ଆଜିଠୁ କମ୍ପିବ ବିଧାନସଭା, ମୁହାଁମୁହିଁ ହେବେ ଶାସକ-ବିରୋଧୀ, ୨ଲକ୍ଷ ୨୦ହଜାର କୋଟି ହୋଇପାରେ ବଜେଟ୍‌ ଆକାର

0 125

ଭୁବନେଶ୍ୱର, ୨୦ା୨ (ଡିକେ ନ୍ୟୁଜ୍‌): ଆଜିଠୁ ବିଧାନସଭା ଭିତରେ ଲଢେ଼ଇ । ବଜେଟ୍‌ ଅଧିବେଶନରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଉଭୟଙ୍କ ପାଖରେ ରହିଛି ମାଳମାଳ ପ୍ରସଙ୍ଗ । ନବଦାସଙ୍କ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧୀ ଗୃହ ହୁଲସ୍ତୁଲ କରିବାକୁ ଥିବାବେଳେ ଆଇନଶୃଙ୍ଖଳା, ଚାଷୀ-ଚାଷ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ହିତାଧିକାରୀ ଚୟନରେ ଅନିୟମିତତା ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବେ । ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି କଂଗ୍ରେସ ଆଇନଶୃଙ୍ଖଳା ସହିତ ଚାଷୀଙ୍କ ପ୍ରସଙ୍ଗ ମଧ୍ୟ ଉଠାଇବ । ମଣ୍ଡିରୁ ଧାନ ଉଠୁନି, ଚାଷୀ ହତାଶ । ଏଥିସହିତ ବେକାରି ସମସ୍ୟାକୁ ନେଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛି କଂଗ୍ରେସ । ଅନ୍ୟପକ୍ଷରେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ପୂରା ତୟାର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ କାଟିବା ପ୍ରସଙ୍ଗ, ବିରୋଧୀ ଦଳ ନେତା ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ପ୍ରସଙ୍ଗ, କେନ୍ଦୁପତ୍ରରୁ ଜିଏସ୍‌ଟି ହଟାଇବା, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଆଦି ପ୍ରସଙ୍ଗ ଉଠାଇବ ବିଜେଡି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଆସନ୍ତା ୨୪ରେ ଆସିବ ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥର ବଜେଟ୍‌ ଆକାର ପ୍ରାୟ ୨ଲକ୍ଷ ୨୦ହଜାର କୋଟିରୁ ଊଦ୍ଧ୍ୱର୍ ହୋଇପାରେ । ବିଶେଷକରି ସ୍ୱାସ୍ଥ୍ୟ, କୃଷି ଓ ଶିକ୍ଷାକୁ ପ୍ରାଥମିକତା ମିଳିପାରେ । ଆଗାମୀ ବଜେଟ୍‌ରେ କିଛି ନୂଆ ସ୍କିମ୍‌ ଘୋଷଣାର ସମ୍ଭାବନା ମଧ୍ୟ ରହିଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆଜିଠୁ ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ବସିଥିବା ଅଧିବେଶନ ବେଶ୍‌ ସରଗରମ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.