ଭୋକକୁ ଜିତିଛି ଓଡ଼ିଶା

0 50

ଭୁବନେଶ୍ୱର, ୩୦ା୯ (ଡିକେ ନ୍ୟୁଜ୍‌): ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ ରୂପାୟନ ପାଇଁ ଓଡ଼ିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିଶ୍ୱ ଖାଦ୍ୟ ସଂଗଠନର ଭାରତ ମୁଖ୍ୟ ବିଶୋ ପାରାଜୁଲି । ଶୁକ୍ରବାର ଲୋକସେବା ଭବନରେ ପାରାଜୁଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟି ଓଡ଼ିଶାର ପ୍ରଶଂସା କରିବା ସହ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ଏକ ନମ୍ୱର ସ୍ଥାନରେ ରହିଛି ବୋଲି କହିଛନ୍ତି । ଡବ୍ଲ୍ୟୁଏଫପିର କାର୍ଯ୍ୟକଳାପରେ ସର୍ବୋତ୍ତମ ସହାୟତା ଏବଂ ସହଯୋଗ ପାଇଁ ମଧ୍ୟ ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେମାନେ ଓଡ଼ିଶାରେ ଏକ ଉକ୍ରର୍ଷ କେନ୍ଦ୍ର ପ୍ରତିଷ୍ଠା କରିବେ ବୋଲି କହିଛନ୍ତି ପାରାଜୁଲି । ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ମାଲକାନଗିରି ଜିଲ୍ଲାରେ ପୋଷଣଯୁକ୍ତ ଚାଉଳ ବଣ୍ଟନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ବଣ୍ଟନ କାର୍ଯ୍ୟକ୍ରମର ସୀମା ନିର୍ଦ୍ଧାରଣ ପାଇଁ ସର୍ଭେ କରାଯିବ । ପୋଷଣଯୁକ୍ତ ଚାଉଳ ଧାନର ଉପଯୋଗୀତା ନେଇ ଯୋଗାଣ ଅଧିକାରୀ, ମିଲର ଓ ଡିଲରଙ୍କୁ ସଚେତନ କରାଯିବ । ସବୁ ପିଡିଏସ ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ସମୟରେ ରାଜ୍ୟର ୫ ମହାନଗର ନିଗମରେ ଅତି କମରେ ୨ଟି ଲେଖାଏଁ ଶସ୍ୟ ଏଟିଏମ ପ୍ରତିଷ୍ଠା ପାଇଁ ଡବ୍ଲ୍ୟୁଏଫପି ଭାରତ ମୁଖ୍ୟଙ୍କ ନିକଟରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦାବି କରିଛନ୍ତି ।

Leave A Reply

Your email address will not be published.