ଯେଉଁ ଭଉଣୀ ନିଜର ରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା, ଆଜି ସେହି ହାତରେ ଭଉଣୀକୁ ହତ୍ୟା କରିଛି ଭାଇ । ମହାରାଷ୍ଟ୍ରରେ ଘଟିଥିବା ଏହି ଘଟଣା ଯୋଗୁଁ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ୧୨ ବର୍ଷର ଭଉଣୀର ଋତୁସ୍ରାବ ଦେଖି ହତ୍ୟା କରିଛି ୩୦ ବର୍ଷୀୟ ଭାଇ । ଖବର ମୁତାବକ, ୧୨ ବର୍ଷୀୟ ଝିଅର ପିରିଅଡ୍ସ ପ୍ରଥମ ଥର ପାଇଁ ହୋଇଥିଲା । ପିରିୟଡ୍ସ ହେବାର ଦେଖି ଭଉଣୀ କାହା ସହିତ ଶାରୀରିକ ସଂପର୍କ ରଖିଥିବା ସନ୍ଦେହ କରି ଭଉଣୀକୁ ପିଟିପିଟି ମାରିଦେଇଛି ଭାଇ ।
ଲଗାତାର ୩ ଦିନ ପର୍ଯ୍ୟନ୍ତ ଭଉଣୀକୁ ପିଟିବା ପରେ ହତ୍ୟା କରିଛି ଭାଇ । ଅଭିଯୁକ୍ତ ଜଣକ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି। ପୀଡିତା ଝିଅଟି ତାଙ୍କ ମା’ଙ୍କ ଦେହାନ୍ତ ପରେ ତାଙ୍କ ଭାଇ ଏବଂ ଭାଉଜଙ୍କ ସହ ସହରରେ ରହୁଥିଲା। ତାଙ୍କ ପିତା ଗାଁରେ ରହୁଥିଲେ। ଋତୁସ୍ରାବ ବିଷୟରେ ଝିଅଟିର କୌଣସି ଜ୍ଞାନ ନଥିଲା। ଭାଇ ତାଙ୍କୁ ଏହା ବିଷୟରେ ପଚାରିବାରୁ ଝିଅଟି କୌଣସି ଉତ୍ତର ଦେଇପାରିନଥିଲା ।
ତାଙ୍କ ଭାଉଜ ଏହି ବିଷୟରେ ବୁଝାଇବା ପରିବର୍ତ୍ତେ ତାଙ୍କ ଭାଇଙ୍କୁ ଆହୁରି ଉସୁକାଇଥିଲେ। ତିନି ଦିନ ପର୍ଯ୍ୟନ୍ତ ତାଙ୍କୁ ଏକ ରୁମରେ ହାତ ଗୋଡ ବାନ୍ଧି ପିଟିଥିଲା ଭାଇ । ଆଉ ହସପିଟାଲ ନେବା ପରେ ଭଉଣୀକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହା ପରେ ପୋଲିସ ପହଞ୍ଚି ଝିଅର ମୃତଦେହକୁ ନିଜ ଅଧୀନରେ ନେଇଥିଲା। ପୋଷ୍ଟମର୍ଟମ ପରେ ଭାଇଙ୍କ ଏପରି ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଥିଲା। ପୋଲିସ ଆଇପିସି ଧାରା ୩୦୨(ହତ୍ୟା) ଅନୁଯାୟୀ ଭାଇଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।