ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମହାମହିମ, ପଢ଼ା ବେଳର କଥା ମନେ ପକାଇଲେ ରାଷ୍ଟ୍ରପତି

0 90

ଭୁବନେଶ୍ୱର, ୧୦ା୨(ଡିକେ ନ୍ୟୁଜ): ରମାଦେବୀ ବିଶ୍ୱବିଦ୍ୟାଳୟରେ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ ବେଳେ ୪୦/ ୪୨ ବର୍ଷ ତଳର ରମାଦେବୀର କାନ୍ଥ ମୁକସାକ୍ଷୀ ହୋଇ ମୋତେ ସ୍ୱାଗତ କରୁଥିବା ଅନୁଭବ ହେଉଛି ବୋଲି କହିଛନ୍ତି ମହାମହିମ । ଶ୍ରଦ୍ଧାରେ ଏହି ବିଦ୍ୟାଳୟ ତାଙ୍କୁ ଟାଣିଆଣିଛି । ଏହା ଏମିତି ଏକ ମହାବିଦ୍ୟାଳୟ ଥିଲା ଯେଉଁଠି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗରିବ ଚାଷୀର ଝିଅ ଏକାଠି ପଢିପାରୁଥିଲେ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଭିତରେ କୌଣସି ଭେଦଭାବ ନଥିଲା, ମନରେ ଉଦ୍ଦୀପନା ସୃଷ୍ଟି କରୁଥିଲା, ନୂଆ ମହକ ସୃଷ୍ଟି କରୁଥିଲା । ଏପରିକି ତାଙ୍କ ପିଲାମାନେ ମଧ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଦେଖାଇ ତାଙ୍କ ସ୍ମୃତିଚାରଣ କରୁଥିଲେ ବୋଲି ଦୀକ୍ଷାନ୍ତ ଭାଷଣରେ କହିବାକୁ ଭୁଲିନଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ଥିବାବେଳେ ଦୁଇ ଦୁଇଥର ରମାଦେବୀ ବିଶ୍ୱବିଦ୍ୟାଳୟ ଆସିଥିବା ମଧ୍ୟ ଉଲ୍ଲେଖ କରିଛନ୍ତି । ଦିନେ ଯେଉଁ ମହାବିଦ୍ୟାଳୟର ଛାତ୍ରୀ ଥିଲେ ଆଜି ସେଠି ମୁଖ୍ୟଅତିଥି ଭାବେ ଯୋଗଦେଇ ଭାବପ୍ରବଣ ହୋଇପଡ଼ିଥିଲେ । ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ରମାଦେବୀରେ କଳାରେ ସ୍ନାତକ ପଢ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ହଷ୍ଟେଲରେ ରହିଥିଲେ । ଆଜିର ସମାବର୍ତ୍ତନ ଉତ୍ସବରେ ନିଜ ସହପାଠିନୀଙ୍କୁ ଭେଟିଥିଲେ ଦେଶର ପ୍ରଥମ ନାଗରିକ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥିପାଇଁ ରାଷ୍ଟ୍ରପତିଙ୍କ ୩୦ ଜଣ ସହପାଠିନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସହପାଠିନୀଙ୍କୁ ଦେଶର ରାଷ୍ଟ୍ରପତି ଭାବେ ପାଇ ସେମାନେ ଅତି ଆନନ୍ଦ ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇଁ ସେମାନେ ରାଷ୍ଟ୍ରପତି ଭବନରେ ତାଙ୍କୁ ସାକ୍ଷାତ କରିଥିଲେ । ମହାମହିମଙ୍କୁ ଭେଟିବା ତାଙ୍କ ପାଇଁ ଗୌରବର କଥା ବୋଲି କହିଛନ୍ତି ତାଙ୍କ ସହପାଠିନୀ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୪ଜଣଙ୍କୁ ସମ୍ମାନସୂଚକ ଉପାଧି, ୨୨ଜଣଙ୍କୁ ସ୍ୱର୍ଣ୍ଣପ୍ରଦକ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରବେଶ ପଥରୁ ପ୍ରେକ୍ଷାଳୟ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ । ଆଜି ସକାଳ ୧୧ଟା ୪୦ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ରହି ମଧ୍ୟ ସ୍ୱାଗତ ଜଣାଇଥିଲେ । ଆଜି ରାତିରେ ରାଜଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ପରେ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦ୍ୱିତୀୟ ରାଇସ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେଠାରୁ ଫେରି ଅପରାହ୍ଣ ଦିନ ୩ଟା ୧୫ରେ ସ୍ୱତନ୍ତ୍ର ବିମାନରେ ପୁଣି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି  ।

Leave A Reply

Your email address will not be published.