ଅଦୃଶ୍ୟ ଶକ୍ତିର ହାତ ନେଇ ବଢ଼ିଲା ସନ୍ଦେହ ୧୫ ଦିନରେ ୩ ଋଷ ନାଗରିକଙ୍କ ମୃତ୍ୟୁ

0 72

ପାରାଦୀପ, ୩ା୧ (ଡିକେ ନ୍ୟୁଜ୍‌): ୧୫ଦିନ ଭିତରେ ଓଡ଼ିଶାରେ ୩ ଋଷ ନାଗରିକଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ବର୍ଷ ଶେଷ ଓ ବର୍ଷ ଆରମ୍ଭ ଭିତରେ ୩ ଋଷ ନାଗରିକଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ତୃତୀୟ ଋଷ ନାଗରିକ ହେଲେ ସର୍ଜେଇ ମିଲ୍ୟାକୋଭ୍‌(୫୧) । ମିଲ୍ୟାକୋଭ୍‌ ଜାହାଜର ଚିଫ୍‌ ଇଞ୍ଜିନିୟର ଥିଲେ । ଆଜି ଭୋର ପ୍ରାୟ ୪.୩୦ ମିନିଟ୍‌ ସମୟରେ ଜାହାଜରେ ଥିବା ଚାମ୍ବରରୁ ମିଳିଥିଲା ତାଙ୍କର ମୃତଦେହ । ବାଂଲାଦେଶର ଚିଟାଗଙ୍ଗରୁ ପାରାଦୀପ ହୋଇ ଜାହାଜ ମୁମ୍ବାଇ ଯାଉଥିବା ବେଳେ ପାରାଦୀପ ବନ୍ଦରରେ ଅଟକି ଥିଲା । ପାରାଦୀପ ବନ୍ଦର ଭିତରକୁ ପ୍ରବେଶ କରିବା ପାଇଁ ସମୁଦ୍ରରେ ଲଙ୍ଗର ପକାଇ ଆଙ୍କ୍ରେଜରେ ଅପେକ୍ଷା କରିଥିଲା ଜାହାଜ ଏମ.ଭି.ଅଲଦ୍‌ନାହ । ପୋଲିସକୁ ଏଯାଏ ସର୍ଗେଇଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିନଥିଲେ ହେଁ ପ୍ରାଥମିକ ଅନୁସନ୍ଧାନରୁ ସେ ତାଙ୍କ ଚାମ୍ବରରେ ଅଚାନକ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ । ତେଣୁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ମୃତ୍ୟୁର ପ୍ରକୃତ କାରଣ । ମାତ୍ର ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାରେ ୩ ଋଷ ନାଗରିକଙ୍କ ମୃତ୍ୟୁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଡିସେମ୍ବର ୨୨ରେ ଭ୍ଲାଦିମିର ବିଦୋନୋଭଙ୍କ ହୋଟେଲ ରୁମ୍‌ରେ ହୃଦ୍‌ଘାତରେ ମୃତ୍ୟୁ ହେବା ଏବଂ ଡିସେମ୍ବର ୨୪ରେ ହୋଟେଲ ଛାତରୁ ପଡ଼ି ପୁଟିନଙ୍କ ସମାଲୋଚକ ତଥା କୋଟିପତି ସାଂସଦ ପାଭେଲ ଆଣ୍ଟୋଭ୍‌ଙ୍କ ମୃତଦେହ ମିଳିବା ଏବଂ ଜାନୁଆରୀ ୩ରେ ଜାହାଜରୁ ସର୍ଜେଇ ମିଲ୍ୟାକୋଭ୍‌ଙ୍କ ମୃତଦେହ ଉଦ୍ଧାର ହେବା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ଏହି ସମସ୍ତ ଋଷ ନାଗରିକଙ୍କ ମୃତ୍ୟୁ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ହୋଇଛି । ତାହା ପୁଣି ମାତ୍ର ୧୫ ଦିନରେ । କ’ଣ ଏ ମୃତ୍ୟୁ ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ରହିଛି କି ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି । କୌଣସି ବିଦେଶୀ ଏଜେଣ୍ଟଙ୍କ ଦ୍ୱାରା ଏମାନଙ୍କୁ ହତ୍ୟା କରାଯାଉଛି କି ? ରାୟଗଡ଼ା ଘଟଣାରେ କ୍ରାଇମବ୍ରାଞ୍ଚ ତନାଘନା ଚଳାଇଥିବା ବେଳେ ପାରାଦୀପ ଘଟଣାକୁ ମଧ୍ୟ କ୍ରାଇମବ୍ରାଞ୍ଚ ହାତକୁ ନେଇପାରେ ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.