ୟାପୁଥିଲା । କିନ୍ତୁ ଏବେ ଏହା ମଣିଷଠାରୁ ମଣିଷକୁ ବ୍ୟାପୁଛି । ବିଶେଷକରି ସମଲିଙ୍ଗୀ ସମ୍ପର୍କରେ ଥିବା ପୁରୁଷଙ୍କ ଉପରେ ଅଧିକ ବିପଦ ରହିଛି । ବିଶ୍ୱରେ ଯେତେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେଥିରୁ ୯୯ ପ୍ରତିଶତ ପୁରୁଷ । ଏଥିପାଇଁ ସୀମିତ ସଂଖ୍ୟକ ଯୌନସାଥୀ କିମ୍ବା ଯୌନ ସମ୍ପର୍କ କମାଇବା ପାଇଁ ହୁ’ପରାମର୍ଶ ଦେଇଛି । ଅନ୍ୟପକ୍ଷରେ ଓଡ଼ିଶାରେ ମଙ୍କିପକ୍ସ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକଅନୁଷ୍ଠିତ ହୋଇଯାଇଛି । ଏହାରମୁକାବିଲା ନେଇ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍‌ଆସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଆରଏମ୍‌ଆରସିରେ ମଙ୍କିପକ୍ସ ଟେଷ୍ଟ ପାଇଁ କେନ୍ଦ୍ରର ଅନୁମତି ନିଆଯିବ । ଏଥିସହିତ ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି । ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ତେବେ ବର୍ତ୍ତମାନ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ, ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ବିଭିନ୍ନ ରାଜ୍ୟରୁ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.