ରାଜ୍ୟରେ ଖୋଲିବ ୩୩୮ ନୂଆ ହସ୍ପିଟାଲ

0 66

ଭୁବନେଶ୍ୱର, ୨୬ା୧୦(ଡିକେ ନ୍ୟୁଜ): ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବାରେ ଲାଗିଛନ୍ତି । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ୟୟ ପରି·ଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଶିକ୍ଷା ହେଉ କି ସ୍ୱାସ୍ଥ୍ୟ ଅବା କୃଷି, ଏସବୁର ବିକାଶ ଦିଗରେ ଏବେ ସବୁଠି ଆଗରେ ଓଡ଼ିଶା । ଏହାରି ମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆହୁରି ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ୩୩୮ ଟି ନୂଆ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ମିଳିବ । ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା ଅସୁବିଧାକୁ ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସରକାର ଆଗାମୀ ଦିନରେ ୩୩୮ଟି ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ନିର୍ମାଣ କରିବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟର ବିଭିତ୍ତ ସ୍ଥାନରେ ୧୨ଟି ଉପଖଣ୍ଡ ଡାକ୍ତରଖାନା, ୨୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୩୦୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବ । ଏକକାଳୀନ ନୂତନ ଭାବେ ୩୩୮ଟି ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେବା ପରେ ବିଶେଷ ଭାବେ ଗ୍ରାମାଞ୍ଚଳର ଲୋକେ ବହୁ ଉପକୃତ ହେବେ । ତେବେ ୩୩୮ଟି ଡାକ୍ତରଖାନା ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ନିର୍ମାଣ ହେଲା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଯୁବକଯୁବତୀଙ୍କୁ ନିଯୁକ୍ତିର ସୁଯୋଗ ମିଳିପାରିବ । ଡାକ୍ତର, ମେଡିକାଲ ଅଧିକାରୀ, ଫାର୍ମାସିଷ୍ଟ, ଷ୍ଟାଫ୍‌ ନର୍ସ ଓ ୪ର୍ଥ କର୍ମ·ରୀଙ୍କୁ ନିଯୁକ୍ତି ମିଳିବ । ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ଯେ ରାଜ୍ୟରେ ଥିବା ୩୭୭ ସିଏଚ୍‌ସିର ଅଧାରୁ ଅଧିକକୁ ପ୍ରଥମ ରେଫରାଲ୍‌ ୟୁନିଟ୍‌ (ଏଫ୍‌ଆରୟୁ) ଭାବରେ ଗ୍ରହଣ କରାଯିବ । ଅଣ- ଏଫଆରୟୁ ସିଏଚ୍‌ସିଗୁଡ଼ିକୁ ୩୦ ଶଯ୍ୟା ବିଶିଷ୍ଟ ଡାକ୍‌ତରଖାନା ଭାବରେ ନବୀକରଣ କରାଯିବ ଏବଂ ଯେଉଁଗୁଡିକରେ ୩୫ କିମ୍ବା ତା’ଠାରୁ ଅଧିକ ବେଡ ବିଶିଷ୍ଟ ଡାକ୍ତରଖାନା ରହିଛନ୍ତି ସେଗୁଠିକୁ ୫୦ ଶଯ୍ୟା ବିଶିଷ୍ଟ ସିଏଚ୍‌ସି ଭାବରେ ନବୀକରଣ କରାଯିବ । ସମାନ ଭାବରେ ଏସ୍‌ଡିଏଚ୍‌ଗୁଡିକ ୧୦୦ ଶଯ୍ୟା ବିଶିଷ୍ଟ ହେବ ଏବଂ ଆଇପିଏଚ୍‌ଏସ୍‌ ମାନଦଣ୍ଡ ଅନୁଯାୟୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାଗୁଡ଼ିକରେ (ଡିଏଚ୍‌ଏଚ୍‌ଏସ୍‌) ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ୨୦ରୁ ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାମାନଙ୍କରେ ଡିଏଚ୍‌ଏଚ୍‌ରେ ଅତି କମ୍‌ରେ ୫୦୦ ଶଯ୍ୟା, ୧୦ ରୁ ୨୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୪୦୦ ଶଯ୍ୟା, ପାଞ୍ଚରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୩୦୦ ଶଯ୍ୟା ରହିବ । ଛଅ କିମ୍ବା ଅଧିକ ଶଯ୍ୟା ବିଶିଷ୍ଟ ଅନ୍ୟ ୪୯ଟି ଡାକ୍ତରଖାନା ମଧ୍ୟରୁ ୯ଟି ପିଏଚ୍‌ସି (ଡେ କେୟାର) ଏବଂ ୪୦ଟି ପିଏଚ୍‌ସି ଶ୍ରେଣୀଭୁକ୍ତ ହେବ ।

Leave A Reply

Your email address will not be published.