ବିନା ସୁଧରେ ଚାଷୀ ପାଇବେ ଋଣ

0 88

ବିନା ସୁଧରେ ଚାଷୀ ପାଇବେ ଋଣ । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀ ମାନଙ୍କୁ ଏହି ସୁଧ ରିହାତି ପ୍ରଦାନ କରାଯିବ । ୪୪୧. ୮୨ କୋଟି ଟଙ୍କା ଏହି ପର୍ଯ୍ୟାୟରେ ଋଣ ରିହାତି ଦିଆଯିବ ବୋଲି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଂକା ପର୍ଯ୍ୟନ୍ତ ଓ ୧ରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମାତ୍ର ୨ ପ୍ରତିଶତ ସୁଧରେ ଯୋଗାଇ ଦିଆଯାଉଛି ।

ସୁଧ ରିହାତି ପ୍ରଦାନ ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷ ଆମ ଅର୍ଥନୀତିର ଆତ୍ମା, ବିକାଶର ଆଧାର । ଚାଷୀ, ମା ଓ ଯୁବବର୍ଗ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶାର ସାରଥୀ ସାଜିଛନ୍ତି । ତେଣୁ ଚାଷୀ, ମା ଓ ଯୁବବର୍ଗଙ୍କ ସଶକ୍ତିକରଣ ଉପରେ ସବୁବେଳେ ଜୋର ଦେଇ ଆସିଛି । ଚାଷୀଙ୍କୁ ସଶକ୍ତ କରିବାକୁ ସ୍ୱତନ୍ତ୍ର ବଜେଟ କରାଯାଇଛି । ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ୟ ଋଣ ଦିଆଯାଇଛି । ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି ।

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡ଼ିଶା ପ୍ରଥମ । ୨୦୨୨-୨୩ ପାଇଁ ୪୦୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଆଜି ଦିଆଯାଇଛି । ଏହାଦ୍ୱାରା ୩୫ ଲକ୍ଷ ଚାଷୀ ଉପକୃତ ହେବେ । ୨୦୨୨-୨୩ ବର୍ଷ ପାଇଁ ୮୫୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଯୋଗାଇ ଦିଆଯାଇଛି । ଚାଷୀ ଭାଇଙ୍କୁ ଋଣ ନେଇ ସୁଧ ଦେବାକୁ ପଡିଲା ନାହିଁ ।

କୃଷି ଋଣର ୬୦% ସମବାୟ ବ୍ୟାଙ୍କ ଓ ସମବାୟ ସମିତି ଯୋଗାଉଛି । ଚାଷୀଙ୍କ କଲ୍ୟାଣ ପାଇଁ କାମ କରୁଛି ଓ ଆଗକୁ ମଧ୍ୟ କରିଚାଲିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ଚାଷୀ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୪୧୫ କୋଟି ୧୭ ଲକ୍ଷ ଟଙ୍କା ସୁଧ ରିହାତି ପ୍ରଦାନ କରାଯାଇଥିଲା । ଏଥିରେ ମଧ୍ୟ ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଥିଲେ । ଦୁଇଟି ପର୍ଯ୍ୟାୟକୁ ମିଶାଇ ସରକାର ୮୫୬ କୋଟି ୯୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.