ସେବା ଓ ସମର୍ପଣର ୨୫ ବର୍ଷ

0 68

ଭୁବନେଶ୍ୱର, ୧୫ା୧୦(ଡିକେ ନ୍ୟୁଜ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟିତ୍ୱକୁ କାନ୍ଧରେ ବୋହି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି ରାଜନୀତିରେ ୨୫ ବର୍ଷର ବିରଳ ଯାତ୍ରା । ଓଡ଼ିଶାକୁ ଦେଶର ସବୁଠୁ ଆର୍ଥିକ ସ୍ୱଚ୍ଛଳ ଓ ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କର ଦୀର୍ଘ ସାଧନା ଓଡ଼ିଶାରେ ଆଣିଛି ରୂପାନ୍ତରଣ । ଦୀର୍ଘ ୨୫ ବର୍ଷର ରାଜନୈତିକ ଯାତ୍ରାରେ ରାଜନୀତି, ସରକାର, କ୍ଷମତାର ସଂଜ୍ଞାକୁ ଭିନ୍ନ ଭାବରେ ପ୍ରଦର୍ଶିତ କରିଛନ୍ତି ସେ । ପରିଣତି ସ୍ୱରୂପ ଏକ ସମୟରେ ନକାରାତ୍ମକ ରାଜକୋଷୀୟ ସ୍ଥିତିରୁ ମୁକୁଳି ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି । ଭୋକର ଭୂଗୋଳ କଳାହାଣ୍ଡିକୁ ନେଇ ଚର୍ଚ୍ଚାରେ ଥିବା ଓଡ଼ିଶା ସମ୍ପ୍ରତି ଦେଶର ଅନ୍ୟତମ ବୃହତ୍ତମ ଖାଦ୍ୟ ଉତ୍ପାଦନକାରୀ ରାଜ୍ୟ ପାଲଟିଛି । ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି । ଦେଶର ତୃତୀୟ ବୃହତ୍‌ ଧାନ ଉତ୍ପାଦନ ରାଜ୍ୟରେ ଓଡ଼ିଶା ପରିଣତ ହୋଇପାରିଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ରୋଲ ମଡ଼େଲ ପାଲଟିଛି । ୧୯୯୯ ମହାବାତ୍ୟାରେ ଅଣ୍ଟାଭାଙ୍ଗି ପଡ଼ିଥିବା ରାଜ୍ୟ ଏବେ ଦେଶର ବିଭିନ୍ନ ରାଜ୍ୟକୁ ବିପର୍ଯ୍ୟୟ ସମୟରେ ସହାୟତା ଯୋଗାଇବାକୁ ସକ୍ଷମ ହୋଇଛି । ନବୀନଙ୍କ \”ଶୂନ୍ୟ ଜୀବନହାନି\’ ମନ୍ତ୍ର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନୂଆ ଯୁଗ ସୃଷ୍ଟି କରିଛି । ମିଶନଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ଦକ୍ଷତା ବିକାଶ ଜରିଆରେ ରାଜ୍ୟର ଲକ୍ଷ ଲକ୍ଷ ଯୁବକଯୁବତୀ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଜାଗା ମିଶନରେ ସହରାଞ୍ଚଳର ଗରିବ ଭୂମିହୀନମାନଙ୍କୁ ଭୂ ଅଧିକାର ପ୍ରଦାନ କରାଯାଇଛି, ବିଶ୍ୱସ୍ତରରେ ଓଡ଼ିଶା ଦେଶର କ୍ରୀଡ଼ା କେନ୍ଦ୍ରରେ ପରିଣତ ହୋଇଛି । ଅନୁରୂପ ଭାବରେ ମାଓ ଅଧ୍ୟୁଷିତ ଅଞ୍ଚଳ ସ୍ୱାଭିମାନ ଅଞ୍ଚଳ ଭାବରେ ପରିଚିତି ପାଇଛି । ନବୀନଙ୍କ ଦୃଢ଼ ନେତୃତ୍ୱ, ଦକ୍ଷ ପ୍ରଶାସନ ଓ ସୁସ୍ଥ ଶାସନର ଗୋଟିଏ ଗୋଟିଏ ଉଦାହରଣ ମାତ୍ର । ୧୯୯୭ ମସିହାରେ ଆସିକା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହେବା ପରଠାରୁ ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭାବରେ ଗ୍ରହଣ କରିଛନ୍ତି ନବୀନ । ସେଇଥିପାଇଁ ନିଜ ଦଳର ସର୍ବନିମ୍ନସ୍ତରରେ କାର୍ଯ୍ୟ କରୁଥିବା କର୍ମୀଙ୍କଠାରୁ ଆରମ୍ଭ କରି ଶୀର୍ଷ ଦଳୀୟ ନେତୃତ୍ୱ, ସରକାରଙ୍କ ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀଙ୍କୁ ରାଜ୍ୟର ସବୁଠୁ ଦୁର୍ବଳ ଲୋକଟି ପାଖରେ ଠିଆ ହେବାକୁ ବିଭିନ୍ନ ସମୟରେ ସେ ପରାମର୍ଶ ଦେଇଛନ୍ତି । ନିଜର ଜୀବନକୁ ରାଜ୍ୟବାସୀଙ୍କ ବିକାଶ ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଏକ ନୂତନ, ସଶକ୍ତ, ସମୃଦ୍ଧ ଓ ସୁସ୍ଥ ଓଡ଼ିଶା ଗଠନ ଲକ୍ଷ୍ୟରେ କାର୍ଯ୍ୟ କରି ଚାଲିଛନ୍ତି । ତାଙ୍କ ବିକାଶ ନକ୍ସାରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ସାମିଲ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନିରନ୍ତର କ୍ଷତିଗ୍ରସ୍ତ ହେଉଥିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୃ କରିବା ଲାଗି ଆରମ୍ଭ ହୋଇଛି \”କାଳିଆ\’ ଯୋଜନା । ରାଜ୍ୟର ପ୍ରାୟ ଅଧ କୋଟି ଚାଷୀ ଏହି ଯୋଜନାରେ ଉପକୃତ ହେଉଛନ୍ତି । ମହିଳାମାନଙ୍କ ବିକାଶ ନ ହେଲେ ରାଜ୍ୟର ବିକାଶ ସମ୍ଭବ ନୁହେଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାଙ୍କ ବିକାଶ ଓ ସେମାନଙ୍କ ରାଜନୈତିକ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଆସିଛନ୍ତି । ମିଶନ ଶକ୍ତି ରାଜ୍ୟର ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିପାରିଛି । ଅନୁରୂପ ଭାବରେ ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ସେମାନଙ୍କୁ ଦେଇଛି ଭିନ୍ନ ପରିଚୟ । ଲୋକସଭାରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରାଯାଇଛି । ଏବେ ରାଜ୍ୟର ୭୦% ଜିଲ୍ଲା ପରିଷଦ ମୁଖିଆ ଓ ୫୫% ପୌରାଞ୍ଚଳରେ ଅଧ୍ୟକ୍ଷ ପଦରେ ମହିଳା ଅବସ୍ଥାପିତ ହୋଇଛନ୍ତି । ଚିକିତ୍ସା ପାଇଁ କେହି ଜମିବାଡ଼ି, ଗହଣା ବନ୍ଧକ ରଖିବେ ନାହିଁ । ଏଥିପାଇଁ ରାଜ୍ୟରେ ପ୍ରଚଳନ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ । ଏଥିରେ ମହିଳାମାନଙ୍କୁ ୧୦ ଲକ୍ଷ ଓ ଅନ୍ୟମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମାଗଣାରେ ପ୍ରଦାନ କରାଯାଉଛି । ରାଜ୍ୟର ପ୍ରସିଦ୍ଧ ଧାର୍ମିକ ପୀଠଗୁଡ଼ିକର ରୂପାନ୍ତର ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ଅଧିକ ଦୃଢ଼ୀଭୂତ କରିଛି । ପ୍ରସିଦ୍ଧ ଧାର୍ମିକ ପୀଠ ତାରାତାରିଣୀର ରୂପାନ୍ତରଣ ଶେଷ ହୋଇଛି । ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ପୀଠର ରୂପାନ୍ତରଣ କାର୍ଯ୍ୟ ଏବେ ଚାଲୁଛି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ସାରା ଦେଶରେ ଓଡ଼ିଶା ଶୀର୍ଷସ୍ଥାନ ଅଧିକାର କରିଛି । ବ୍ୟକ୍ତିଗତ ଜୀବନରେ ସ୍ୱଚ୍ଛତା ଅବଲମ୍ବନ କରୁଥିବା ନବୀନ ଦୁର୍ନୀତି ବିରୋଧରେ \”ଶୂନ୍ୟ ସହନଶୀଳତା\’ ଅବଲମ୍ବନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ପରିଣତି ସ୍ୱରୂପ ୧୭୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀଙ୍କ\ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ ସ୍କୁଲର ରୂପାନ୍ତରଣ କରାଯାଇ ଏହାକୁ ଘରୋଇ ବିଦ୍ୟାଳୟଠାରୁ ଉନ୍ନତ ପରିଣତ କରାଯିବା, ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅରିଂପରି ବୃତ୍ତିଗତ ଶିକ୍ଷାରେ ୧୫% ସ୍ଥାନ ସଂରକ୍ଷଣ ପରି ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଅନୁରୂପ ଭାବରେ ଅନୁସୂଚୀତ ଜନଜାତି ବର୍ଗର ବିକାଶ ନିମନ୍ତେ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆବାସିକ ସ୍କୁଲରେ ଶିକ୍ଷାଦାନ କରାଯାଉଛି । ସହରାଞ୍ଚଳର ଗରିବ ଭୋକିଲାଙ୍କ ପାଇଁ \”ଆହାର\’ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯେଉଁଠି ମାତ୍ର ୫ ଟଙ୍କାରେ ଭୋକିଲାଙ୍କୁ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇ ପାରୁଛି । ମହାମାରୀ ପରିଚାଳନା ଓ କୋଭିଡ୍ ଦ୍ୱିତୀୟ ଲହର କାଳରେ ସାରା ଦେଶକୁ ଅକ୍ସିଜେନ୍ ଯୋଗାଇବା ନିମନ୍ତେ ନବୀନଙ୍କ ପଦକ୍ଷେପ ତାଙ୍କୁ ଦେଇଛି ଅଜସ୍ର ପ୍ରଶଂସା । ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଭିଟାମାଟିକୁ ଫେରାଇ ଆଣିବା, କୋଭିଡ଼ ପୀଡ଼ିତଙ୍କ ମାଗଣା ଚିକିତ୍ସା, ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା, ମହାମାରୀ ମୁକାବିଲାରେ ନିୟୋଜିତ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ କୋଭିଡ଼ ଯୋଦ୍ଧାର ମାନ୍ୟତା ଦେଶର ଅନ୍ୟତ୍ର କେଉଁଠି ଦେଖିବାକୁ ମିଳିନାହିଁ । ୫-ଟି\’ଉପକ୍ରମରେ ରୂପାନ୍ତରଣ ରାଜ୍ୟରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ । ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ \”୫-ଟି\’ ବେଶ୍ ଉପାଦେୟ ହୋଇଛି । ଅନୁରୂପ ଭାବରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ହୋଇପାରିଛି । \”ମୋ ସରକାର\’ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପଞ୍ଚାୟତସ୍ତରରୁ ଶାସନ ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ନେଇ ତଥ୍ୟ ସଂଗ୍ରହ କରାଯାଉଛି । \”ଗଭର୍ଣ୍ଣାନ୍ସ ଆଟ୍‌ଲାସ୍‌\’ କୁହାଯାଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦାରିଦ୍ର‌୍ୟ ହାର ୧୦% କୁ ହ୍ରାସ ସହ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ସାମୁଦାୟିକ ଓ ବ୍ୟକ୍ତିଗତସ୍ତରରୁ ନିଆଯାଉଛି ସୂଚନା । ଯାହା ପ୍ରଶାସନକୁ ଅଧିକ ଲୋକାଭିମୁଖୀ, ଶୃଙ୍ଖଳିତ ଓ ସ୍ୱଚ୍ଛ କରିବାରେ ସହାୟକ ହୋଇପାରିଛି । ସାରା ଦେଶ ପାଇଁ ଓଡ଼ିଶାର \”ନବୀନ\’ ମଡ଼େଲ ଉଦାହରଣ ପାଲଟିଛି । ଏସବୁ ପଛରେ ରହିଛି ଯେଉଁ ବ୍ୟକ୍ତିଙ୍କ ଦୀର୍ଘ ତପସ୍ୟା, ବିନିଦ୍ର ସାଧନା ରହିଛି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାଙ୍କ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ଶିଳ୍ପ, ସୂଚନା ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଆକର୍ଷଣର ଭୂଇଁ ପାଲଟିଛି । ସହଜ ଶିଳ୍ପ ନୀତି ରାଜ୍ୟରେ ନିବେଶ ରାସ୍ତା ପ୍ରଶସ୍ତ କରିଛି । ସାରା ଦେଶ ତୁଳନାରେ ଓଡ଼ିଶାରେ ବେକାରୀ ହାର ଅତ୍ୟନ୍ତ ନଗଣ୍ୟ ରହିଛି । ଓଡ଼ିଶାର ଲୋକମାନଙ୍କ ନିରନ୍ତର ଭଲ ପାଇବାର ପ୍ରତିଦାନରେ ନବୀନ ରାଜ୍ୟବାସୀଙ୍କୁ ଦେଇଛନ୍ତି ଉତ୍ସର୍ଗୀକୃତ ସେବା, ଲୋକାଭିମୁଖୀ ସରକାର । ଏଥିପାଇଁ କ୍ରମାଗତ ଭାବରେ ସେ ରାଜ୍ୟର ସର୍ବାଧିକ ଲୋକପ୍ରିୟ ରାଜନେତାର ମାନ୍ୟତା ପାଇଛନ୍ତି । ଦେଶବିଦେଶର ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ତାଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ସମ୍ମାନିତ କରିଛନ୍ତି । ଜାତୀୟସ୍ତରଠାରୁ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ମିଳିଛି ଶ୍ରଦ୍ଧା ଓ ସ୍ୱୀକୃତି । ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ନବୀନଙ୍କ ସମୟୋପଯୋଗୀ ପଦକ୍ଷେପ ଓ ଦୂରଦର୍ଶୀ କାର୍ଯ୍ୟକୁ ସ୍ୱୀକୃତି ଦେଇଛି । ଏହି କ୍ରମରେ ଏହି ସମ୍ମାନ ଓ ସ୍ୱୀକୃତିରେ ଯୋଡ଼ି ହୋଇଛି ଆଉ ଏକ ରତ୍ନ । ରାଜନୀତିରେ ୨୫ ବର୍ଷ, ଲୋକସେବାର ରଜତ ଜୟନ୍ତୀରେ ଜୀବନବ୍ୟାପୀ ସାଧନା ନିମନ୍ତେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ନବୀନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.