ମାଡ଼ିଆସୁଛି ବାତ୍ୟା ବିପଦ!

0 59

ଭୁବନେଶ୍ୱର, ୨୬ା୮ (ଡିକେ ନ୍ୟୁଜ୍‌): ସାଧାରଣତଃ ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟା ବିପଦ ଦେଖାଦେଇଥାଏ । ସାଧାରଣତଃ ମୌସୁମୀ ଆସିବା ପୂର୍ବରୁ ଏବଂ ପରେ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ସୃଷ୍ଟି ହୋଇଥାଏ । ଆଗରୁ ଅକ୍ଟୋବରରେ ଅନେକ ବାତ୍ୟା ଆସିଛି । ୨୯ ଅକ୍ଟୋବର ୧୯୯୯ ମହାବାତ୍ୟା ପରେ, ୧୨ ଅକ୍ଟୋବର ୨୦୧୩ରେ ଫାଇଲିନ୍‌, ୧୨ ଅକ୍ଟୋବର ୨୦୧୪ରେ ହୁଡ୍‌ହୁଡ୍‌, ୧୧ ଅକ୍ଟୋବର ୨୦୧୮ରେ ସଂଗଠିତ ହୋଇଥିଲା ତିତ୍‌ଲି । ଅନ୍ୟପକ୍ଷରେ ମୌସୁମୀ ଆସିବା ପୂର୍ବରୁ ୩ ମଇ ୨୦୧୯ରେ ଫନି, ୨୦ ମଇ ୨୦୨୦ରେ ଅମ୍ଫାନ, ୨୭ ମଇ ୨୦୨୧ରେ ୟାସ୍‌, ୨୬ ସେପ୍ଟେମ୍ବର ୨୦୨୧ରେ ବାତ୍ୟା ଗୁଲାବ ଓଡ଼ିଶାରେ କ୍ଷତି ଘଟାଇଥିଲା । ଆଉ ଏବେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲାସ୍‌ ପୂର୍ବାନୁମାନ କରିଛନ୍ତି ଯେ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିପାରେ ୩ରୁ ୪ ବାତ୍ୟା । ଯାହା ପୁଣି ବଙ୍ଗୋପସାଗରରେ । ଆଉ ଆରବସାଗରରେ ସୃଷ୍ଟି ହୋଇପାରେ ଗୋଟିଏରୁ ଦୁଇଟି ବାତ୍ୟା । ବଙ୍ଗୋପସାଗରରେ ୩ରୁ ୪ ବାତ୍ୟା ଆଶଙ୍କା ଥିବାରୁ ଓଡ଼ିଶା ପ୍ରତି ଏବେ ଭୟ ବଢ଼ିଛି । ଏଣେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଅଗଷ୍ଟରୁ ଅକ୍ଟୋବର ମାସର ପାଣିପାଗ କଥା କହିବା ସଠିକ୍ ହେବ ନାହିଁ । କିନ୍ତ ସାରା ବିଶ୍ୱରେ ବର୍ତ୍ତମାନ ଲା-ନିନାର ପ୍ରଭାବ ରହିଛି । ଯାହା ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ରହିଛି । ଏହା ପ୍ରଭାବରେ ଉତ୍ତର ଭାରତ ମହାସାଗର ଅର୍ଥାତ୍ ବଙ୍ଗୋପସାଗର ଓ ଆରବସାଗରରେ ଜଳପତ୍ତନ ତାପମାତ୍ରା ଅଧିକ ରହିଛି । ଓଡ଼ିଶା ସମେତ ପୂର୍ବ ଉପକୂଳରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବ । ଏହା ପ୍ରଭାବରେ ଅକ୍ଟୋବରରେ ଉପକୂଳରେ ବର୍ଷା ଅଧିକ ରହିବ । ଇଣ୍ଡିଆନ୍ ଓସେନ୍‌ ଟାଇଫୁନ୍ ନେଗେଟିଭ୍ ରହିଛି । ଯାହା କ୍ରମଶଃ ବୃଦ୍ଧି ପାଇବ । ଯଦ୍ୱାରା ଅକ୍ଟୋବର ମାସରେ ବାତ୍ୟା ସୃଷ୍ଟି ହୋଇପାରେ । ଅନ୍ୟପକ୍ଷରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଣିପାଗ ବଦଳୁଛି ଓ ବର୍ଷା କମୁଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବିଜୁଳି ଓ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ନୟାଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାପରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Leave A Reply

Your email address will not be published.