ପରୀକ୍ଷା ଦେଉଥିଲେ ମା’, ଝିଅର ଯତ୍ନ ନେଲେ ମହିଳା କନଷ୍ଟେବଲ୍

0 88

ମାଲକାନଗିରି: ଅସମୟରେ ମଣିଷ ପଣିଆ ଦେଖାଇବା ଆମେ ଅନେକ ଖବର ଦେଖିଛେ । ହେଲେ ମାଲକାନଗିରି ଜିଲ୍ଲାରୁ ଯେଉଁ ଖବର ଆସିଛି, ତାହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ପରୀକ୍ଷା ଦେବାକୁ ଯାଇଥିବା ଜଣେ ମା’ କୋଳରେ ଥିଲା ତା’ର ଛୋଟ ଶିଶୁ । ଛୁଆକୁ ସ୍ତନପାନ କରାଇବାକୁ ପରୀକ୍ଷା କେନ୍ଦ୍ରରେ ରହିଥିଲା ବ୍ୟବସ୍ଥା । ହେଲେ ପରୀକ୍ଷା ବେଳେ ଛୋଟ ଛୁଆକୁ କେମିତି ସମ୍ଭାଳିବେ ବୋଲି ଚିନ୍ତାରେ ଥିଲେ ମା’ ଜଣକ । ଏହି ସମୟରେ ଜଣେ ମହିଳା ପୋଲିସ ମାଆର ପରିସ୍ଥିତିକୁ ବୁଝି ପାରିଥିଲେ । ସହାୟତାର ହାତ ବଢ଼ାଇବା ସହ ଛୁଆକୁ ନିଜ କୋଳକୁ ନେଇଥିଲେ । ପରୀକ୍ଷା ସରିବା ଯାଏ ସମ୍ଭାଳିଥିଲେ କୁନି ଛୁଆକୁ । ଏହି ଘଟଣାକୁ ନେଇ ମାଲକାନଗିରିରେ ଚର୍ଚ୍ଚା ଜୋର ଧରିଛି । ମହିଳା ପୋଲିସ କର୍ମଚାରୀ ଜଣଙ୍କୁ ଭୂରି ଭୂରି ପ୍ରଶଂସା କରାଯାଉଛି । ସୂଚନା ଅନୁସାରେ, ପୋଲିସ ପଦବୀ ପାଇଁ ମାଲକାନଗିରି ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଆସିଥିଲେ ଚଞ୍ଚଳା ମଲ୍ଲିକ । କାଖରେ ଥିଲା ୪ ବର୍ଷର କୁନି ଝିଅ । କେନ୍ଦ୍ରରେ ପହଞ୍ଚିବା ବେଳକୁ ଛୁଆ କାନ୍ଦିବା ଆରମ୍ଭ କରିଥିଲା । ସ୍ତନ୍ୟପାନ କରାଇ ଛୁଆକୁ ଚୁପ୍ କରାଇଥିଲେ । ହେଲେ ପରୀକ୍ଷା କେମିତି ଦେବ ବୋଲି ଚିନ୍ତାରେ ପଡ଼ିଯାଇଥିଲେ ଚଞ୍ଚଳା । ପରିବାର ପକ୍ଷରୁ ମଧ୍ୟ ପାଖରେ କେହି ନଥିଲେ । ମାଆର ଏଭଳି କରୁଣା ଅବସ୍ଥାକୁ ବୁଝି ପାରି ଥିଲେ ସେଠାରେ ଡ୍ୟୁଟିରେ ଥିବା ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ । ମହିଳା କନେଷ୍ଟବଳ ଜଣକ ଛୁଆକୁ ସମ୍ଭାଳିବା ପରେ ପରୀକ୍ଷା ଦେଇଥିଲେ ଚଞ୍ଚଳା । ପରୀକ୍ଷା ସରିବା ପରେ ମହିଳା କନେଷ୍ଟବଳଙ୍କୁ ପ୍ରଶଂସା କରି ଘରକୁ ଫେରିଥିଲେ ଚଞ୍ଚଳା ।

Leave A Reply

Your email address will not be published.