ଓଡ଼ିଶାରେ ଲାଗିବନି କଟକଣା ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମଶ

0 73

ଭୁବନେଶ୍ୱର, ୨୮ା୧୨(ଡିକେ ନ୍ୟୁଜ): ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଆରଏମ୍‌ଆରସିର ଅଧିକାରୀ, ଏମ୍ସ ଓ ଆଇଏଲ୍‌ଏସ୍‌ର ପ୍ରଫେସର, ଗୋଷ୍ଠୀ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି ବୈଠକ ପରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ରାଜ୍ୟରେ କୋଭିଡ୍‌ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍‌ ପରିସ୍ଥିତି ଯାହା ତା’ର କାରଣ ଅନେକ, ତାକୁ ନେଇ ଭୟ କରିବାର କାରଣ ନାହିଁ । ଏବେ ଦେଶରେ ବା ଓଡ଼ିଶାରେ କୋଭିଡର ବିଏଫ.୭ ଭାରିଆଣ୍ଟଟକୁ ନେଇ ଯେଉଁ ଆଶଙ୍କା କରାଯାଉଛି, ତାହା ବି ୩-୪ମାସ ଧରି ଏଠାରେ ରହିଛି । ଏହାର କିଛି ବି ସେଭଳି ଗୁରୁତର ପରିଣାମ ହୋଇନି । ତେଣୁ ବିଶେଷଜ୍ଞମାନଙ୍କ ପରାମର୍ଶରେ ରାଜ୍ୟ ସରକାର କୌଣସି ପ୍ରକାରର କଟକଣା ଜାରି କରିବେ ନାହିଁ । କେବଳ ଜନଗହଳିପୂର୍ଣ୍ଣ ଅଂଚଳକୁ ଯିବାବେଳେ ଲୋକେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ଉଚିତ୍‌ ବୋଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି । ସେ କହିଛନ୍ତି ବୈଠକରେ ଚୀନର ବର୍ତମାନର ପରିସ୍ଥିତି ତଥା ଦେଶ ଓ ରାଜ୍ୟର କୋଭିଡ୍‌ ପରିସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ଓଡ଼ିଶାରେ କୋଭିଡ୍‌ ସ୍ଥିତିକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଏହି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ପ୍ରତି ୧୦ଲକ୍ଷରେ ୧୩୧ଜଣଙ୍କ କୋଭିଡ୍‌ ପରୀକ୍ଷା ହେଉଥିବାବେଳେ ଦୈନିକ ପ୍ରାୟ ୬-୭ହଜାର ପରୀକ୍ଷା ହେଉଛି । ସେମାନଙ୍କ ମଧ୍ୟରୁ ମାତ୍ର ୫- ୬ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କୌଣସି ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହେଉନି । ସେହିଭଳି ଦେଶରେ ବି ସର୍ବାଧିକ ୧୦୦ ଭିତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ଓଡ଼ିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୦.୦୪% ହୋଇଥିବାବେଳେ ସମଗ୍ର ଦେଶରେ ଏହା ୦.୩% ଅଛି । ତେଣୁ ଗତ ୪ସପ୍ତାହର ସ୍ଥିତିକୁ ଅନୁଧ୍ୟାନ କରିବା ପରେ ସରକାର ରାଜ୍ୟରେ କୋଭିଡ୍‌ ସଂକ୍ରାନ୍ତ କୌଣସି କଟକଣା ବା ନିୟମ ଲାଗୁ କରିବାକୁ ଚାହୁଁନାହାନ୍ତି । ତେବେ ଏବେ ଯେଉଁ ସବୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସମସ୍ତଙ୍କର ଜିନୋମ ଟେଷ୍ଟିଂ କରାଯାଉଛି । ରାଜ୍ୟର ୩ଟି ସ୍ଥାନରେ ଏହି ଜିନୋମ ଟେଷ୍ଟିଂ ହେଉଛି । ତା’ଛଡ଼ା ରାଜ୍ୟରେ ଏବେ ଦୈନିକ କୋଭିଡ୍‌ ପରୀକ୍ଷା ଯାହା ହେଉଛି ସେଥିରୁ ୫୦% ଆରଟିପିସିଆର ଟେଷ୍ଟ । ସବୁ ଜିଲ୍ଲାରେ ଏହି ଟେଷ୍ଟ ସୁବିଧା ରହିଛି ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି । କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ନିଜ ତରଫରୁ ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣ ଔଷଧ, କିଟ୍‌ , ଅକ୍ସିଜେନ ବେଡ୍‌ ଆଦି ପ୍ରସ୍ତୁତ ରଖିଛନ୍ତି । ଯାହାଫଳରେ ଯେକୌଣସି ପରିସ୍ଥିତିର ମୁକାବିଲା ସଙ୍ଗେ ସଙ୍ଗେ କରାଯାଇପାରିବ । ତା’ଛଡ଼ା ରାଜ୍ୟର ୯୦ ପ୍ରତିଶତ ଲୋକ ଦୁଇଟି ଡୋଜ୍‌ କୋଭିଡ୍‌ ଟିକା ନେଇସାରିଛନ୍ତି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ କୋଭିଡ୍‌ ଟିକା ମହଜୁଦ ନାହିଁ । ସେ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ପୂର୍ବରୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜଣାଇ ସାରିଛନ୍ତି । ସେ ନିଜେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାକୁ କୋଭିଡ୍‌ ଟିକା ପଠାଇବାକୁ ଅନୁରୋଧ କରିବେ । ଅବଶ୍ୟ ଘରୋଇ ହସ୍ପିଟାଲରେ ଟିକା ମହଜୁଦ ଅଛି, କିନ୍ତୁ ସରକାରୀ ହସ୍ପିଟାଲରେ କୋଭିଡ୍‌ ଟିକା ବ୍ୟବସ୍ଥା କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.