ଜନ୍ମଦିନରେ ବିରାଟଙ୍କ ଶତକ

0 86

କୋଲକାତା, ୫ା୧୧: ଜନ୍ମଦିନରେ ବିରାଟଙ୍କ ‘ବିରାଟ’ କୀର୍ତ୍ତିମାନ । ଦିନିକିଆ କ୍ରିକେଟରେ
ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ବିରାଟ କୋହଲି । ଯେଉଁ ଇଡେନ ଗାର୍ଡେନରେ କ୍ୟାରିଅରର
ପ୍ରଥମ ଶତକ ହାସଲ କରିଥିଲେ ରବିବାର ସେହି ଷ୍ଟାଡିୟମରେ ୪୯ମ ଶତକ କରିଛନ୍ତି
ବିରାଟ । ଏହି ସଫଳତା ସହ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ
ଦିନିକିଆ ଶତକ ରେକର୍ଡର ସମକକ୍ଷ ହୋଇ ପାରିଛନ୍ତି ରନ ମେସିନ । ଜନ୍ମଦିନ
ଅବସରରେ ରବିବାର ଏହି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ୍ କୋହଲି । କ୍ରିକେଟର
ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ
୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର
ସମକକ୍ଷ ହୋଇଯାଇଛନ୍ତି । ଦିନିକିଆରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ
ତାଲିକାରେ ଏବେ ସଚିନ ଓ ବିରାଟ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି । ବିରାଟ
ଆଉ ଗୋଟିଏ ଶତକ ହାସଲ କରିବା କ୍ଷଣି ସଚିନଙ୍କୁ ପଛରେ ପକାଇ ଦିନିକିଆ
ଇତିହାସରେ ୫୦ତମ ଶତକ ହାସଲ କରିବାର ନୂଆ ତଥା ବିଶାଳ କୀର୍ତ୍ତିମାନର ଅଧିକାରୀ
ହେବେ । ରେକର୍ଡ ଉପରେ ଯଦି ନଜର ପକାଇବା ବିରାଟ ୨୦୦୯ରେ ଶ୍ରୀଲଙ୍କା
ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ରବିବାର
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ନିଜର ୪୯ତମ ଶତକ ହାସଲ କରିଛନ୍ତି । ସେ
ଦିନିକିଆରେ ୪୯ଟି ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ୨୯ଟି ଶତକ ହାସଲ
କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ସେ ଗୋଟିଏ ସେଞ୍ଚୁରି ମାରିଛନ୍ତି । ତେବେ
ବିରାଟଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ରବିବାର ୭୯ରେ ପହଞ୍ଚି ଯାଇଛି ।

Leave A Reply

Your email address will not be published.