ଆଦିବାସୀ ମେଳା: ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତାର ଝଲକ

0 84

ଭୁବନେଶ୍ୱର,୨୭ା୨(ଡିକେ ନ୍ୟୁଜ): ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳା ସରିବାକୁ ଆଉ ଦୁଇଦିନ ବାକି ଅଛି । ଜନଜାତି ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ବିଶେଷ ଭାବରେ ସେମାନଙ୍କ ଜୀବନଯାତ୍ରାରେ ପରିବର୍ତନ ଆଣିବା କ୍ଷେତ୍ରରେ କିପରି ସହାୟକ ହୋଇଛନ୍ତି, ମେଳା ପରିସରରେ ଖୋଲିଥିବା ଷ୍ଟଲଗୁଡ଼ିକରେ ତାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ଆଇଟିଡିଏ ଏବଂ ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ମେଳା ପରିସରସ୍ଥ ବିଭିନ୍ନ ପିଣ୍ଡିରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି । କେତେକ ଷ୍ଟଲରେ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ବହୁବିଧ ଘରକରଣା ସାମଗ୍ରୀ କେବଳ ପ୍ରଦର୍ଶନ କରୁନାହାନ୍ତି, ସେ ସବୁର ଉପଯୋଗିତା ସଂପର୍କରେ ଦର୍ଶକମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଚାଲିଛନ୍ତି । କଳାହାଣ୍ଡି, କୋରାପୁଟ, କନ୍ଧମାଳ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରୁ ଜନଜାତି ମହିଳାମାନଙ୍କର ହାତ ତିଆରି ବହୁ ପ୍ରକାର ସୌଖୀନ ସାମଗ୍ରୀ ମେଳାକୁ ଆସିଛି । ପୂର୍ବବର୍ଷଗୁଡ଼ିକର ଆଦିବାସୀ ମେଳାରେ ଜନଜାତିଙ୍କ ଉତ୍ପାଦିତ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ବିଶେଷ କରି ବିଶୁଦ୍ଧ ମହୁ, ହରିଡ଼ା, ବାହାଡ଼ା, ଝୁଣା, ମାଣ୍ଡିଆ, ସୋରିଷ, ରାଶି, ଡାଲି, ବିରି ଓ କୋଳଥ ଆଦିର ବହୁଳ ବିକ୍ରିବଟା ହୋଇଥିଲା । କିନ୍ତୁ ଏବେ ପରିସ୍ଥିତିରେ ଦ୍ରୁତ ପରିବର୍ତନ ଘଟିଛି ଏବଂ ଗାଁ ଗାଁରେ ଗଢ଼ି ଉଠିଛି ସ୍ୱୟଂ ସହାୟକ ଗୋଷ୍ଠୀ । ଏହା ଦ୍ୱାରା ଆଦିବାସୀ ମହିଳାମାନେ ଆତ୍ମନିର୍ଭରଶୀଳ ହେବାକୁ ଅବିରତ ସଂଗ୍ରାମ ଚଳାଇଛନ୍ତି । ପାରମ୍ପରିକ ସାମଗ୍ରୀ ଉତ୍ପାଦନ ସହ ତାଳଦେଇ ସେମାନେ ମନ ବଳାଇଛନ୍ତି ପିତଳ ଗହଣା, ଧୂପକାଠି, ବେତ ତିଆରି ଜିନିଷପତ୍ର, ଆଚାର, ବଡ଼ି ଆଦିର ପ୍ରସ୍ତୁତି ଆଡ଼କୁ । ସେହିସବୁ ସାମଗ୍ରୀକୁ ସାଙ୍ଗରେ ନେଇ ବଣପାହାଡ଼ ଘେରା ସୁଦୂର ଗ୍ରାମାଞ୍ଚଳରୁ ସେମାନେ ଧାଇଁ ଆସିଛନ୍ତି ରାଜଧାନୀର ପ୍ରଦର୍ଶନୀ ପଡ଼ିଆକୁ, ଆଉ ମେଲାଇ ଦେଇଛନ୍ତି ନିଜ ନିଜର କାରବାର । ମେଳା ସର ଆସୁଥିବାରୁ ଗରାଖମାନେ ରବିବାରର କିଣାକିଣି ପରି ଆଜି ସନ୍ଧ୍ୟାରେ ମଧ୍ୟ ବେଶ୍‌ ଭିଡ଼ ଜମାଇଥିଲେ । ଆଜି ଇଣ୍ଟରନେସ୍‌ନାଲ୍‌ ଫଣ୍ଡ ଫର ଏଗ୍ରିକଲଚର ଡେଭ୍‌ଲପ୍‌ମେଣ୍ଟର ୫ ଜଣିଆ ପ୍ରତିନିଧିଦଳ ଆଦିବାସୀ ମେଳା ପରିସରରେ ଥିବା ବିଭିନ୍ନ ଷ୍ଟଲରେ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ତଥା ସଂଗୃହୀତ ସାମଗ୍ରୀକୁ ବୁଲି ଦେଖିଥିଲେ । ଏହି ପ୍ରତିନିଧିଦଳରେ ଆସିଥିବା ଡୋନାଲ ଫ୍ରାନ୍‌ସିସ୍‌ ବ୍ରାଉନ୍‌, ମିସ୍‌ ରିହାନା ରିଫାତ୍‌ ରାଜା, ହାରି ଉଲାକ୍‌ ଡେମିରାଗ, ପିୟୁସ କାନାଲ ଏଂ ମୀରା ମିଶ୍ର ମେଳା ଦେଖିବା ସହିତ ଜନଜାତି ନୃତ୍ୟକୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେମାନଙ୍କ ସହିତ ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଓପେଲିପ୍‌ ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଥିବା ଆଦିବାସୀ ମେଳା ଆଜି ଅଷ୍ଟମ ସନ୍ଧ୍ୟାରେ ପହଞ୍ଚିଥିବାବେଳେ ଆଦିବାସୀ କଳାକାରମାନେ ସେମାନଙ୍କ ନିଜ ନିଜ ପାରମ୍ପରିକ ନୃତ୍ୟକଳାକୁ ନିଖୁଣ ଭାବରେ ପରିବେଷଣ କରି ସହସ୍ରାଧିକ ଦର୍ଶକଙ୍କୁ ମୁଗ୍ଧ କରିଛନ୍ତି ।

Leave A Reply

Your email address will not be published.