ମାର୍ଲୋନ ସାମ୍ୟୁଏଲ୍ସଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସି

ICC banned Marlon Samuels for 6 years

0 56

ନୂଆଦିଲ୍ଲୀ, ୨୩ା୧୧: ୱେଷ୍ଟଇଣ୍ଡିଜ ଟିମର ପୂର୍ବତନ ବ୍ୟାଟର ମାର୍ଲୋନ ସାମ୍ୟୁଏଲ୍ସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି । ସେ ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିରୋଧ କୋଡର ଉଲ୍ଲଙ୍ଘନ କରିଥିଲେ । ଏହା ପ୍ରମାଣ ହେବା ପରେ ଆଇସିସି ତାଙ୍କ ଉପରେ ୬ ବର୍ଷର ବ୍ୟାନ ଲଗାଇଛି । ଏହାର ଅର୍ଥ ୬ ବର୍ଷ ଯାଏ ସାମ୍ୟୁଏଲ୍ସ କୌଣସି ପ୍ରକାରର କ୍ରିକେଟ ଫର୍ମାଟରେ ନଜର ଆସିବେ ନାହିଁ । ୨୦୨୧ ସେପ୍ଟେମ୍ବର ମାସରେ ତାଙ୍କ ବିରୋଧରେ ୪ଟି ଦୁର୍ନୀତି ଅଭିଯୋଗ ଆସିଥିଲା । ଏହାର ତଦନ୍ତ କରାଯାଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟରେ ସାମ୍ୟୁଏଲ୍ସଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା । ଏବେ ଆଇସିସି ଏହାକୁ ଆଧାର କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ବିଭିନ୍ନ ପ୍ରକାରର ଉପହାର ଠାରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ ଲୋକଙ୍କ ଠାରୁ ସୁବିଧା ସୁଯୋଗ ପାଇଥିଲେ । କ୍ରିକେଟକୁ ପ୍ରଭାବିତ କରିବା ପାଇଁ ସେ ଲାଞ୍ଚ ଗ୍ରହଣ କରିଥିଲେ । ସେହିପରି ତଦନ୍ତ ବେଳେ ସେ ଅଧିକାରୀମାନଙ୍କୁ ସହଯୋଗ ମଧ୍ୟ କରି ନଥିଲେ । ତାଙ୍କୁ ଫିକ୍ସିଂ ପାଇଁ କୁହାଯାଇଥିଲେ ହେଁ ସେ ଏହାକୁ ଉପଯୁକ୍ତ ଅଧିକାରୀଙ୍କୁ ଜଣାଇଥିଲେ । ଜାଣିଶୁଣି ତଦନ୍ତକୁ ସାମ୍ୟୁଏଲ୍ସ ବିଳମ୍ବିତ କରିଥିଲେ । ତେଣୁ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସାମ୍ୟୁଏଲ୍ସଙ୍କ ଉପରେ ଲାଗିଥିବା ୬ ବର୍ଷର ବ୍ୟାନ ୨୦୨୩ ମସିହା ନଭେମ୍ବର ୧୧ରୁ କାର୍ଯ୍ୟକାରୀ ହେବ । ଗୁରୁବାର ଆଇସିସି ଏଚଆର ଓ ଇଣ୍ଟିଗ୍ରିଟୀ ୟୁନିଟର ମୁଖ୍ୟ ଆଲେକ୍ସ ମାର୍ଶଲ ବ୍ୟାନ ସମ୍ପର୍କରେ ଘୋଷଣା କରିଛନ୍ତି । ସେ କହିଛନ୍ତି, ସାମ୍ୟୁଏଲ୍ସ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ । ଏହି ସମୟରେ ସେ ଏକାଧିକ ଥର ଦୁର୍ନୀତି କାମରେ ଲିପ୍ତ ଥିଲେ । ସେ ଭଲ ଭାବେ ଦୁର୍ନୀତି ନିରୋଧର ନିୟମ ସମ୍ପର୍କରେ ଅବଗତ ଥିଲେ । ତଥାପି ସେ ନିୟମର ଉଲ୍ଲଙ୍ଘନ କରିଥିଲେ । ଏବେ ସେ ଅବସର ନେଇ ସାରିଛନ୍ତି । କିନ୍ତୁ ସେ ପ୍ରତିଯୋଗୀ ଥିବା ବେଳେ ଅପରାଧ କରିଥିଲେ । ତେଣୁ ତାଙ୍କ ଉପରେ ୬ ବର୍ଷର ବ୍ୟାନ ଲାଗିଛି । ଏବେ ନିୟମ ଉଲ୍ଲଙ୍ଘନ କରିବାକୁ ଚେଷ୍ଟା କରୁଥିବା ଖେଳାଳିଙ୍କ ପାଇଁ ଏହା ଉପଯୁକ୍ତ ଶିକ୍ଷା ହେବ । ସାମ୍ୟୁଏଲ୍ସ ୧୮ ବର୍ଷ ମଧ୍ୟରେ ଇଣ୍ଡିଜ ଟିମ ପାଇଁ ୩୦୦ରୁ ଅଧିକ ମ୍ୟାଚ ଖେଳିଥିଲେ । ସେ ୧୭ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ଇଣ୍ଡିଜ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ । ୨୦୧୨ ଓ ୨୦୧୬ ଟି-୨୦ ବିଶ୍ୱକପ ଫାଇନାଲରେ ସେ ଦଳ ପାଇଁ ସର୍ବାଧିକ ରନ ମଧ୍ୟ କରିଥିଲେ । ଇଣ୍ଡିଜ ଟିମ ୨୦୧୨ ଓ ୨୦୧୬ରେ ବିଶ୍ୱକପ ଟ୍ରଫି ଜିତିଥିଲା ।

Leave A Reply

Your email address will not be published.