ବନ୍ୟା ବଢ଼ାଇଲା ବିପନ୍ନଙ୍କ ଦୁର୍ଦ୍ଦଶା ପାଣି ଆଁରେ କେନ୍ଦ୍ରାପଡ଼ା-ପୁରୀ-ଜଗତସିଂହପୁର ଓ ଖୋର୍ଦ୍ଧା

0 76

ଭୁବନେଶ୍ୱର, ୧୭ା୮(ଡିକେ ନ୍ୟୁଜ): ବିପତ୍ତି ଆଣିଲା ଲଘୁଚାପ ବର୍ଷା । ରାଜ୍ୟରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି । ଅଧିକରୁ ଅଧିକ ଅଞ୍ଚଳକୁ ବୁଡାଇ ଦେଇଛି ମହାନଦୀର ବନ୍ୟା । ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଆଣିଛି ବିତ୍ପାତ୍ । ବିଶେଷକରି ଜଗତସିଂହପୁର ଓ ପୁରୀ ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିବା ଏସ୍‌ଆରସି ସୂଚନା ଦେଇଛନ୍ତି । ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ବନ୍ୟାର ପ୍ରଭାବ ଆଉ ୩ଦିନ ରହିବ ବୋଲି ସେ କହିଛନ୍ତି । ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ପାଣି ଘେରରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସବୁ ଜିଲ୍ଲାରେ ପ୍ରଶାସନ ସଜାଗ । ସମସ୍ତଙ୍କ ଧନଜୀବନ ରକ୍ଷା କରିବା ସରକାରଙ୍କ ପ୍ରାଥମିକତା । ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇଛି । ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟା ଜଳ ମୁଣ୍ଡଳୀରେ କାଲି ସକାଳେ ପହଞ୍ଚିବ । ପ୍ରାୟ ୯ରୁ ୧୦ଲକ୍ଷ କ୍ୟୁକେସ୍‌ ପାଣି ପାସ୍ କରିବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ବନ୍ୟା ଦ୍ୱାରା ପ୍ରଭାବିତ ହେବ । ଜଗତସିଂହପୁର ଓ ପୁରୀ ଜିଲ୍ଲା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ଏସ୍‌ଆରପି । ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଆଲର୍ଟ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏସ୍‌ଆରସି ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କମିଛି । ଏବେ ୪୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲେ ହେଁ ଡ୍ୟାମ୍‌ର ଜଳସ୍ତର ରହିଛି ୬୨୬ ଫୁଟ୍ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୫ଲକ୍ଷ ୯୫ହଜାର ୪୫୬ କ୍ୟୁସେକ୍ ବନ୍ୟା ପାଣି । ୪୦ ଗେଟ୍ ଦେଇ ନିଷ୍କାସିତ ହେଉଛି ୬ଲକ୍ଷ ୫୮ହଜାର କ୍ୟୁସେକ୍ ପାଣି । ବନ୍ୟାରେ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ସ୍ଥିତି ସଂଗୀନ ହୋଇପଡ଼ିଛି । ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ହଜାର ହଜାର ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି । ଲୋକଙ୍କ ଘରଦ୍ୱାର ବୁଡ଼ିଯାଇଛି । ସେହିପରି ଅନୁଗୁଳ ଜିଲ୍ଲାର ଟିକରପଡ଼ା ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି । ଦିନ ବଢ଼ିବା ସହ ବିପନ୍ନଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ିଛି । ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି । କେଉଁଠି ରାସ୍ତା ବୁଡ଼ିଛି ତ ଆଉ କେଉଁଠି ବୁଡ଼ିଛି ଚାଷଜମି । ଛାତ ଉପରେ ଆଶ୍ରୟ ନେଇଛନ୍ତି ବିପନ୍ନ । ସେହିପରି ବନ୍ୟାର ଆଁ ଭିତରେ ଆଠମଲ୍ଲିକ ଓ ଟିକରପଡ଼ା । ଟିକରପଡ଼ାର ୫ ଗାଁ ପ୍ରଭାବିତ ହୋଇଥିବା ବେଳେ ଆଠମଲ୍ଲିକରେ ୬୧ଗାଁ ମଧ୍ୟ ପ୍ରଭାବିତ ହୋଇଛି । ସେହିପରି ବାଙ୍କିକଟକ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମହାନଦୀର ଶାଖାନଦୀ ଚନ୍ଦ୍ରପା, ହୁଳୁହୁଳା ଓ ରଣନଦୀରେ ବନ୍ୟା ଆସିବାରୁ ବାଙ୍କୀ ବ୍ଲକ୍‌ର ୨୪ ଗାଁ ପ୍ରଭାବିତ ହୋଇଛି । ବାଙ୍କୀ-ଖୋର୍ଦ୍ଧା ଓ ନୟାଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ବହୁ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । ଲୋକଙ୍କ ଘରଦ୍ୱାର ବୁଡ଼ିଯାଇଛି । ଯାଆସ ପାଇଁ ରାସ୍ତାଘାଟ ନାହିଁ । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ । ଅନେକ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି ।

Leave A Reply

Your email address will not be published.