ଗାଁ ଗାଁରେ ବିକାଶର ପଦଧ୍ୱନୀ

The footsteps of development from village to village

0 48

ଭୁବନେଶ୍ୱର,୧୦ା୧୧: ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ । କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦ୍‌ଯାପନ ହୋଇଛି ଏହି କାର୍ଯ୍ୟକ୍ରମ । ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ । ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ (ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ ଓ ପଟାଙ୍ଗୀ)କୁ ମିଳିଛି ୧୨୦ କୋଟି ଟଙ୍କା । ଏହିସବୁ ନିର୍ବାଚନ ମଣ୍ଡଳୀର ୧୪ଟି ବ୍ଲକ୍‌ର ୨୪୦ଟି ଗ୍ରାମ ପଞ୍ଚାୟତରେ ୩୦୮୭ଟି ପ୍ରକଳ୍ପ ହେବ । ସେହିପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ (ନୂଆପଡା ଓ ଖରିଆର)ପାଇଁ ୬୫.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥିରେ ୫ଟି ବ୍ଲକ୍‌ର ୧୩୧ଟି ଗ୍ରାମପଞ୍ଚାୟତରେ ୧୭୬୫ଟି ପ୍ରକଳ୍ପ କରାଯିବ । ସେହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ (ଯାଜପୁର, ବିଞ୍ଝାରପୁର, ବଡଚଣା, ବରି, ସୁକିନ୍ଦା, ଧର୍ମଶାଳା ଓ କୋରେଇ)କୁ ମିଳିଛି ୧୫୫.୫୦ କୋଟି ଟଙ୍କା । ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌ର ୩୧୧ଟି ଗ୍ରାମ ପଞ୍ଚାୟତରେ ୪୧୦୯ଟି ପ୍ରକଳ୍ପ ହେବ ।୩ଟି ଜିଲ୍ଲାରେ ସମୁଦାୟ ୧୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭୯.୯୮ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଏକ ଅଭିନବ କାର୍ଯ୍ୟକ୍ରମ । ଗାଁରେ ଆଧୁନିକ ବିକାଶର ଭିତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି । ଜଗନ୍ନାଥ ସଂସ୍କୃତିକୁ ସାଥିରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡିଶାର ଗାଁଗୁଡିକ ଆଗକୁ ବଢୁଛନ୍ତି । ସେ କହିଥିଲେ ଯେ ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟ ଏକ ସଶକ୍ତ ଓଡିଶା ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛୁ । ଲୋକ ଯାହା ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସେହି ଅନୁଯାୟୀ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ବିକାଶର ଯାତ୍ରାରେ କେହି ବି ବାଦ ପଡି ନାହାନ୍ତି । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟିକା ସୁନନ୍ଦା ଦାସ, ବିଧାୟକ ଅଶୋକ କୁମାର ବଳ, ବିଧାୟକ ପ୍ରଭୁ ଜାନି, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ ପିତମ ପାଢି, ବିଧାୟକ ରଘୁରାମ ପଡାଲ ଓ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.