ବଢ଼ିଲା ଚୀନ-ତାଇୱାନ ଯୁଦ୍ଧ ଆଶଙ୍କା

0 69

ନୂଆଦିଲ୍ଲୀ, ୩ା୮: ଆମେରିକା ବାଚସ୍ପତି ନାନ୍‌ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ ରାଗ ପଞ୍ଚମରେ । ରାଗରେ ନିଆଁବାଣ ଡ୍ରାଗନ୍ । ଘନେଇଲା ଆଉ ଏକ ଯୁଦ୍ଧ ଆଶଙ୍କା । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଜୋର୍‌ଦାର୍ ସମରାଭ୍ୟାସ କରୁଛି ବେଜିଂ । ତାଇୱାନ୍ ସୀମାନ୍ତ ଆକାଶରେ ୨୭ଟି ଚୀନର ଲଢ଼ୁଆ ଯୁଦ୍ଧ ବିମାନ ପଇନ୍ତରା ମାରୁଛି । ଯୁଦ୍ଧପୋତ ବି ମୁତୟନ କରିଛି । ବେଜିଂର କଡ଼ା ତାଗିତ୍‌କୁ ଖାତିର୍ ନକରି ପେଲୋସି ତାଇପେଇ ଆସିଲେ । ଏହାକୁ ନେଇ ଦୁଇ ମହାଶକ୍ତି ମୁହାଁମୁହିଁ ହୋଇଛନ୍ତି । ତାଇୱାନକୁ ଘେରୁଛି ଚୀନ । ନାନ୍ସି ପେଲୋସି ତାଇପେଇ ମାଟିରେ ପାଦ ଥାପିବା ପୂର୍ବରୁ ଚୀନ ସମରାଭ୍ୟାସ ଚଳାଇଛି । ତାଇୱାନର ଉତ୍ତର-ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ-ପୂର୍ବରେ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଚୀନ ଆର୍ମି ଗତିବିଧି ବଢ଼ାଇଛି । ଚୀନ ପିପୁଲ୍ସ ଲିବେରେସନ୍ ଆର୍ମିର ଇଷ୍ଟର୍ଣ୍ଣ ଥିଏଟର, କମାଣ୍ଡ ପକ୍ଷରୁ ମିଳିତ ସମରାଭ୍ୟାସ ଜାରି ରହିଛି । ତାଇୱାନ ସୀମାନ୍ତ ଆକାଶରେ ଲଢ଼ୁଆ ଯୁଦ୍ଧ ବିମାନ ଉଡ଼ାଇଛି ଚୀନ । ପଇନ୍ତରା ମାରୁଛନ୍ତି ଚୀନ୍‌ର ସୁଖୋଇ-୩୫, ଜେ-୧୧, ଜେ-୧୬, କେଜେ-୫୦୦ ଫାଇଟର୍‌ ଜେଟ୍ । ଜଳ ସୀମାରେ ମୁତୟନ କରିଛି ଯୁଦ୍ଧପୋତ । ଆଲର୍ଟରେ ଅଛନ୍ତି ଚୀନ୍‌ର ଆର୍ମି । ସମରାଭ୍ୟାସର ଭିଡ଼ିଓ ଜାରି କରିବା ସହ ଆମେରିକା ଓ ତାଇୱାନକୁ ପୁଣି ଥରେ ଚେତାଇ ଦେଇଛି ଚୀନ୍ । ଚୀନ୍‌ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଚୀନ୍‌କୁ ଅପମାନିତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯିବ । ଚୀନ୍‌ର ସର୍ବଭୌମତ୍ୱକୁ ଉଲ୍ଲଘ୍ନ କରୁଛି ଆମେରିକା । ଯିଏ ନିଆଁ ସହ ଖେଳିଛନ୍ତି, ନିଆଁରେ ଜଳିଯିବେ । ତାଇୱାନ୍ ଦିନେନା ଦିନେ ତା ଜନ୍ମ ମାଟିକୁ ଫେରିବ । ଚୀନ୍‌ତାଇୱାନ୍ ଭିତରେ ବିବାଦ ଲାଗିରହିଥିବା
ବେଳେ ତାଇୱାନ ସମର୍ଥନରେ ଠିଆ ହୋଇଛି ଆମେରିକା । ଯାହକୁ ନେଇ ଆମେରିକା ସହ ଚୀନ୍‌ର ତିକ୍ତତା ବଢ଼ିଛି । ଆମେରିକା ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ୍ କ୍ରିଭି କହିଛନ୍ତି- ତାଇୱାନ ଗସ୍ତ କରିବା ଅଧିକାର ଆମେରିକା ବାଚସ୍ପତିଙ୍କ ରହିଛି । ଚୀନ୍ ୱାନ୍ ପଲିସ୍‌ରେ ଆମେରିକାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନି । ଅନ୍ୟପକ୍ଷରେ ତାଇୱାନ୍ ଉପରେ ଚୀନ୍ ଆକ୍ରମଣ କଲେ ଆମେରିକା ସୁରକ୍ଷା ଦେବ ବୋଲି କହି ଆସୁଛି । କିନ୍ତୁ ତାଇୱାନ୍‌କୁ ନିଜର ଭୂଖଣ୍ଡ ବୋଲି ଦାବି କରି ଆସୁଛି ଡ୍ରାଗନ୍ । ପେଲୋସିଙ୍କ ଗସ୍ତର କିଛି ଦିନ ପୂର୍ବରୁ ନିଆଁ ସହ ନଖେଳିବା ପାଇଁ ବାଇଡେନ୍‌ଙ୍କୁ କଡା ଚେତାବନୀ ଶୁଣାଇଥିଲେ ଜିନ୍ ପିଙ୍ଗ୍ । ତେବେ ଏହି ଦୁଇ ସୁପର ପାୱାରଙ୍କ କଳି ଆଗକୁ କିଭଳି ମୋଡ ନେବ ତାହା ଉପରେ ସାରା ବିଶ୍ୱର ନଜର ରହିଛି ।

Leave A Reply

Your email address will not be published.