“ଆଭା’ ଆଇଡି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ନଂ-୧

0 62

ଭୁବନେଶ୍ୱର, ୧୧ା୧୨(ଡିକେ ନ୍ୟୁଜ): ଆୟୁଷମାନ ଭାରତ ହେଲଥ୍‌ ଆକାଉଣ୍ଟ-ଆଭା ଆଇଡି ପଞ୍ଜିକରଣ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆଜି ୟୁନିଭର୍ସାଲ ହେଲଥ୍‌ କନଭର୍ଞ୍ଜାନ୍ସ ଡେ’ ଅବସରରେ ବାରଣାସୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ପୁରସ୍କୃତ କରିଛନ୍ତି । ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ସ୍ୱାସ୍ଥ୍ୟ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ବୈଷିୟକ କୌଶଳ ଉପଯୋଗରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକ ଡ ବୃନ୍ଦା ଡି କେନ୍ଦ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆଭା ଆଇଡି ଏପରି ଏକ ପରିଚୟପତ୍ର ଯାହାଦ୍ୱାରା ଭାରତର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ହିତାଧିକାରୀ ନିଜର ମେଡିକାଲ ରେକର୍ଡ ହାସଲ କରିପାରିବେ । ଏଥିରେ ଡିଜିଟାଲ ପଦ୍ଧତ୍ତିରେ ତାଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିବରଣୀ ରହିଥାଏ ଯାହାଦ୍ୱାରା ତାଙ୍କର ସଠିକ୍‌ ଚିକିତ୍ସା କରାଯାଇ ପାରିଥାଏ । ଆଭା ଆଇଡି କାର୍ଡ ସୃଷ୍ଟି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମଗ୍ର ରାଜ୍ୟରେ ମ୍ୟାନେଜମେଣ୍ଟ ଇନଫରମେସନ୍‌ ସିଷ୍ଟମ୍‌ (ଏମ୍‌ଆଇଏସ୍‌) କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି । ଏଥିସହ ଇ-ସଞ୍ଜିବନୀ (ଟେଲିମେଡିସିନ୍‌ ସେବା)ର ଉନ୍ନୟନ ଏବଂ ସବ୍‌ ସେଣ୍ଟର ସ୍ତରରେ ଇ-ସ୍ୱାସ୍ଥ୍ୟ ପଦକ୍ଷେପ ନିଆଯାଇଛି । ଓଡ଼ିଶାରେ ୨୧.୯୦ ଲକ୍ଷ ଆଭା ଆଇଡି ସୃଷ୍ଟି ପାଇଁ ଭାରତ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୪୩,୬୧,୮୯୫ (୧୯୯%) ସଂଖ୍ୟକ ଆଇଡି ସୃଷ୍ଟି କରିପାରିଛି । ଏନ୍ସିଡି ପୋର୍ଟାଲ, ଆରସିଏଚ୍‌ ପୋର୍ଟାଲ, ଇ-ସଞ୍ଜିବନୀ, ପିଏମ୍‌ଏନ୍‌ପିପି, ନିକ୍ଷା ପୋର୍ଟାଲ ଜରିଆରେ ଏହି ଆଇଡି ସୃଷ୍ଟି କରାଯାଇଛି । ଏହି ଉଦ୍ୟମ ଫଳରେ ଓଡ଼ିଶା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଠାରୁ ଢେ଼ର ଅଧିକ ପ୍ରଦର୍ଶନ କରିପାରିଛି । ଏପରିକି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ପୁରୀ, କେନ୍ଦୁଝର ଜାତୀୟ ସ୍ତରରେ ଶୀର୍ଷ ଜିଲ୍ଲାର ମାନ୍ୟତା ପାଇଛନ୍ତି ।

Leave A Reply

Your email address will not be published.