ଭୁବନେଶ୍ୱର : ରାଜ୍ୟର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ନୂଆ ପଦକ୍ଷେପ ପୂର୍ବରୁ ଗ୍ରହଣ କରାଯାଇଛି । ରାଜ୍ୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ଓଡ଼ିଶାର ମାଣ୍ଡିଆ ଆଜି ବିଶ୍ୱ ଦରବାରେ ପହଞ୍ଚିଥିବା ବେଳେ କ୍ରମାଗତ ଦୁଇ ଥର ହକି ବିଶ୍ୱକପ ଆୟୋଜନ କରି ଓଡ଼ିଶା ଆଜି ବିଶ୍ୱର ହକି ହବ୍ ଭାବେ ପରିଚିତ ହୋଇପାରିଛି ।
ତେବେ ଏହା ମଧ୍ୟରେ ରାଜ୍ୟ ସରକାର ପୁଣି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଖୁବଶୀଘ୍ର ବିଦେଶରେ ରହୁଥିବା ବା ବିଦେଶରେ ଜନ୍ମଲାଭ କରିଥିବା ଓଡ଼ିଆ ପିଲାଙ୍କ ପାଇଁ ଏକ ନୂଆ ପାଠ୍ୟକ୍ରମ ଆରମ୍ଭ ହେବ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଏହି କୋର୍ସ ଆରମ୍ଭ ହେବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆ ପିଲାମାନେ ଓଡ଼ିଆ ଭାଷା ଭଲ ଭାବେ ଶିଖି ପାରିବେ । ଏନେଇ ରାଜ୍ୟ ସଂସ୍କୃତି ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।