ପିଲାଙ୍କ ପ୍ରାଣ ନେଉଛି ସ୍ମାର୍ଟଫୋନ୍‌: ଚିନ୍ତାରେ ବାପା-ମା’

0 69

ନୂଆଦିଲ୍ଲୀ, ୧୬ା୮: ମୃତ୍ୟୁଦୂତ ପାଲଟିଛି ମୋବାଇଲ । ଜୀବନ ପରେ ଜୀବନ ନେଉଛି ମୋବାଇଲ ନିଶା । ଦିନକୁ ଦିନ ଆଜିର ଯୁବପିଢ଼ିଙ୍କୁ ମତୁଆଲା କରି ମୃତ୍ୟୁର କାରଣ ସାଜିଛି ସ୍ମାର୍ଟଫୋନ୍‌ । ଟିକିଏ ଆକଟ କଲେ ଦୁର୍ବଳ ମାନସିକ ଥିବା ପିଲା କରିଦେଉଛି ଆତ୍ମହତ୍ୟା । ପିଲାଙ୍କୁ କେମିତି ମୋବାଇଲ ନିଶାଠୁ ଦୂରରେ ରଖିବେ, କେମିତି ତାଙ୍କୁ ଏହାର ସଦୂପଯୋଗ ଓ ଏହାର ଦୁରୂପଯୋଗ ବୁଝାଇବେ, ତାହାକୁ ନେଇ ଏବେ ଚିନ୍ତାରେ ପ୍ରତ୍ୟେକ ବାପା-ମାଆ । ମୋବାଇଲ ପାଇଁ ନବରଙ୍ଗପୁରର ନାବାଳକ ଆତ୍ମହତ୍ୟା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ମୋବାଇଲକୁ ନେଇ ଘର ଲୋକେ ତାଗିଦ୍‌ କରିବାରୁ ନାବାଳକ ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ନବରଙ୍ଗପୁର ରାଇଘର ବ୍ଳକ ଅନ୍ତର୍ଗତ ଭାରସୁଣ୍ଡି ଗାଁର ବିଶ୍ୱଜିତ ମିର୍ଦ୍ଧାଙ୍କ ୧୪ ବର୍ଷୀୟ ପୁଅ ସୁମିତ ମିର୍ଦ୍ଧା । ନିଜ ମୋବାଇଲ ଦୋକାନରୁ ବାପାଙ୍କ ଅଜାଣତରେ ଏକ ମୋବାଇଲ ନେଇ ଆସିଥିଲେ ସୁମିତ । ଆଉ ସୁମିତ ଘରେ ଭିଡ଼ିଓ ଗେମ ଖେଳୁଥିବା ସମୟରେ ମାଆ ଦେଖି ପ·ରିବା ସହ ତାଗିଦ୍‌ କରିଥିଲେ । ଏହାପରେ ସୁମିତ ଭୟଭୀତ ହୋଇ ବାଥ୍‌ରୁମ୍‌ରେ ପଶି ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ । ଏବେ ପୁଅକୁ ହରାଇ ପୂରା ପରିବାର ସ୍ଥାଣୁ ପାଲଟିଛି । ଏପଟେ ବିଗତ କିଛି ବର୍ଷ ମଧ୍ୟରେ ମୋବାଇଲ ଦ୍ୱାରା ହୋଇଥିବା ମୃତ୍ୟୁର କାହାଣୀ ଗୁଡ଼ିକ ଅବିଭାବକଙ୍କର ମୁଣ୍ଡବ୍ୟଥା କରିଛି । କେତେବେଳେ ମୋବାଇଲ ନିଶା, କେତେବେଳେ ଅନଲାଇନ୍‌ ଗେମ୍‌ ତ ଆଉ କେତେବେଳେ ଅଧିକ ସମୟ ମୋବାଇଲ ଦେଖୁଥିବା ପିଲାଙ୍କ ପାଇଁ କାଳ ସାଜୁଛି ସ୍ମାର୍ଟଫୋନ୍‌ । ବିଭିନ୍ନ ସମୟରେ ମୋବାଇଲ ମୃତ୍ୟୁକୁ ନେଇ ଆସୁଥିବା ଦେଶ-ବିଦେଶର ଖବର ସାଧାରଣରେ ପରିବାରବର୍ଗଙ୍କୁ ଚିନ୍ତାରେ ପକାଇଛି । ଗତବର୍ଷ ଏନ୍‌ସିପିଆର ଦେଇଥିବା ଏକ ରିପୋର୍ଟ ମଧ୍ୟ ଅଭିଭାବକଙ୍କୁ ସତର୍କ କରାଇଥିଲା । ଯେଉଁଥିରେ କୁହାଯାଇଥିଲା କି, ମାତ୍ର ୧୦ ପ୍ରତିଶତ ପିଲା ମୋବାଇଲ ଫୋନକୁ ଅନ୍‌ଲାଇନ୍‌ ଶିକ୍ଷାଦାନରେ ବ୍ୟବହାର କରୁଛନ୍ତି । ଆଉ ୫୯ ପ୍ରତିଶତ ପିଲା କେବଳ ହ୍ୱାଟ୍ସଆପ୍‌, ଫେସ୍‌ବୁକ୍‌ ଓ ଅନ୍‌ଲାଇନ୍‌ ଗେମ୍‌ ପାଇର୍‌ ବ୍ୟବହାର କରୁଛନ୍ତି । ଯାହା ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି ବୋଲି ଏନ୍‌ସିପିଆର ଚେତାଇ ଦେଇଥିଲା । ଏପରିକି ଅନେକ ରାଜ୍ୟର ହାଇକୋର୍ଟ ଏନେଇ କେନ୍ଦ୍ରକୁ ସତର୍କ କରାଇଥିଲେ । ସରକାର ଏଭଳି ଏକ ନୀତି ଆଣନ୍ତୁ ଯାହାଫଳରେ ପିଲାମାନେ ଉଭୟ ଅନ୍‌ଲାଇନ ଓ ଅଫଲାଇନ୍‌ ଗେମ୍‌ରୁ ସୁରକ୍ଷିତ ରହିପାରିବେ । ଅନ୍‌ଲାଇନ୍‌ ଗେମ୍‌ ପ୍ରତି ବଢୁଥିବା ପିଲାଙ୍କ ଆକର୍ଷଣରେ ଅଙ୍କୁଶ ଲଗାଇବା ଏବେ ଜରୁରି ହୋଇପଡ଼ିଛି । ତେଣୁ ଏ ସମ୍ପର୍କରେ
ଏକ କମିଟି ଗଢ଼ିବାକୁ ପରାମର୍ଶ ଦେଇଥିଲେ ନ୍ୟାୟଧୀଶମାନେ । ଏଠାରେ ବଡ଼କଥା ଦେଶର ଆଗାମୀ ଭବିଷ୍ୟତଙ୍କ ସୁରକ୍ଷା ଓ ଉଚିତ୍‌ ବୈଷୟିକ ଶିକ୍ଷା ଦେବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ତୁରନ୍ତ ଏଭଳି ମୋବାଇଲ ନିଶା ଉପରେ ନିୟନ୍ତ୍ରଣ ନ କରାଗଲା ଗୋଟିଏ ପରେ ଗୋଟିଏ ପରିବାର ତାଙ୍କ ପିଲାଙ୍କୁ ହରାଉଥିବେ ।

Leave A Reply

Your email address will not be published.