ଓଡ଼ିଶାକୁ ମିଳିଲା ସ୍ପୋର୍ଟ୍ସଷ୍ଟାର ଆୱାର୍ଡ, କ୍ରୀଡ଼ାବିତ୍‌ ହେଉଛନ୍ତି ପ୍ରକୃତ ରାଷ୍ଟ୍ରଦୂତ: ନବୀନ

0 96

ମୁମ୍ବାଇ/ଭୁବନେଶ୍ୱର, ୨୭ା୨(ଡିକେ ନ୍ୟୁଜ): ସ୍ପୋର୍ଟସଷ୍ଟାର ଏସେସ୍‌ ୨୦୨୩ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡା ପ୍ରେତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ଦିଆଯାଇଛି । ମୁମ୍ବାଇଠାରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କର ଓ ଦି ହିନ୍ଦୁର ସମ୍ପାଦକ ସୁରେଶ ନମ୍ବତ୍‌ଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କ୍ରୀଡ଼ାବିତ୍‌ମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟ୍ସଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ କ୍ରୀଡ଼ାବିତ୍‌ଙ୍କ ଅବଦାନକୁ ମର୍ଯ୍ୟାଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ । ଏହା ଆମର ଆଗାମୀ ଦିନର ପ୍ରତିଭାବାନ୍‌ କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ । କ୍ରୀଡ଼ାବିତମାନେ ହେଉଛନ୍ତି ଆମର ପ୍ରକୃତ ରାଷ୍ଟ୍ରଦୂତ । ସେମାନଙ୍କୁ ସହଯୋଗ ଯୋଗାଇଦେବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ଆମେ ବିପୁଳ ସମ୍ବଳ ବିନିଯୋଗ କରୁଛୁ । କାରଣ ଯୁବ ସମାଜ ପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ହେଉଛି ଆମ ଭବିଷ୍ୟତ ପାଇଁ ସମ୍ବଳର ବିନିଯୋଗ । ଗତ ପାଞ୍ଚବର୍ଷ ମଧ୍ୟରେ ଆମ କ୍ରୀଡ଼ା ବଜେଟ୍‌ ୧୦ଗୁଣ ବଢ଼ିଛି । ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨ଶହ କୋଟିରୁ ଅଧିକ ରହିଛି । ହକି ବିଶ୍ୱକପ୍‌ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳିଙ୍କ ପାଇଁ ଆମେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ ହାଇଫର୍ମାନ୍ସ ସେଣ୍ଟର ଓ ପ୍ରତିଯୋଗିତା ଜରିଆରେ ଖେଳାଳିଙ୍କ
ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛୁ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଜୟଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଏବଂ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡ଼ା ପାଇଁ ବିଶ୍ୱସ୍ତରରେ ଗୌରବ ହାସ କରିବା ବୋଲି ସେ କହିଥିଲେ । ଅଲିମ୍ପିକ୍ସରେ ଦେଶର ପତାକାକୁ ଉଚ୍ଚ ରଖିବା ହେଉଛି ସବୁ ଭାରତୀୟ ମାନଙ୍କର ସ୍ୱପ୍ନ । ଏଥିପାଇଁ ଆମେ ସମସ୍ତେ ମିଶି ଉଦ୍ୟମ କରି ଏହାକୁ ବାସ୍ତବତାରେ ପରିଣତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୨୦୨୨ରେ ଓଡିଶାର କ୍ରୀଡାବିତ୍‌ ମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ମେଡାଲ ଜିତି ଗୌରବ ଆଣିଥିଲେ । ଏହାସହିତ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଓଡିଶା ପୁରୁଷ ବିଶ୍ୱକପ୍‌ ହକି-୨୦୨୩ର ସଫଳ ଆୟୋଜନ ଯୋଗୁ କ୍ରୀଡା ଦୁନିଆରେ ଓଡିଶା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ହେବା ସହିତ ସମ୍ମାନର ପାତ୍ର ହୋଇପାରିଛି । ୨୦୨୨ରେ ଓଡିଶା ଅନେକ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ କରିଥିଲା । ସୂଚନାଯୋଗ୍ୟ ଯେ ଆମ ଦେଶର ସର୍ବଶ୍ରେଷ୍ଠ କ୍ରୀଡା ଭିତ୍ତିଭୂମି ମଧ୍ୟରେ ପ୍ରତିଷ୍ଠିତ କଳିଙ୍ଗ ସ୍ପୋର୍ଟସ କମ୍ପେ୍‌୍ଲକ୍ସ ସ୍ଥାନ ପାଇଛି । ଏହାର ପରିସର ମଧ୍ୟରେ ଅନେକ ବୃହତ କ୍ରୀଡା ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରେ ରହିଛି ଦେଶର ପ୍ରଥମ ଆଥଲେଟିକ୍‌ସ ସେଣ୍ଟର, ଟେନିସ
କୋର୍ଟ, ଇଣ୍ଡୋର ଆକ୍ୱାଟିକ୍‌ସ ସେଣ୍ଟର, ହକି ହାଇ ପରଫରମାନ୍‌ସ ସେଣ୍ଟର । ଏହା ସହିତ ଏକ ବିଶାଳ ସ୍ପୋର୍ଟସ ସାଇନସ ସେଣ୍ଟରର ନିର୍ମାଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଦେଶ ପାଇଁ ଆଗାମୀ ଦିନର କ୍ରୀଡା ଚମ୍ପିଆନ ସୃଷ୍ଟି କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଉରକେଲାରେ ପ୍ରତିଷ୍ଠିତ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ଦେଶର ସର୍ବ ବୃହତ (ବସିବା)ଆସନ ବିଶିଷ୍ଟ ହକି ଷ୍ଟାଡିଅମ ଭାବରେ ନିକଟରେ ଗିନିଜ ବୁକ୍‌ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ଏହା ସହିତ ଏଥିରେ ଅଲମ୍ପିକ୍‌ ପରି ୨୨୫ କୋଠରୀ ବିଶିଷ୍ଟ ହକି ଭିଲେଜ ମଧ୍ୟ ନିର୍ମାଣ କରାଯାଇଛି । ସେହିପରି
ସାଧାରଣ ଲୋକଙ୍କ ମଧ୍ୟରେ କ୍ରୀଡା ଓ ସୁସ୍ଥତାର ପ୍ରୋତ୍ସାହନ ପାଇଁ ଓଡିଶାର ସବୁ ସହରାଞ୍ଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ହଲ୍‌ ନିର୍ମାଣ କରାଯାଉଛି । ଏଥିରେ ଅନେକ କ୍ରୀଡା ପାଇଁ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯାଉଛି । ଏଥିରେ ରହିଛି ସୁଇମିଂ ପୁଲ୍‌ ଟ୍ରେନିଂ ସେଣ୍ଟର, ଫୁଟବଲ ଟ୍ରେନିଂ ସେଣ୍ଟର, ହକି ଟ୍ରେନିଂ ସେଣ୍ଟର ଓ ସ୍ପୋର୍ଟସ କମ୍ପେ୍ଲକ୍‌ସ ।

Leave A Reply

Your email address will not be published.