ଗୋଟିଏ କୋଠରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା

1st to 8th grade students study in one room

0 92

ନୂଆପଡା,: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଯେଉଁଠି ପଢ଼ୁଛନ୍ତି ସେଇଠି ହିଁ ବସିକି ମଧ୍ୟାହ୍ନ ଭୋଜନ କରୁଛନ୍ତି । ସ୍କୁଲ ଅଛି ହେଲେ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ । ଗୋଟିଏ ଶ୍ରେଣୀ ଗୃହରେ ପଢ଼ୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମୁଣ୍ଡାପଲା ଗ୍ରାମ ପଞ୍ଚାୟତ ସୁଆବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍ମାର୍ଟ ଶ୍ରେଣୀଗୃହରେ ପିଲା ବସି ପାଠପଢି ସ୍ମାର୍ଟ ହୁଅନ୍ତୁ ବୋଲି ୫- ଟି ଜରିଆରେ ଅନେକ ଶିକ୍ଷାନୁଷ୍ଠାନ ଗୁଡିକର ଚିତ୍ର ବଦଲାଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏବେବି ଅନେକ ବିଦ୍ୟାଳୟ ଅବହେଲିତ ହୋଇ ରହିଛି । ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ପାଖାପାଖି ୧୦୦ ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ପଢ଼ୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଉକ୍ତ ବିଦ୍ୟାଳୟରେ ପାଞ୍ଚ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି । କିନ୍ତୁ ଯେଉଁ କୋଠରୀରେ ପଢ଼ୁଛନ୍ତି ପିଲା ସେହି କୋଠରୀର ମଧ୍ୟାହ୍ନ ଭୋଜନ କରୁଛନ୍ତି । ସାରା ରାଜ୍ୟରେ ଶିକ୍ଷା ପ୍ରତି ପିଲାମାନଙ୍କ ଆଗ୍ରହ ସୃଷ୍ଟି କରାଯାଉଛି । ଅଧିକରୁ ଅଧିକ ପିଲା କିପରି ଶିକ୍ଷିତ ହେବେ ଏନେଇ ପ୍ରଶାସନିକ ସ୍ଥରରେ ସଚେତନତା କରାଯାଉଛି । ହେଲେ ସୁଆବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବାରୁ ପାଠପଢାରେ ବହୁତ ବାଧା ସୃଷ୍ଟି ହେଉଛି । ଉକ୍ତ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେବ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଉକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ବିଦ୍ୟାଳୟର ସମସ୍ୟାକୁ ନେଇ ଗ୍ରାମବାସୀ ତଥା ନିୟୋଜିତ ଶିକ୍ଷକ ମିଶୀ ଅନେକ ଥର ଜିଲ୍ଲା ପ୍ରଶାସନ ପାଖରେ ଅବଗତ କରାଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କାହାର କର୍ଣ୍ଣପାତ ହେଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଆଗାମୀ ଦିନରେ ଗ୍ରାମବାସୀ ଆନେ୍ଦାଲାନତ୍ମକ ପନ୍ଥା ଗ୍ରହଣ କରିବା ସହ ଦରକାର ପଡ଼ିଲେ ଛାତ୍ରଛାତ୍ରୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ପ୍ରଶାସନକୁ ଗଣ ମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି । ଏନେଇ ନୂଆପଡ଼ା ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏଙ୍କୁ ପ•ରିବାରୁ ଉକ୍ତ ବିଦ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇପାରୁନାହିଁ ତେଣୁ ସ୍କୁଲ ଗୃହ ନିର୍ମାଣରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ଶୀଘ୍ର ଏହାର ତଦନ୍ତ କରି ସ୍କୁଲ ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରି ବହୁ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଭୁଏ କହିଛନ୍ତି ।

Leave A Reply

Your email address will not be published.