ବୁଡ଼ିବାକୁ ବସିଲାଣି ଓଡ଼ିଆ ସିନେଶିଳ୍ପ!

0 69

ଭୁବନେଶ୍ୱର, ୨୬ା୯: ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ । ଗତ ଫେବ୍ରୁଆରି ମାସରେ ରାଜ୍ୟର ୧୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ମାତ୍ର ୫ଦିନ ଚାଲିଲା ଓ ୫୦ ହଜାର ଟଙ୍କା ଆୟ କଲା । ଜୁନ୍‌ ମାସରେ ଆଉ ଗୋଟିଏ ଓଡ଼ିଆ ସିନେମା “ଗୁପଚୁପ୍‌’, ରାଜ୍ୟର ୩୩ଟି ହଲ୍‌ରେ ମୁକ୍ତିଲାଭ କଲା । ଦ୍ୱିତୀୟ ସପ୍ତାହ ବେଳକୁ ୧୨ଟି ହଲ୍‌କୁ ଖସି ଆସିଥିଲା । କିନ୍ତୁ ତୃତୀୟ ସପ୍ତାହ ବେଳକୁ ଆଉ କୌଣସି ହଲ୍‌ରେ ଏ ସିନେମାର ଦେଖା ନଥିଲା । ଖାଲି ଏହି ଦୁଇଟି ନୁହେଁ, ଗତ ୯ ମାସ ମଧ୍ୟରେ ରାଜ୍ୟରେ ୨୦ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିଲେ ହେଁ, ହାରାହାରି ହିସାବ ଅନୁଯାୟୀ, ହଲ୍‌ରେ ସପ୍ତାହକରୁ ଊଦ୍ଧ୍ୱର୍ କେହି ତିଷ୍ଠି ପାରିନାହାନ୍ତି । ଏମିତିକି, କେତେଗୁଡ଼ିଏ ସିନେମା କେବଳ ଭୁବନେଶ୍ୱର-କଟକରେ ଥିବା ହଲ୍‌ରେ ହିଁ ଚାଲି ପାରିଛି । ଆଉ କେତେକ ସିନେମା ପାଇଁ ହଲ୍‌ ମାଲିକମାନେ ପ୍ରଯୋଜକମାନଙ୍କଠାରୁ ଅଗ୍ରିମ ସିଟ୍‌ର ସମସ୍ତ ଟଙ୍କା ନେଇ ଯାଇଥିଲେ ବୋଲି ଜଣାପଡ଼ିଛି । ସେହିପରି, କିଛି ପ୍ରଯୋଜକ କେବଳ ଗ୍ରାଣ୍ଡ ପ୍ରିମିୟର ସୋ’କୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ସିନେମାର ନାୟକ, ନାୟିକା ଓ ତାଙ୍କ ପରିବାରବର୍ଗ ଏବଂ ପ୍ରଯୋଜକଙ୍କ ପରିଚିତ ଲୋକମାନଙ୍କ ଉପସ୍ଥିତିରେ ସୋ’କୁ ଚଲାଇଛନ୍ତି । ଏହି ସମୟ ମଧ୍ୟରେ ବିଭିନ୍ନ ଘରୋଇ ଚ୍ୟାନେଲ ଓ ଓଟିଟି ପ୍ଲାଟଫର୍ମରେ ଆଉ ୩୦ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଛି । ସେଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୂପ । ପ୍ରଯୋଜକମାନେ ବାଧ୍ୟ ହୋଇ ଓଟିଟି ଓ ଘରୋଇ ଚ୍ୟାନେଲକୁ ଶାଗମାଛ ଦରରେ ନିଜ ସିନେମାର କପି-ରାଇଟ୍‌ ବିକି ଦେଇଛନ୍ତି । ଗତ ୯ ମାସର ଏହି ଚିତ୍ର ସ୍ପଷ୍ଟ ବୟାନ କରୁଛି ଓଡ଼ିଆ ସିନେମା ଶିଳ୍ପର ସ୍ଥିତି କେତେ ସାଂଘାତିକ । କରୋନା ମହାମାରୀର ଭୟାବହତା କମିବା ପରେ ସବୁ କ୍ଷେତ୍ରରେ କିଛି ନା କିଛି ଉନ୍ନତି ଆସିଲାଣି । ହେଲେ ଓଡ଼ିଆ ସିନେମା ଶିଳ୍ପ ଅଧୋଗତିର ଧାରାରୁ ମୁକୁଳି ପାରୁନି । ବଲିଉଡ୍‌କୁ ଟକ୍କର ଦେଇ ଦକ୍ଷିଣ-ଭାରତୀୟ ସିନେ ଜଗତ ସଫଳତାର ଶୀର୍ଷ ଛୁଇଁବାକୁ ବସିଥିବା ବେଳେ ଓଡ଼ିଆ ସିନେଶିଳ୍ପ କିନ୍ତୁ ବୁଡ଼ିବାକୁ ବସିଲାଣି । ଅତୀତରେ, ପୂଜା ପାର୍ବଣ ଯେପରିକି ରଜ, ଦଶହରା, ହୋଲି ଓ ଦୀପାବଳି ଭଳି ସମୟରେ ହଲ୍‌ରେ ନୂଆ ଓଡ଼ିଆ ସିନେମା ମୁକ୍ତିଲାଭ କଲେ ଓ ଓଡ଼ିଆ ଦର୍ଶକ ତାହାକୁ ଦେଖନ୍ତି । ଦିନକୁ ଚାରିଟି ଲେଖାଏ ସୋ’ ହାଉସ୍‌ଫୁଲ୍‌ ହୋଇଯାଏ । ସେହି ଅନୁଯାୟୀ ଦେଖିବାକୁ ଗଲେ, ଆଗକୁ ଦଶହରା ଅବସରରେ ମୁକ୍ତିଲାଭ ଅପେକ୍ଷାରେ କିଛି ଓଡ଼ିଆ ଚଳଚ୍ଚିତ୍ର ଧାଡ଼ିରେ ଅଛନ୍ତି । ହେଲେ ବର୍ତ୍ତମାନ ସ୍ଥିତି ଯାହା, ଯଦି ସେ ଚଳଚ୍ଚିତ୍ରଗୁଡ଼ିକ ଦର୍ଶକୀୟ ଆଦୃତି ହାସଲ କରି ନପାରିବ, ତେବେ ଓଡ଼ିଆ ସିନେମା ଶିଳ୍ପ ବୁଡ଼ିଯିବା ନେଇ ସିନେ- ସମୀକ୍ଷକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଦର୍ଶକ ଓଡ଼ିଆ ସିନେମା ନ ଦେଖିବା ପଛରେ ଅନେକଗୁଡ଼ିଏ କାରଣ ଅଛି ବୋଲି ସିନେ ସମୀକ୍ଷକମାନେ ଯୁକ୍ତି ବାଢ଼ିଛନ୍ତି । ସେମାନଙ୍କ କହିବା କଥା, ପୂର୍ବ କାଳରେ ଓଡ଼ିଆ ସିନେମାର ମୌଳିକତା ରହୁଥିଲା । ଯଦିଓ ଗୋଟିଏ, ଦୁଇଟି ବାହାରୁ କପି ହେଉଥିଲା, ତାହା ଦର୍ଶକ ଠଉରାଇ ପାରୁ ନଥିଲେ । କାରଣ ଅନ୍ୟ ଭାଷାର ଚଳଚ୍ଚିତ୍ର ଲୋକେ ଦେଖିବାକୁ ପାଉ ନଥିଲେ କିମ୍ବା ସେଥିରେ ତାଙ୍କର ରୁଚି ମଧ୍ୟ ନଥିଲା । କିନ୍ତୁ ଏବେକା ଯୁବପିଢ଼ିଙ୍କ ପାଖରେ ମନୋରଂଜନର ମାଧ୍ୟମ ଅଧିକ । ଇଣ୍ଟରନେଟ୍‌ର ଦ୍ରୁତ ପ୍ରସାର ପରେ ସେମାନେ ଏବେ ଭାରତୀୟ ଭାଷାର ସିନେମା ବ୍ୟତୀତ ଇଂରାଜୀ, ରୁଷ୍‌, ଚୀନ୍‌, ଫ୍ରାନ୍ସ ଆଦି ରାଷ୍ଟ୍ରର ୱେବ୍‌ସିରିଜ୍‌ ଓ ଚଳଚ୍ଚିତ୍ର ଆରାମରେ ଦେଖିପାରୁଛନ୍ତି । ଯେଉଁ ସିନେମା ବା ୱେବ୍‌ସିରିଜ୍‌ର କାହାଣୀ ସେମାନଙ୍କୁ ଭଲ ଲାଗୁଛି, ସେଗୁଡ଼ିକର ଭାଷା ବୁଝି ନ ପାରିଲେ ବି ସବ୍‌-ଟାଇଟଲ୍‌ ଦେଖି ପୂରା ସିନେମା/ସିରିଜ୍‌ ଦେଖି ଦେଉଛନ୍ତି । ତେଣୁ ଅନ୍ୟ ଭାଷାରୁ କପି ହୋଇଥିବା ଓଡ଼ିଆ ସିନେମା ସେମାନଙ୍କ ମନକୁ ପାଉନି । ଆଉ ଗୋଟିଏ କାରଣ ହେଲା, ପୁରୁଣା ଦର୍ଶକ ବି ସିନେମାରୁ ମୁହଁ ଫେରାଇବାକୁ ଲାଗିଲେଣି । ସେମାନଙ୍କ ଅଭିଯୋଗ ହେଲା, କପି ସିନେମା ହେଲେ ବି ଯଦି ସେଥିରେ କଳାକାରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳନ୍ତା, ସେମାନେ ଦେଖନ୍ତେ । କିନ୍ତୁ ଏବେ ଓଡ଼ିଆ ସିନେ-ଜଗତରେ ଏକପ୍ରକାର କଳାକାର ମରୁଡ଼ି ଦେଖାଦେଲାଣି । ସେହିପରି ଅନ୍ୟ ଏକ ବଡ଼ କାରଣ ହେଲା, ଓଡ଼ିଶାରେ ଥିବା ହଲ୍‌ଗୁଡ଼ିକର ମାଲିକମାନେ ଓଡ଼ିଆ ସିନେମାକୁ ନେଇ ଆଦୌ ଉତ୍ସାହିତ ନୁହନ୍ତି । ତାହାର କାରଣ ହେଲା, ବଲିଉଡ୍‌ ଓ ହଲିଉଡ୍‌ ସିନେମାର ଯେତେ ଲୋକପ୍ରିୟତା ରହୁଛି ବା ସେ
ଚଳଚ୍ଚିତ୍ରଗୁଡ଼ିକରୁ ଯେତେ ଆୟ ହେଉଛି, ତାହା ଓଡ଼ିଆ ସିନେମା ଦେଇପାରୁନାହିଁ ।

Leave A Reply

Your email address will not be published.