ପୁରୀ ଖଜାକୁ ଜିଆଇ ଟ୍ୟାଗ୍‌ କେବେ?

When will Puri Khaja be GI tagged?

0 62

ପୁରୀ,: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛପନ ଭୋଗର ଅଂଶବିଶେଷ ହେଉଛି ଖଜା । ଖଜାର ରୂପ, ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ନିମନ୍ତେ ରହିଛି ସ୍ୱତନ୍ତ୍ର ଲୋକପ୍ରିୟତା । ଆଉ ଖଜା ବ୍ୟବସାୟକୁ କ୍ଷୁଦ୍ରଶିଳ୍ପ ବା ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ନିହାତି ଆବଶ୍ୟକ ବୋଲି ଭକ୍ତ, ସେବାୟତ, ଗବେଷକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । ପୁରୀ ଖଜାର ପ୍ରସ୍ତୁତି ପ୍ରଣାଳୀକୁ ନେଇ ଭୌଗଳିକ ସୁଚକାଙ୍କ ବା ଜିଆଇ ଆଧୀନରେ ପଞ୍ଜିକୃତ ପାଇଁ ବ୍ୟବସାୟୀ ଓ ସେବାୟତ ମଧ୍ୟ ଦାବି କରିଛନ୍ତି । କହିବାକୁ ଗଲେ ଶ୍ରୀକ୍ଷେତ୍ରର ଖଜା ବେଶ ପ୍ରସିଦ୍ଧ । ଆଉ ଯେକେହି ଶ୍ରୀକ୍ଷେତ୍ର ଆସନ୍ତି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ଖାଇ ଘରକୁ ଫେରିବା ବେଳେ ସାଙ୍ଗରେ ଖଜା ନେଇ ଯାଇଥାନ୍ତି । କେବଳ ସେତିକି ନୁହେଁ ଏହି ଖଜା ହେଉଛି ମହାପ୍ରଭୁଙ୍କ ଶୁଖିଲା ଭୋଗରେ ବେଶ ସ୍ୱାଦିଷ୍ଟ । ଛପନ ଭୋଗର ଅଂଶବିଶେଷ ଏହି ଖଜାର ତିଆରି ଶୈଳି ମଧ୍ୟ ସ୍ୱତନ୍ତ୍ର ଓ ଭିନ୍ନ । ପୁରୀ ସହରରେ ଶତାଧିକ ଖଜା ଦୋକାନୀ ରହିଥିବା ବେଳେ ଏକ ହଜାରରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ଅଛନ୍ତି ଏହି ବ୍ୟବସାୟରେ । କିନ୍ତୁ ଏ ଯାଏଁ ଖଜା ଦୋକାନୀକୁ ନେଇ କ୍ଲଷ୍ଟର ହୋଇପାରିନାହିଁ । ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା କରାଯାଇଥିଲେ ସୁଦ୍ଧା ରୁଗ୍‌ଣ ଅବସ୍ଥାରେ ରହିଛି ଏହି ଖଜା ଶିଳ୍ପ । ଖଜା ଉଦ୍ୟୋଗୀମାନଙ୍କୁ ନେଇ ଏକ ଶିଳ୍ପପୁଞ୍ଜ ଗଠନ କରିବା ପରେ ପଞ୍ଜୀକୃତ କରାଯିବ ଓ ତା ପରେ ଖଜା ଶିଳ୍ପ ପାଇଁ ମିଳିବ ସରକାରୀ ସହାୟତା । ଏଥିରେ କାର୍ଯ୍ୟରତ କର୍ମ•ରୀମାନଙ୍କୁ ବୀମା ସୁବିଧା, ରପ୍ତାନୀ ଯୋଗ୍ୟ ଖଜା ଉଦ୍ୟୋଗ ଗଠନ ପାଇଁ ପ୍ରୋତ୍ସାହନ ତଥା ବୈଷୟିକ ପରାମର୍ଶ ଉପରେ ପୂର୍ବରୁ ମଧ୍ୟ ଆଲୋଚନା ହୋଇଥିଲା । ପୁରୀ ଖଜାର ପ୍ରସ୍ତୁତି ପ୍ରଣାଳୀ ସ୍ୱତନ୍ତ୍ର ଥିବା ଯୋଗୁଁ ଭୌଗଳିକ ସୁଚକାଙ୍କ ଅଧୀନରେ ପଞ୍ଜୀକୃତ କରିବା ଲାଗି ଆବେଦନ କରାଯିବ ବୋଲି ହୋଇଥିଲା ନିଷ୍ପତ୍ତି । ହେଲେ ଏଯାବତ ପୁରୀ ଖଜାକୁ ପଛରେ ପକେଇ ବିହାରର ଫେଣିକୁ ଜିଆଇ ମାନ୍ୟତା ମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ୟବସାୟୀ ଓ ବୁଦ୍ଧିଜୀବୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଭୋଗ ହେଉଥିବା ଖଜାକୁ ତୁରନ୍ତ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବା ନେଇ ଦାବି କରିଛନ୍ତି ସେବାୟତ ଓ ଗବେଷକ । ପୁରୀରେ ଖଜାକୁ ନେଇ ସୃଷ୍ଟି ହୋଇଛି ଶହ ଶହ ଦୋକାନ । ଏହି ବ୍ୟବସାୟରେ ମଧ୍ୟ ମାଲାମାଲ ହେଉଛନ୍ତି ଦୋକାନୀ । ଶ୍ରୀମନ୍ଦିରର ପରମ୍ପରାରେ ଖଜାର ରହିଛି ଅନେକ ବିଶେଷତ୍ୱ । ଖଜାର ଦର ମଧ୍ୟ ୬୦ ଟଙ୍କାରୁ ଆରମ୍ଭ କରି ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଏଥିରେ ଭିନ୍ନ ଭିନ୍ନ ରକମର ଖଜା ରହିଛି । କେବଳ ମିଠା ଖଜା ନୁହେଁ ମସଲା ଖଜା, ଲୁଣି ଖଜା, ଭଲ ଘିଅ ଖଜା ଆଦି ବିଭିନ୍ନ ଭେରାଇଟିର ଖଜାକୁ ପୁରୀରେ ବିକ୍ରୟ କରୁଛନ୍ତି ବ୍ୟବସାୟୀ । କାହିଁ କେଉଁ ଅମଳରୁ ଶ୍ରୀମନ୍ଦିର ନିକଟରେ ଖଜା ପଟି ମଧ୍ୟ ରହିଛି । ସେଠାରେ ଖଜା ବ୍ୟବସାୟୀଙ୍କ ଭିଡ ଜମିଥିବା ବେଳେ ଏବେ ଉଠା ଦୋକାନରେ ବି ଖଜାର ପସରା । ସେସବୁ ତାଳପତ୍ର ଭୋଗେଇରେ ପ୍ୟାକିଂ କରି ନେବାପାଇଁ ଭକ୍ତ ଓ ପର୍ଯ୍ୟଟକଙ୍କର ରହିଛି ବେଶ ଆଗ୍ରହ । ତେବେ କେଉଁ ଆବାହମାନ କାଳରୁ ମହାପ୍ରଭୁଙ୍କ ଭୋଗ ଭାବରେ ଲାଗି ହେଉଛି ଖଜା । ଏଣୁ ଖଜାର ଉତ୍ପତ୍ତି ସ୍ଥଳ ହେଉଛି ଶ୍ରୀକ୍ଷେତ୍ର । ଏହିଠାରୁ ବିଭିନ୍ନ କାରିଗର ଖଜା ପ୍ରସ୍ତୁତି ଶିଖି ଅନ୍ୟ ରାଜ୍ୟକୁ ଯାଇ ଖଜା ବିକ୍ରି କରୁଛନ୍ତି । ତେବେ ଖଜାକୁ ନେଇ ବିହାରକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ବଦଳରେ ଶ୍ରୀମନ୍ଦିର ଖଜାକୁ ପ୍ରାଚୀନ ଖଜା ଭାବେ ଏହି ମାନ୍ୟତା ମିଳିବା ଉଚିତ୍‌ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ । ସେପଟେ ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

Leave A Reply

Your email address will not be published.