ରାସ୍ତା ନାହିଁ: ଖଟିଆରେ ବୁହା ହେଲେ ପ୍ରସୂତି

No road: pregnant woman carried in bed

0 57

ଜୟପାଟଣା, : ପାହାଡ଼ ଉପରେ ଶହ ଶହ ବର୍ଷ ଧରି ଅବସ୍ଥାନ ସାଙ୍ଗକୁ ଏକ ନିର୍ବା ସୀତ ଜୀବନ ବଞ୍ଚି ଆସୁଥିବା ଆଦିବାସୀଙ୍କ ପାଇଁ ନିରାପଦ ମାତୃତ୍ୱ ଏବେ ବି ସ୍ୱପ୍ନ ପାଲଟିଛି । ଗତ ସୋମବାର ଦିନ ଏକ ଆସନ୍ନ ପ୍ରସବାର ଗର୍ଭ ଯନ୍ତ୍ରଣା ହେବା ପରେ ପାହାଡ଼ ଉପରୁ ପାଞ୍ଚ କି ମି ଖଟିଆରେ ବୁହା ହୋଇ ଆସିବା ଓ ଜଙ୍ଗଲ ପାଶ୍ୱର୍ରେ ଏକ ଶିଶୁ ପୁତ୍ରକୁ ସେହି ଖଟିଆରେ ହିଁ ଜନ୍ମ ଦେବା ଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ଧନ୍ସୁଳି ପଞ୍ଚାୟତର ନଳା ଚୁଆ ଗାଁସମୁଦ୍ର ପତ୍ତନ ଠାରୁ ୧୫୦୦ଫୁଟ ଉଚ୍ଚ ଦୁର୍ଗମ ପାହାଡ ଉପରେ ଅବସ୍ଥିତ । ଗତ ସୋମବାର ସକାଳେ ସେହି ଗ୍ରାମର ସୁକ୍ରି ଜାନୀର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ସମ୍ପର୍କୀୟ ମାନେ ଏକ ଖଟିଆରେ ପ୍ରସୂତିକୁ ବୋହି ପାଞ୍ଚ କିଲୋ ମିଟର ରାସ୍ତା ଓହ୍ଲାଇବା ପରେ ବାଟରେ ହିଁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା । ଗାଁକୁ ସଡକ ନ ଥିବାରୁ ଆମ୍ୱୁଲାନ୍ସ ପାଖକୁ ଯାଇ ନପାରି ବାଟରେ ଅଟକି ରହିଥିଲା । ପରେ ଧନସୁଲିର ସ୍ୱାସ୍ଥ୍ୟ କର୍ମୀ ମାନେ ମଧ୍ୟ ପ୍ରସୂତି ପାଖରେ ପହଞ୍ଚି ଆମ୍ୱୁଲାନ୍ସରେ ପ୍ରସୂତିକୁ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ଏବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ଏତିକିରେ ଏହି ଗ୍ରାମର ଦୁର୍ଦ୍ଦଶା ସରି ଯାଉ ନାହିଁ । ପ୍ରକୃତି କୋଳରେ ୧୫୦ବର୍ଷ ଧରି ଜୀବନ ଧାରଣ କରିଆସୁଥିବା ମଣିଷଙ୍କ ପାଇଁ ଚଲା ବାଟ ଖଣ୍ଡିଏ ତ ଦୂରର କଥା ପାନୀୟ ଜଳ ମଧ୍ୟ ଏମାନଙ୍କ ପାଇଁ କଷ୍ଟ ଦେଇ ଆସୁଛି । ଗତ ଫେବୃଆରୀ ୨୬ତାରିଖ ରବିବାର ଦିନ ଠିକ୍‌ ଏହିପରି ଲଳିତା ଜାନୀ ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା । ସେତିକି ବେଳେ ଧନ ସୁଲି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସମେତ ଗାଁରେ ପହଞ୍ଚି ପ୍ରସୂତିର ଚିକିତ୍ସା ଆରମ୍ଭ କରିଦେଇଥିଲେ । ଅବସ୍ଥା ଗୁରୁତର ହେବାରୁ ଏକ ଖଟିଆ ଯୋଗେ ତଳକୁ ଓହ୍ଲାଇଥିଲେ । ପାହାଡ଼ ତଳକୁ ପହଞ୍ଚି ପ୍ରସୂତି ଚେତା ହରାଇବା ପରେ ଜରୁରୀ କାଳୀନ ସେବା ଦେଇ ୧୦୮ଆମ୍ୱୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ପୁଣି ଏକ ମୃତ ଶିଶୁ କନ୍ୟା ଜନ୍ମ ଦେଇଥିଲା । ମୁହଁରେ ପ୍ରତିକ୍ରିୟାର ଶବ୍ଦ କହି ପାରୁ ନ ଥିବା ଏହି ସରଳ ଆଦିବାସୀ ମାନଙ୍କ ନୈତିକ ଅଧିକାର ପ୍ରତି ସରକାର କେବେ ସଜାଗ ହେବେ ତାହା ଦେଖିବାର ବେଳ ଆସିଛି ।

Leave A Reply

Your email address will not be published.