ଝାରସୁଗୁଡ଼ାରେ ସମର୍ଥଙ୍କୁ ଅପହରଣ ପରେ ହତ୍ୟା ମାମଲା : ଆଉ ଜଣଙ୍କୁ ଅଟକ

0 132

ଝାରସୁଗୁଡା: ଝାରସୁଗୁଡାରେ ବ୍ୟବସାୟୀଙ୍କ ପୁଅ ସମର୍ଥଙ୍କୁ କିଡନାପ କରି ହତ୍ୟା ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବିଳମ୍ବିତ ରାତିରେ ବୁର୍ଲାରୁ ଜଣଙ୍କୁ ଉଠାଇ ନେଇଛି ଝାରସୁଗୁଡା ପୋଲିସ । ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ପୋଲିସ । ଝାରସୁଗୁଡାରୁ ଅପହରଣ ପରେ ବୁର୍ଲାରେ କିଛି ସମୟ ସମର୍ଥଙ୍କୁ ରଖାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବୁର୍ଲା ଓ ବରଗଡ଼ ଅଣାଯାଇଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଗତ ମାର୍ଚ୍ଚ ୨୭ ତାରିଖରେ ଝାରସୁଗୁଡା ସରବାହାଲର ବ୍ୟବସାୟୀ ସୁନିତ ଅଗ୍ରଓ୍ବାଲଙ୍କ ୧୫ ବର୍ଷର ପୁଅ ସମର୍ଥ ଅଗ୍ରଓ୍ବାଲଙ୍କୁ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ପରିବାର ଲୋକଙ୍କ କହିବା କଥା ଅପହରଣ ଓ ହତ୍ୟା ଘଟଣାରେ ମୋଟ ୪ଜଣ ସଂପୃକ୍ତ ଅଛନ୍ତି । ଅପହରଣ କରିବା ପରେ ପ୍ରଥମେ ଫୋନ କରି ୫୦ଲକ୍ଷ ଟଙ୍କା ମାଗିଥିଲେ । ମାତ୍ର କିଛି ଘଣ୍ଟା ପରେ ୯୦ ଲକ୍ଷ ଟଙ୍କା ଦାବି କଲେ ଅପହରଣକାରୀ ।

ଏ ସଂପର୍କରେ ଝାରସୁଗୁଡା ଏସପିଙ୍କ ସହ ଆଲୋଚନା କରିବା ପରେ, ୯୦ଲକ୍ଷ ଟଙ୍କା ଦେବାକୁ ରାଜି ଥିଲେ ସମର୍ଥଙ୍କ ପରିବାର । ହେଲେ ଅପହରଣକାରୀମାନେ ସମର୍ଥଙ୍କୁ ପ୍ରଥମେ ଝାରସୁଗୁଡାରୁ ବରଗଡ଼, ଏହାପରେ ଭେଡେନ ବ୍ଲକର ଋଷୁଡା ଅଞ୍ଚଳକୁ ନେଇ ଯାଇଥିଲେ । ଅଭିଯୁକ୍ତଙ୍କ ମୋବାଇଲକୁ ଟ୍ରାକ୍ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ସମର୍ଥଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଥିଲା । ଅପହରଣକାରୀଙ୍କ ମଧ୍ୟରୁ ଜଣେ ସୁନିତଙ୍କ ସଂପର୍କୀୟ ଥିବାରୁ, କାଳେ ପୋଲିସ ହାତରେ ଧରାପଡିଯିବେ ସେହି ଭୟରେ, ଅପହରଣ କରାଯାଇଥିବା କାରରେ ହିଁ ପ୍ରଥମେ ସମର୍ଥଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ସୁନିତଙ୍କ ସଂପର୍କୀୟ । ସମର୍ଥଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଋଷଡା ଥାନା ଅଞ୍ଚଳର ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନରେ ପେଟ୍ରୋଲ ପକାଇ ପୋଡିଦେବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତମାନେ । ହେଲେ ଧୂଆଁ ଦେଖି ସ୍ଥାନୀୟ ଲୋକମାନେ ସେଠାକୁ ଆସିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.