୨୪ରେ ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ସ୍ୱାସ୍ଥ୍ୟ-କୃଷି ଓ ଭିତ୍ତିଭୂମି ଉପରେ ପ୍ରାଥମିକତା

0 98

ଭୁବନେଶ୍ୱର, ୧୨ା୨ (ଡିକେ ନ୍ୟୁଜ୍‌): ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏ ସମୟରେ ଆସନ୍ତା ୨୪ରେ ଆସିବ ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ରାଜ୍ୟବାସୀଙ୍କ ପାଇଁ ବଡ଼ ଯୋଜନା ଘୋଷଣା କରିପାରନ୍ତି ରାଜ୍ୟ ସରକାର । ଏଥର ବଜେଟ୍‌ ଆକାର ପ୍ରାୟ ୨ଲକ୍ଷ ୨୦ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ । ବିଶେଷକରି ସ୍ୱାସ୍ଥ୍ୟ, କୃଷି ଓ ଭିତ୍ତିଭୂମି ଉପରେ ପ୍ରାଥମିକତା ରହିପାରେ । ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ପ୍ରାଥମିକତା ଦେଇଆସିଛନ୍ତି । ଗତ ୩/୪ ବର୍ଷରେ ସ୍ୱାସ୍ଥ୍ୟ ବଜେଟ୍‌ ଦୁଇଗୁଣା ବଢ଼ିଛି । ୨୦୧୯-୨୦ରେ ସ୍ୱାସ୍ଥ୍ୟ ବଜେଟ୍‌ ଥିଲା ୬ହଜାର ୮୦୦ କୋଟି ଟଙ୍କା । ୨୦୨୨-୨୩ ବେଳକୁ ଏହା ୧୨ହଜାର କୋଟି ଟଙ୍କା ହୋଇଛି । ରାଜ୍ୟ ସରକାରଙ୍କ ଅନ୍ୟତମ ବଡ଼ ଯୋଜନା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କଟକ ଏସ୍‌ସିବିକୁ ଏମ୍ସ ପ୍ଲସ୍‌, ପିପିପି ମୋଡରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବୀକରଣ ଏବଂ ରାଜ୍ୟରେ ନୂଆ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଆଦିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଚ୍ୟାଲେଞ୍ଜ ରହିଛି । ନବକିଶୋର ଦାସଙ୍କ ଦେହାନ୍ତ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି ସ୍ୱାସ୍ଥ୍ୟ ବିଭାଗ । ବଜେଟ୍‌ରେ ସ୍ୱାସ୍ଥ୍ୟ ବିଭାଗକୁ ନେଇ କ’ଣ ରହିବ ରୂପରେଖ ତାହାକୁ ନିଜେ ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ଆଗାମୀ ବଜେଟ୍‌ରେ କିଛି ନୂଆ ସ୍କିମ୍‌ ଘୋଷଣା ହେବାର ସମ୍ଭାବନା ରହିଛି । ଚାଷୀଙ୍କ ପାଇଁ ନୂଆ ଯୋଜନା ଆସିପାରେ । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଗତବର୍ଷ ତୁଳନାରେ କେନ୍ଦ୍ରୀୟ ବଜେଟ୍‌ ହ୍ରାସ ପାଇଛି । ତେଣୁ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଛି । ରାଜ୍ୟ ସରକାର କିନ୍ତୁ କୃଷିକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ୨୦୧୩ରେ ବଜେଟ୍‌ରେ କୃଷି ପାଇଁ ପ୍ରାୟ ୭ହଜାର କୋଟି ଟଙ୍କା ଥିଲା । ୨୦୨୨-୨୩ ବେଳକୁ ଏହା ୨୧ହଜାର କୋଟି ଟଙ୍କାରେ ପହଞ୍ôଚଯାଇଛି । ୧୦ବର୍ଷରେ ତିନିଗୁଣା ବଢ଼ିଛି କୃଷି ବ୍ୟୟବରାଦ । ଏଥର ବଜେଟ୍‌ରେ ଚାଷୀଙ୍କ ପାଇଁ ନୂଆ କିଛି ଦେଖିବାକୁ ମିଳିପାରେ । ଏଥର ବଜେଟ୍‌ରେ କେଉଁ ଦିଗକୁ ରାଜ୍ୟ ସରକାର ପ୍ରାଥମିକତା ଦେବେ ଏବଂ କିଛି ନୂଆ ଯୋଜନା ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ରୁ ବିଧାନସଭାର ବଜେଟ୍‌ ଅଧିବେଶନ ଥିବାବେଳେ ତା’ ପୂର୍ବରୁ କାଲି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ବୈଠକରେ ବଜେଟ୍‌କୁ ଅନୁମୋଦନ ମିଳିପାରେ ।

Leave A Reply

Your email address will not be published.