୩ର ବଦ୍‌ଲା ୨୩ରେ!

revenge of 3 in 2023

0 68

ଭୁବନେଶ୍ୱର,୧୮ା୧୧ : କିଏ ଜିତିବ ବିଶ୍ୱକପ । କାଲି ସୁପର ସଣ୍ଡେରେ ଟାଇଟଲ ପାଇଁ ଲଢେ଼ଇ କରିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ୨୦୦୩ ବିଶ୍ୱକପ୍‌ର ପରାଜୟର ବଦଲା ନେଇପାରେ ଟିମ୍‌ ଇଣ୍ଡିଆ । ୨୦ ବର୍ଷ ପରେ ପୁଣି ଭାରତ- ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ୨୦୨୩ରେ ହେବ ୨୦୦୩ ୱାଲ୍ଡ କପ୍‌ ପରାଜୟର କଡ଼ାଗଣ୍ଡା ହିସାବ । ରଣନୀତି ସରିଛି, ଅପେକ୍ଷା ସଣ୍ଡେ ବିଗ୍‌ ଫାଇଟ୍‌କୁ । ଅହମ୍ମଦାବାଦରେ ହେବ ହାଇ ଭୋଲଟେଜ୍‌ ଫାଇନାଲ ଫାଇଟ୍‌ । ବିଶ୍ୱକପ୍‌ ଟ୍ରଫି ପାଇଁ ଲଢ଼ିବେ ଟିମ୍‌ ଇଣ୍ଡିଆ ଏବଂ କଙ୍ଗାରୁ ବାହିନୀ । ବହୁ କିମ୍ବଦନ୍ତୀ କ୍ରିକେଟର ଭବିଷ୍ୟବାଣି କରି କହିଛନ୍ତି ଯେ, ଏଥର ବିଶ୍ୱକପ୍‌ ଭାରତର । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମ୍ୟାଥୁ ହେଡେ଼ନ କହିଛନ୍ତି ଯେ, ଏଥର ଭାରତ ବିଶ୍ୱକପ୍‌ ଜିତିବ । ଭାରତୀୟ ଟିମ୍‌ ଚାପ ଥିବା ମ୍ୟାଚ୍‌ରେ ସଂଗଠିତ ହୋଇ ଭଲ ଖେଳୁଛି । ବୋଲିଂ ୟୁନିଟ୍‌ ଅତ୍ୟନ୍ତ ଅଭିଜ୍ଞ । କୋହିଲ ଏବଂ ରୋହିତଙ୍କ ଫର୍ମ, ଶ୍ରେୟଶଙ୍କ ପୁନରୁଥାନ ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଫେବରାଇଟ୍‌ କରାଇଛି ବୋଲି ବୋଲି ହେଡେ଼ନ୍‌ କହିଛନ୍ତି । ରବୀଶାସ୍ତ୍ରୀ, ଗାଙ୍ଗୁଲୀ, ମାଇକେଲ ବେଭାନ, ୱାସିମ୍‌ ଆକ୍ରମ, ସୋଏବ ଅକ୍‌ତାରଙ୍କ ଭଳି ପୂର୍ବତନ କ୍ରିକେଟର ମଧ୍ୟ ଭାରତ ଚାମ୍ପିଅନ ହେବ ବୋଲି କହିସାରିଛନ୍ତି । ଅଷ୍ଟ୍ରେଲିଆ କ୍ୟାପ୍‌ଟେନ ପ୍ୟାଡ୍‌ କମିକ୍ସ କହିଛନ୍ତି ସାମି ତାଙ୍କ ଟିମ୍‌ ପାଇଁ ବିପଦ । ଦୁଇ ଦଶନ୍ଧି ପରେ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ-ଭାରତ ମହାସମର ଦେଖିବାକୁ ମିଳିବ । ସାକ୍ଷୀ ରହିବ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ । ୨୦୦୩ରେ ଜୋହେନ୍ସବର୍ଗରେ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା କଙ୍ଗାରୁବାହିନୀ । ୧୨୫ ରନ୍‌ରେ ହାରିଥିଲା ଟିମ୍‌ ଇଣ୍ଡିଆ । ଏଥର ବିଶ୍ୱ ବିଜେତା ହେବା ସହ ବଦ୍‌ଲା ନେବାକୁ ପଣ କରିଛି ଭାରତ । ୨୦୦୩ରେ ଭାରତ ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା । ପରେ ମ୍ୟାଚ୍‌ ଜିତି ଫାଇନାଲକୁ ଯାଇଥିଲା । ଏଥର ଅଷ୍ଟ୍ରେଲିଆ ଟିମ୍‌ ସହ ବି ସେଭଳି ଘଟିଛି । ଲିଗ୍‌ ପର୍ଯ୍ୟାୟରେ ଭାରତ ଠାରୁ ହାରିଥିବା କଙ୍ଗାରୁବାହିନୀ ଫାଇନାଲକୁ ଆସିଛି । ଅପରାଜେୟ ରହିଛି ଭାରତ । ୨୦୦୩ ସମୀକରଣର ପୁନରାବୃତ୍ତି ହେବ ନା ଇତିହାସ ରଚିବ ଭାରତ ତା ଉପରେ ରହିଛି କୋହଲିଙ୍କ ଉପରେ । ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ୭୧୧ ରନ୍‌ ସେ କରିଛନ୍ତି । ଏଥିରେ ରହିଛି ୩ଟି ଶତକ ଓ ୫ଟି ଅର୍ଦ୍ଧ ଶତକ । ସେମିରେ ଶତକରେ ଅର୍ଦ୍ଧ ଶତକ ମାରି ବିଶ୍ୱ ରେକର୍ଡ ସେ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆ ପାଇଁ ଘାତକ ହୋଇପାରନ୍ତି ରୋହିତ ଶର୍ମା ଓ ବୋଲିଂରେ ସାମି ଘାଇଲା କରିପାରନ୍ତି । ସାମି ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ୨୩ ୱିକେଟ୍‌ ନିଜ ନାଁରେ କରିଛନ୍ତି । ତାଙ୍କ ସହ ବୁମରା ବି ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ କାଳ ସାଜିପାରନ୍ତି । ସେ ନେଇଛନ୍ତି ୧୮ ୱିକେଟ୍‌ । ଅନ୍ୟପକ୍ଷରେ ଭାରତର ବିଜୟ ପକ୍ଷରେ କଣ୍ଟା ସାଜି ପାରନ୍ତି କଙ୍ଗାରୁବାହିନୀ ବ୍ୟାଟର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ୍‌ ମାର୍ସ । ୱାର୍ଣ୍ଣର ଚଳିତ ବିଶ୍ୱକପ୍‌ରେ ୨ଟି ଶତକ ସହ ୫୨୮ ରନ୍‌ କରିଛନ୍ତି । ମାର୍ସ କରିଛନ୍ତି ୪୨୬ରନ୍‌ । ବୋଲିଂରେ ଆଦମ ଚମ୍ପା ଓ ଜୋସ୍‌ ହାଜଲଉଡ୍‌କୁ ଜଗିରଖି ଖେଳିବାକୁ ପଡ଼ିବ । ସାମିଙ୍କ ପରେ ଚମ୍ପା ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ସର୍ବାଧିକ ୱିକେଟ୍‌ ନେଇଛନ୍ତି । ସେ ନେଇଛନ୍ତି ୨୨ଟି ୱିକେଟ୍‌ । ସେହିପରି ହାଜଲଉଡ୍‌ ନେଇଛନ୍ତି ୧୪ ୱିକେଟ୍‌ । ଭାରତ ତୃତୀୟଥର ଓ ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱ ବିଜେତା ହେବାକୁ ଲକ୍ଷ୍ୟ ରଖିଛି । ଏହି ଉକ୍ରଣ୍ଠାପୂର୍ଣ୍ଣ ମ୍ୟାଚ୍‌ ଦେଖିବା ପାଇଁ କାଲି ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ସେଲିବ୍ରିଟ । ମୋଦିଙ୍କ ସହ ଅଷ୍ଟ୍ରେଲିଆ ଉପ- ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ ଉପସ୍ଥିତ ରହିବେ । ସେହିପରି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ମଧ୍ୟ ମ୍ୟାଚ୍‌ର ମଜା ନେବେ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଉପସ୍ଥିତ ରହି ଟିମ୍‌ ଇଣ୍ଡିଆର ଜୋସ୍‌ ବଢ଼ାଇବେ ।

Leave A Reply

Your email address will not be published.