୩ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

0 76

ଭୁବନେଶ୍ୱର, ୨୭ା୮(ଡିକେ ନ୍ୟୁଜ): ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ପରେ ରାଜ୍ୟ ସରକାର ଛୋଟ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁସାରେ ୧୯୯୫ ବ୍ୟାଚ୍ ଆଇଏଏସ ସୁଶୀଲ କୁମାର ଲୋହାନୀ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀ ଲୋହାନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥିସହ ତାଙ୍କ ପାଖରେ ଅବାକାରୀ ବିଭାଗର ସଚିବ ପଦ ରହିଛି । ସେହିପରି ୧୯୯୩ ବ୍ୟାଚ୍‌ ଆଇଏଏସ୍ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ସିଂହ ଓଏମ୍‌ସି ଅଧ୍ୟକ୍ଷ, ଇଡ୍‌କଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇବେ । ଶ୍ରୀ ସିଂହ ଅବକାରୀ ସଚିବ ଭାବେ ଦାୟିତ୍ୱ ନେବା ପରେ ଲୋହାନୀ ଆପେ ଆପେ ଏହି ପଦରୁ ଅବ୍ୟାହତ ନେଇଯିବେ । ୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ବାଣିଜ୍ୟ କର ଓ ଜିଏସ୍‌ଟି କମିଶନ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସୂଚନାଯୋଗ୍ୟ, ଆଇଏଏସ ଅଶୋକ କୁମାର ମୀନାଙ୍କୁ ଗତ ମାସରେ କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଥିଲା । ସେ ଭାରତୀୟ ଖାଦ୍ୟ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ । ରାଜ୍ୟ ସରକାର ଶୁକ୍ରବାର ତାଙ୍କୁ ରିଲିଭ୍ କରିଥିଲେ ।

Leave A Reply

Your email address will not be published.